୨୬ରେ ଶ୍ରୀକ୍ଷେତ୍ରରୁ ଶଙ୍ଖ ଫୁଙ୍କିବେ ନବୀନ

0 56

ଭୁବନେଶ୍ୱର, ୨୩ା୧୨ (ଡିକେ ନ୍ୟୁଜ୍‌): ସୋମବାର ବିଜୁ ଜନତା ଦଳକୁ ୨୫ ପୂରି ୨୬ ଚାଲିବ । ଗତ ଦୁଇବର୍ଷ ହେଲାଣି କରୋନା ପାଇଁ ଏହି ପ୍ରତିଷ୍ଠା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ଏଥର କିନ୍ତୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ୨୬ ତାରିଖରେ ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରିବ । ତାଳବଣିଆ ପଡ଼ିଆରେ ହେବ ବଡ଼ ସମାବେଶ । ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେବେ । ୪୦ହଜାରରୁ ଊଦ୍ଧ୍ୱର୍ କର୍ମକର୍ତ୍ତା ସାମିଲ ହେବା ସମ୍ଭାବନା ରହିଛି । ପ୍ରତିଷ୍ଠା ଦିବସ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତିଷ୍ଠା ଦିବସରୁ ଶ୍ରୀକ୍ଷେତ୍ରରୁ ଭିତ୍ତିଭୂମି ପକାଇବ ବିଜେଡି । ସାରା ରାଜ୍ୟରୁ ଆସିଥିବା କର୍ମକର୍ତ୍ତା ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହିତ ପ୍ରତିଷ୍ଠା ଦିବସରୁ ବିଜେଡି ନିଜର ସାଙ୍ଗଠନିକ ଶକ୍ତି ମଧ୍ୟ ପ୍ରଦର୍ଶନ କରିବ । ବର୍ଷତମାମ ବ୍ଲକ୍‌ ଓ ଜିଲ୍ଳାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି ସହ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ ରଣନୀତି ପ୍ରସ୍ତୁତ କରିଛି । ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବିଜେଡି ସର୍ବଦା ଲୋକଙ୍କ ସେବାରେ ରହିଆସିଛି । ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପ୍ରଣୟନ କରି ଲୋକଙ୍କ ନିକଟତର ହୋଇପାରିଛି । ପ୍ରତିଷ୍ଠା ଦିବସ ପାଇଁ ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଓ ଛାତ୍ର ସଂଗଠନମାନେ ମଧ୍ୟ ତତ୍ପର ହୋଇପଡ଼ିଛନ୍ତି । ଦଳ ପକ୍ଷରୁ ବର୍ଷତମାମ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା, ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦାବିରେ ଦିଲ୍ଲୀରେ ସମାବେଶ, ମହିଳା ଏସ୍‌ଏଚଜିଙ୍କ ଅଧିକ ସକ୍ରିୟ କରିବା ପାଇଁ ଯୋଜନା କରିଛି ଦଳ । ଏଥିସହିତ ଏହି ପ୍ରତିଷ୍ଠା ଦିବସରୁ ୨୦୨୪ ପାଇଁ ଭିତ୍ତିଭୂମି ପକାଇବା ପାଇଁ ଦଳ ସ୍ଥିର କରିଛି । ସୂଚନାଯୋଗ୍ୟ ଯେ, ବିଜେଡିର ଫୋକସ୍‌ରେ ୮ଲୋକସଭା ଆସନ ରହିଛି । ୨୦୧୯ରେ ଯେଉଁ ୮ଟି ଲୋକସଭା ଆସନ ବିଜେପି ହାତେଇଥିଲା ତା ଉପରେ ବିଜେଡିର ନଜର । ଡିସେମ୍ବର ୧୯ ତାରିଖରେ ଭୁବନେଶ୍ୱରର ୭ ସ୍ୱାଧୀନ କର୍ପୋରେଟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହା ମାଧ୍ୟମରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଜର ଶକ୍ତି ବୃଦ୍ଧି କରିଛି । ଗତ ୧୯ ନିର୍ବାଚନରେ ଭୁବନେଶ୍ୱରର ତିନୋଟି ଯାକ ବିଧାନସଭା ଆସନକୁ ବିଜେଡି ହାତେଇଥିବା ବେଳେ ଲୋକସଭା ଆସନ କିନ୍ତୁ ବିଜେପି ହାତକୁ ଚାଲିଯାଇଥିଲା । ସେହିପରି ଡିସେମ୍ବର ୨୧ରେ ୧୯ଟି ସହରରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ସୁନ୍ଦରଗଡ଼, ରାଉରକେଲା ଓ ବୀରମିତ୍ରପୁର ଭଳି ସହର ଯୋଡ଼ି ହୋଇଛି । ସେହିପରି ମୟୂରଭଞ୍ଜ, ବାରିପଦା, ରାଇରଙ୍ଗପୁର, ଉଦଳା ଓ କରଞ୍ଜିଆ ଟାଉନ୍‌ରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ଏକ ଭଲ ବାତାବରଣ ସୃଷ୍ଟି କରିଛି । ଗତ ୨୦୧୯ ନିର୍ବାଚନରେ ଉଭୟ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ହାତେଇଥିଲା । ମୁଖ୍ୟମନ୍ତ୍ରୀ ଗତକାଲି ବାଲେଶ୍ୱର ଗସ୍ତରେ ଯାଇ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିସହିତ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଉଦ୍ୟୋଗୀ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ୮ ବିଧାନସଭା ଆସନ ମଧ୍ୟରୁ ୭ଟିରେ ବିଜେଡି ଜିତିଥିବା ବେଳେ ଲୋକସଭା ଆସନ କିନ୍ତୁ ବିଜେପି ହାତେଇ ନେଇଥିଲା । ୨୦୧୯ରେ ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଆସନ ସହିତ ୮ଟିରେ ବିଜେପି ବାଜି ମାରିଥିଲା । ଏବେ ଫୋକସ୍‌ରେ ଏହି ୮ ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି । ଆସନ୍ତା ୨୬ରେ ବିଜେଡିକୁ ୨୫ ପୂରି ୨୬ ଚାଲିବ । ଶ୍ରୀକ୍ଷେତ୍ରରୁ ଶଙ୍ଖ ଫୁଙ୍କିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ସେହିଠାରୁ ୨୦୨୪ ପାଇଁ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ ।

Leave A Reply

Your email address will not be published.