କ୍ରାଇମବ୍ରାଞ୍ଚରେ ପୁଣି ରୁଷୀୟ ଦମ୍ପତି ଓ ଟୁର ଗାଇଡ୍‌ ରାୟଗଡାରେ ତଦନ୍ତ ଅଧିକାରୀଙ୍କ ତନାଘନା

0 73

କଟକ/ ରାୟଗଡ଼ା, (ଡି କେ ନ୍ୟୁଜ): ରାୟଗଡ଼ାରେ ରୁଷ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଆଜି ଜେରା ପାଇଁ କ୍ରାଇମବ୍ରାଞ୍ଚରେ ପୁଣି ହାଜର ହୋଇଛନ୍ତି ରୁଷୀୟ ଦମ୍ପତି ପାନ ସଂକୋ ଓ ଟୁରଭୋ । ଉଭୟଙ୍କ ସହ ଟୁର ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି । ଏମାନଙ୍କୁ ଚାରି ଦିନ ଧରି ଜେରା କରୁଛି କ୍ରାଇମବ୍ରାଞ୍ଚ । ଋଷ ସାଂସଦ ପାଭେଲ ଆଣ୍ଟେଭ ଓ ପର୍ଯ୍ୟଟକ ଭ୍ଲାଦମିର ବିଦାନୋଭ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ରାୟଗଡ଼ାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଟିମ୍‌ ପହଞ୍ଚି ପ୍ରଥମେ ଜିଲ୍ଲା ପୋଲିସ୍‌ ଓ ସେଣ୍ଟ୍ରାଲ୍‌ ଇଣ୍ଟେଲଜେନସି ବ୍ୟୁରୋ କର୍ତ୍ତୃପକ୍ଷଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ଏହା ପରେ ମଧ୍ୟାହଣ୍‌ ୧୨ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ହୋଟେଲ୍‌ ସାଇ ଇଣ୍ଟରନ୍ୟାସନାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହୋଟେଲର ସିସିଟିଭି ଫୁଟେଜ୍‌, ଋଷ ପର୍ଯ୍ୟଟକ ଓ ସାଂସଦ ରହୁଥିବା ରୁମ୍‌, ଟୁରିଷ୍ଟ ଗାଇଡଙ୍କ ରୁମ୍‌, ଘଟଣା ଘଟିଥିବା ସ୍ଥଳରେ କ୍ରାଇମବ୍ରାଞ୍ଚ ଯାଞ୍ଚ କରିବ । ମୃତଦେହ ଜବତ ସମୟରେ ଉପସ୍ଥିତ ଥିବା ହୋଟେଲ୍‌ କର୍ମଚାରୀ, ପୋଲିସ୍‌ ଅଧିକାରୀ ଏବଂ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍‌, ଶେଷକୃତ୍ୟ ସମୟରେ ଉପସ୍ଥିତ ଥିବା ମାଜିଷ୍ଟ୍ରେଟଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍‌ ଆଲୋଚନା କରିବ । କ୍ରାଇମବ୍ରାଞ୍ଚ ଟିମ୍‌ ସହ ସାଇଣ୍ଟିଫିକ୍‌ ଟିମ୍‌ ଆସିଥିବାରୁ ମାମଲାର ଖିଅ ଖୋଜିବା ପାଇଁ ଟିମ୍‌ ହୋଟେଲ୍‌ ରୁମରେ ପଡିଥିବା ମଦ ବୋତଲ, ଖାଦ୍ୟ ପଦାର୍ଥ ସହ ଅନ୍ୟ ସାମଗ୍ରୀ ଜବତ କରିବ । କ୍ରାଇମବ୍ରାଞ୍ଚ ପୂର୍ବରୁ ଶୁକ୍ରବାର ପୂର୍ବାହଣରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇବି) ରାୟଗଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସିଆଇବି ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଆଜି ହୋଟେଲରେ ପହଞ୍ଚି ତଦନ୍ତ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି । ଆଜି ସକାଳେ କ୍ରାଇମ୍ରବାଞ୍ଚ ଟିମ୍‌ ରାୟଗଡ଼ାରେ ପହଞ୍ଚିବା ପରେ ପୂର୍ବାହ୍ଣରେ ଉଭୟ ତଦନ୍ତକାରୀ ଟିମ୍‌ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟରେ ପହଞ୍ଚି ଏସପି, ଡିଏସପି, ରାୟଗଡ଼ା ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ବିଦାନୋଭଙ୍କ ଶବ ବ୍ୟବଚ୍ଛେଦ ସମୟରେ ଭିସେରା ସଂଗ୍ରହ ହୋଇଥିବା ବେଳେ ଆଣ୍ଟେଭଙ୍କ ଶବ ବ୍ୟବଚ୍ଛେଦ ସମୟରେ ଭିସେରା ସଂଗ୍ରହକୁ କାହିଁକି ଅଣଦେଖା କରାଗଲା ତାକୁ କ୍ରାଇମବ୍ରାଞ୍ଚ ଟିମ୍‌ ଖୋଳତାଡ଼ କରିବ । ସେହିପରି ଦୁଇ ପର୍ଯ୍ୟଟକ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିବା ମୃତଦେହ ନ ପୋତି କିପରି ପୋଡ଼ି ଦିଆଗଲା ସେ ଦିଗ ପ୍ରତି ମଧ୍ୟ ତଦନ୍ତ କରିବ ଟିମ୍‌ ।

Leave A Reply

Your email address will not be published.