୪୫ ଲକ୍ଷ କୋଟି ଟଙ୍କାର ବଜେଟ

0 68

ନୂଆଦିଲ୍ଳୀ, ୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଟିକସ ସ୍ଲାବ ହ୍ରାସ ହୋଇଥିବା ବେଳେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୪୫,୦୩,୦୯୭.୪୫ କୋଟି ଟଙ୍କାର ବଜେଟ ଉପସ୍ଥାପନ\ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ସର୍ବାଧିକ ବ୍ୟୟ ବରାଦ ହୋଇଥିବା ବେଳେ ଅନ୍ୟ ମନ୍ତ୍ରଣାଳୟକୁ ମଧ୍ୟ ସରକାର ଅଧିକ ଫୋକସ କରିଛନ୍ତି । ୨୦୨୨-୨୩ରେ କେନ୍ଦ୍ର ସରକାର ୩୯.୪୪ ଲକ୍ଷ କୋଟିର ବ୍ୟୟବରାଦ କରିଥିଲେ । ସେ ପ୍ରତ୍ୟେକ ବର୍ଗଙ୍କୁ ସୁହାଇଲା ପରି ଅନେକ ବଡ ବଡ ଘୋଷଣା କରିଛନ୍ତି । ଏଥିରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଟ୍ୟାକ୍ସରେ ରିହାତିଠୁ ନେଇ କୃଷକଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ପରିଯୋଜନା ରହିଛି । ବଜେଟରେ ନୂତନ ଟ୍ୟାକ୍ସ ଯୋଜନା ଆଧାରରେ ଏବେ ୫ ଲକ୍ଷ ଟଙ୍କା ବଦଳରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ୩ ରୁ ୬ ଲକ୍ଷ ଟଙ୍କା ଉପରେ ବର୍ତ୍ତମାନ ୫ ପ୍ରତିଶତ, ୬ ଲକ୍ଷରୁ ୯ ଲକ୍ଷ ଉପରେ ୧୦ ପ୍ରତିଶତ, ୯ ରୁ ୧୨ ଲକ୍ଷ ଉପରେ ୧୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ମହିଳାଙ୍କ ପାଇଁ କେନ୍ଦ୍ର ସରକାର ମହିଳା ସମ୍ମାନ ସଞ୍ଚୟ ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ଅଧିନରେ ମହିଳା କିମ୍ବା ବାଳିକାଙ୍କ ନାମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇ ପାରିବ । ଏହା ଉପରେ ୭.୫ ପ୍ରତିଶତର ସୁଧ ମିଳିବ । ମହିଳା ସମ୍ମାନ ଯୋଜନା ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ । ସବୁଜ ବିପ୍ଳବ ପାଇଁ କେନ୍ଦ୍ର ୩୫ ହଜାର କୋଟି ଟଙ୍କା ନିବେଶ ସହିତ ଏକ କୋଟି କୃଷକଙ୍କୁ ସାତବର୍ଷ ପର୍ଯ୍ୟନ୍ତ ଜୈବିକ ଚାଷ ପାଇଁ ସହାୟତା ପ୍ରଦାନ କରାଯିବ । ଗରିବ ଲୋକଙ୍କ ଘର ନିର୍ମାଣ ପାଇଁ ପିଏମ ଆବାସ ଯୋଜନା ଆଧାରରେ ୭୯ ହଜାର କୋଟି ଟଙ୍କା ଆବଣ୍ଟିତ କରାଯିବ । ସରକାର ଏହି ଯୋଜନା ପାଇଁ ୬୬ ପ୍ରତିଶତ ଅର୍ଥ ରାଶି ବୃଦ୍ଧି କରିଛନ୍ତି । ବିମାନ ଯାତ୍ରା ସରଳ ପାଇଁ ୫୦ ନୂତନ ବିମାନ ବନ୍ଦର ନିର୍ମାଣ କରାଯିବ । ଆସନ୍ତା ଆର୍ଥିକ ବର୍ଷରେ ୪୭ ଲକ୍ଷ ଯୁବକଙ୍କୁ ନୂତନ ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯିବ । ଉଚ୍ଚ ଶିକ୍ଷା ପାଇଁ ପ୍ରାୟ ୩୦ ଲକ୍ଷ ଯୁବକଙ୍କ ବୃତ୍ତି ଉପଲବ୍ଧ କରାଯିବ ତଥା ୩୦ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ସ୍ଥାପନ କରାଯିବ । ସମଗ୍ର ଦେଶରେ ଏମଏସଏମଇ ସେକ୍ଟରକୁ ୨ ଲକ୍ଷ କୋଟି ଟଙ୍କାର ଋଣ ମିଳିବ । ନୂତନ ଯୋଜନା ଆଧାରରେ ଏକ ପ୍ରତିଶତ କମ ସୁଧ ହାରରେ ଋଣ ମିଳିବ । ବ୍ୟାଙ୍କ ସହଜରେ ଋଣ ଉପଲବ୍ଧ କରିବେ ଏବଂ ଏଥିରେ ସରକାର ଗ୍ୟାରେଣ୍ଟର ଭାବେ କାମ କରିବେ । ଯେଉଁ ଏମଏସଏମଇର ବାର୍ଷିକ ଆୟ ୩ କୋଟି ଟଙ୍କା ପର୍ଯ୍ୟନ୍ତ ରହିବ ତା ଉପରେ ଟ୍ୟାକ୍ସ ଛାଡ ରହିବ । ଏଥିସହିତ ୭୫ ଲକ୍ଷ ଆୟ କରୁଥିବା ପେଶାଦାରଙ୍କୁ ଟ୍ୟାକ୍ସରେ ରିହାତି ମିଳିବ । ପ୍ୟାନକୁ କମନ ବିଜନେସ୍ ଆଇଣ୍ଡେଟିଫାୟର କରାଯିବ । ଅର୍ଥାତ ପ୍ୟାନର ବ୍ୟବହାର ସମସ୍ତ ନେଣଦେଣ ଉପରେ କରାଯିବ । ଆପଣ ଯଦି ଡିଜିଟାଲ୍ ପେମେଣ୍ଟରେ ଏହାର ବ୍ୟବହାର କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ପ୍ୟାନ୍ ନମ୍ବର ଦେବାକୁ ପଡିବ । ରେଳ ବିଭାଗକୁ ମୋଟ୍ ୨.୪ ଲକ୍ଷ କୋଟି ଟଙ୍କ ବ୍ୟୟ ବରାଦ କରାଯାଇଛି । ଏଥିରେ ରେଳ ସଂପର୍କିତ ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ । ଆର୍ଥିକ ବର୍ଷ ୨୦୨୩-୨୪ରେ ସରକାର ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ନିର୍ମାଣ କରିବେ । ଏଥିପାଇଁ ସରକାର ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି ।

Leave A Reply

Your email address will not be published.