ଅର୍ଥନୈତିକ ସର୍ଭେ ରିପୋର୍ଟ ଚଳିତବର୍ଷ ଜିଡିପି ଅଭିବୃଦ୍ଧି ୬.୫% ଆକଳନ

0 69

ନୂଆଦିଲ୍ଳୀ, ୩୧ା୧: ମଙ୍ଗଳବାର ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ ହୋଇଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରି ସୂଚନା ଦେଇଛନ୍ତି ଯେ ଆର୍ଥିକବର୍ଷ ୨୦୨୨-୨୦୨୩ରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ହୋଇଥିବା ବେଳେ ଆଗାମୀ ବର୍ଷ ଏହା ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଇଛି । ଏହି ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ । ମହାମାରୀ ସମୟରେ ମନ୍ଥର ହୋଇ ଯାଇଥିବା ଅର୍ଥନୀତି ପୁଣି ଥରେ ଉଦ୍ଧାର ହୋଇଛି ବୋଲି ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆପଣ ଜାଣନ୍ତି ଯେ ଅର୍ଥନୈତିକ ସର୍ଭେ ଆମ ଦେଶର ଅର୍ଥନୀତିର ଏକ ଚିତ୍ର ପ୍ରଦାନ କରିଥାଏ । ଏଥିରେ ଅର୍ଥନୀତିର ପ୍ରଦର୍ଶନ, ବିଭିନ୍ନ କ୍ଷେତ୍ରର ସ୍ଥିତି ଓ ପୂର୍ବାନୁମାନ, ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି, ସଫଳତା-ବିଫଳତା, ଅର୍ଥନୀତିର ପୂର୍ବାନୁମାନ ଆଦି ସଂପର୍କରେ ବର୍ଣ୍ଣନା ରହିଥାଏ । ସାଧାରଣତଃ ବଜେଟ ଉପସ୍ଥାପନର ଏକ ଦିନ ପୂର୍ବରୁ ଲୋକସଭାରେ ଏହାର ଉପସ୍ଥାପନ କରାଯାଇଥାଏ, ଏହି କ୍ରମରେ ଅର୍ଥନେତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି । ସାଧାରଣତଃ ଅର୍ଥନୈତିକ ସର୍ଭେ ମାଧ୍ୟମରେ ସରକାରଙ୍କ ବଜେଟ କେଉଁ ଦିଗରେ ଯିବ ସେ ସଂପର୍କରେ ଏକ ଧାରଣା ମିଳିଥାଏ । ସେହିପରି ଅର୍ଥନୈତିକ ସର୍ଭରେ କୁହାଯାଇଛି ଯେ ଦେଶରେ ଦାରିଦ୍ର‌୍ୟ ହାର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ଓ ଅଧିକରୁ ଅଧିକ ଲୋକ ଦାରିଦ୍ର‌୍ୟ ସୀମାରୁ ଉପରକୁ ଉଠୁଛନ୍ତି । ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର‌୍ୟ ସୀମା ଉପରକୁ ଉଠିଛନ୍ତି । ଏହା ଫଳରେ ଭାରତ ୨୦୩୦ ସୁଦ୍ଧା ଜାତିସଂଘ ଦ୍ୱାରା ଧାର୍ଯ୍ୟ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ କରିବାର ଆଶା ଦେଖାଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଗରିବ ରାଜ୍ୟଗୁଡ଼ିକରେ ଦାରିଦ୍ର‌୍ୟ ସବୁଠାରୁ ଦ୍ରୁତ ଗତିରେ ହ୍ରାସ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଦେଶର ବେକାରୀ ସ୍ଥିତିରେ ଉନ୍ନତି ଆସିବାରେ ଲାଗିଛି । ୨୦୧୮-୧୯ରେ ବେକାରୀ ୫.୮ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ଏହା ୪.୨ ପ୍ରତିଶତକୁ ହ୍ରାସ ପାଇଛି । କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଶ୍ରମ ଓ ରୋଜଗାର କ୍ଷେତ୍ରରେ ଧୀରେ ଧୀରେ ଉନ୍ନତି ଆସୁଛି । ଶ୍ରମବଜାର ମହାମାରୀ ପୂର୍ବ ସ୍ଥିତିକୁ ଫେରିଯାଇଛି । ସେହିପରି ଶ୍ରମ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢିଚାଲିଛି । ୨୦୧୮-୧୯ରେ ଏହା ୧୮.୬ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ତାହା ୨୫.୧ ପ୍ରତିଶତକୁ ବୃଦ୍ଧି ପାଇଛି । ଉଲ୍ଲେଖନୀୟ ଏବଂ ଉତ୍ସାହର କଥା ହେଉଛି ଯେ ଗ୍ରାମାଞ୍ଚଳରେ ମହିଳାଙ୍କ ଯୋଗଦାନ ୨୦୧୮-୨୯ରେ ୧୯.୭ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ତାହା ୨୭.୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ଯେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ମହିଳା ରୋଜଗାର ପାଇଁ ଆଗେଇ ଆସୁଛନ୍ତି ।

Leave A Reply

Your email address will not be published.