କମିଲା ଶୀତ : ଆଗକୁ ଡହ ଡହ ଖରା

0 85

ଭୁବନେଶ୍ୱର, ୫ା୨(ଡିକେ ନ୍ୟୁଜ): ରାଜ୍ୟରେ ପୁଣି ବଢ଼ିବ ପାରଦ । ଆଜିଠାରୁ ବୃଦ୍ଧି ହେବ ରାତି ତାପମାତ୍ରା । ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସାରା ଓଡ଼ିଶାରେ ଏହି ତାପମାତ୍ରା ପରିବର୍ତ୍ତନ ଘଟିବ ବୋଲି କହିଛି ପାଣିପାଗ ବିଭାଗ । ଏହାସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ଭୋର ସମୟରେ କୁହୁଡ଼ି ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ । ତେବେ ସୁନ୍ଦରଗଡ଼ ସମେତ କନ୍ଧମାଳ, ସମ୍ବଲପୁର, ଝାରୁସୁଗୁଡ଼ାରେ ଶୀତ ଲହରୀ ଅନୁଭୂତ ହେଉଥିବା ବେଳେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ମାଘରେ ବାଘ ଭଳିଆ ତାତି ଅନୁଭୂତ ହେଉଥିବା ଫେବୃଆରୀରେ ଆକାଶରୁ ଅଗ୍ନିବର୍ଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ । ଫେବୃଆରୀର ଆକଳନ ଅନୁସାରେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା । ଏଥିପାଇଁ ଏସବୁ ରାଜ୍ୟ ରେଡ୍‌ ଏବଂ ଅରେଞ୍ଜ ଆଲର୍ଟରେ ରହିଛି । ସୂର୍ଯ୍ୟଙ୍କ ତେଜ କିରଣ, ମେଘମୁକ୍ତ ଆକାଶ ଏବଂ ଦୀର୍ଘଦିନ ବର୍ଷା ନ ହେବାରୁ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଜାନୁଆରୀରେ ସମ୍ବଲପୁରର ତାପମାତ୍ରା ୨୦୦୯ର ସର୍ବକାଳୀନ ତାପମାତ୍ରା ୩୯.୯ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱର ନବମ ସର୍ବକାଳୀନ ରେକର୍ଡ ହୋଇଛି । ଗତ ୨୦୨୧ ମସିହାରେ ତାପମାତ୍ରା ବୃଦ୍ଧିରେ ରେକର୍ଡ କରିଥିଲା ଓଡ଼ିଶା । ବିଶେଷକରି ଭୁବନେଶ୍ୱର ଏବଂ ବାରିପଦା ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା । ଏଥର ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ହେବା ଆଶା କରାଯାଉଛି ।

Leave A Reply

Your email address will not be published.