ଆଜି ଲୋକାର୍ପିତ ହେବ ଧରଣୀଧର ମେଡିକାଲ କଲେଜ, ଡିଡି କଲେଜ ହେଲା ବିଶ୍ୱବିଦ୍ୟାଳୟ

0 97

ଭୁବନେଶ୍ୱର, ୧୨ା୨(ଡିକେ ନ୍ୟୁଜ): ଆସନ୍ତାକାଲି ଧରଣୀଧର ମେଡିକାଲ କଲେଜର ହେବ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଏହାର ଲୋକାର୍ପଣ କରିବେ । ଏଥିସହ ଜିଲ୍ଲାବାସୀଙ୍କୁ ଭେଟିଦେବେ ୪ହଜାର ୭୦୦ କୋଟିର ପ୍ରକଳ୍ପ । ଗସ୍ତର ଅବ୍ୟବହିତ ପୂର୍ବରୁ କେନ୍ଦୁଝରର ପୁରାତନ ଧରଣୀଧର ମହାବିଦ୍ୟାଳୟକୁ ମିଳିଛି ବିଶ୍ୱବିଦ୍ୟାଳୟର ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ଘୋଷଣା କରିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବି ବିଜ୍ଞପ୍ତି ଜାରି ହୋଇଛି । କେନ୍ଦୁଝରର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଧରଣୀଧର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ଧରଣୀଧର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ସୂଚନାଯୋଗ୍ୟ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଯାଇ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ଣ ୧୧ଟା ୧୫ ମିନିଟରେ କେନ୍ଦୁଝରରେ ପହଞ୍ଚିବେ । ୧୧ଟା ୨୦ରେ ସେ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଉଦ୍‌ଘାଟନ କରିବେ । ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ମେଡିକାଲ କଲେଜକୁ ଉଦ୍‌ଘାଟନ କରିବା ପରେ ସାଧାରଣ ସଭାରେ ଯୋଗଦାନ କରିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ପୂର୍ବରୁ ଧରଣୀଧର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନେଇ ବଡ଼ ଘୋଷଣା କରିଛନ୍ତି ।

Leave A Reply

Your email address will not be published.