ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଆଉ ୧୨ ଚିତା ବାଘ

0 76

ନୂଆଦିଲ୍ଲୀ ୧୭ ।୨: ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘଙ୍କ ଏକ ଦଳ ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କକୁ ଆସିବେ । ଚିତାଙ୍କୁ ଆଣିବା ପାଇଁ ଭାରତୀୟ ୟୁସେନାରଏକ ବିଶେଷ ବିମାନ ସି-୧୭ ଗ୍ଲୋବମାଷ୍ଟର ଶୁକ୍ରବାର ସକାଳେ ଦକ୍ଷିଣ ଆଫ୍ରିକା ଯାଇଛି । ରାତି ୮ଟା ବେଳେ ଚିତା ବାଘଙ୍କୁ ନେଇ ବିମାନ ଭାରତ ଅଭିମୁଖେ ଉଡାଣ କରିବ ଓ ୧୮ ଫେବୃଆରୀ ଶନିବାର ପୂର୍ବାହ୍ନ ୧୦ଟା ବେଳେ ଗ୍ୱାଲିୟର ବିମାନ ବନ୍ଦରରେ ଅବତରଣ କରିବ । ଗ୍‌ୱାଲିୟର ବିମାନ ବନ୍ଦରରୁ ଏକ ସ୍‌ୱତନ୍ତ୍ର ବିମାନ ଯୋଗେ ବାଘମାନଙ୍କୁ ୧୬୫ କିଲୋମିଟର ଦୂର ଶେନ୍ଥାପୁର କୁନୋ ନ୍ୟାସନାଲ ପାର୍କ (କେଏନପି) ପହଞ୍ଚାଯିବ । ଯେଉଁଠି ଚିତାମାନଙ୍କୁ କ୍ୱାରେଣ୍ଟାଇନ ବାଡରେ ରଖାଯିବ । ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ପକ୍ଷରୁ ଏୟାରଫୋର୍ସ ଏହି ପୁରା ସେବା ପାଇଁ ପରିବେଶ ମନ୍ତ୍ରାଳୟଙ୍କ ଠାରୁ କୌଣସି ପ୍ରକାରର ଶୁଳ୍କ ନେବେ ନାହିଁ । ଏଥର ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଚିତାବାଘଙ୍କ ମଧ୍ୟରେ ୭ଟି ପୁରୁଷ ଚିତା ଆସୁଥିବା ବେଳେ ୫ଟି ମାଇ ଚିତା ଅଛନ୍ତି । ସେମାନଙ୍କୁ ଭେଟନାରୀ ଡାକ୍ତର ତଥା ଚିତା ବିଶେଷଜ୍ଞ ଡା.ଲାରେଲଙ୍କ ଉପସ୍ଥିତିରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଉଛି । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଚିତାଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କୁନୋ ନ୍ୟାସନାଲ ପାର୍କରେ ଉପସ୍ଥିତ ରହିବେ । କେଏନପିର ନିର୍ଦ୍ଦେଶକ ଉତ୍ତମ ଶର୍ମା ଦକ୍ଷିଣ ଆଫ୍ରିକୀୟ ଚିତାଙ୍କ ଲାଗି ୧୦ଟି କ୍ୱାରେଣ୍ଟାଇନ ବାଡ ତିଆରି କରିଥିବା କହିଛନ୍ତି । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଏହି ଚିତା ବାଘମାନେ କେଏନପିରେ ନାମିବ୍ୟା ଚିତାଙ୍କ ସହ ରହିବେ ବୋଲି ଜଣାପଡିଛି । ଏହି ଚିତାଙ୍କୁ ଆଣିବା ଲାଗି ଗତମାସରେ ଦକ୍ଷିଣ ଆଫ୍ରିକା ସହିତ ଭାରତର ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରତି ଚିତା ଲାଗି ଭାରତ ସରକାର ୩ ହଜାର ଆମେରିକୀୟ ଡଲାର ପୈଠ କରୁଥିବା କହିଛନ୍ତି । ଏହି ବାଘମାନଙ୍କୁ ଗତବର୍ଷ ବିମାନ ଯୋଗେ ଆଣିବା ଲାଗି ଭାରତ ସରକାର ଯୋଜନା କରିଥିଲେ । ତେବେ ଉଭୟ ଦେଶଙ୍କ ମଧ୍ୟରେ ଔପଚାରିକ ଟ୍ରାନ୍ସ ଲୋକେସନ ବୁଝାମଣାରେ ସ୍ୱାକ୍ଷର ବିଳମ୍ବ ହେବା ଯୋଗୁ ଚିତାମାନଙ୍କୁ ଆଣିବାରେ ବିଳମ୍ବ ହୋଇଛି । ତେବେ ଚିତାଙ୍କୁ ଆଣିବାରେ ବିଳମ୍ବ ହେବା ଯୋଗୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାରେ ପଡିଥିଲେ । କାରଣ ଯେଉଁ ଚିତା ଭାରତ ଆସିବାର ଥିଲା ସେମାନେ ୧୫ ଜୁଲାଇ ୨୦୨୨ରୁ କ୍ୱାରେଣ୍ଟାଇନରେ ଥିଲେ । ଚିତାମାନେ ଦୀର୍ଘ ସମୟ ଧରି କ୍ୱାରେଣ୍ଟାଇନରେ ରହିବା ଯୋଗୁ ସେମାନେ ଫିଟନେସ୍‌ ହରାଇପାରନ୍ତି ବୋଲି ବିଶେଷଜ୍ଞମାନେ କହିଥିଲେ ।

Leave A Reply

Your email address will not be published.