ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ, ଦଳର ସମ୍ମାନ ରଖିଲେ ଅକ୍ଷର ଓ ଅଶ୍ୱିନ

0 87

ନୂଆଦିଲ୍ଲୀ, ୧୮ା୨: ବଡ଼ ବିପର୍ଯ୍ୟୟରୁ ଭାରତକୁ କିଛି ମାତ୍ରାରେ ବଞ୍ଚାଇ ଦେଇଛନ୍ତି ଦୁଇ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ । ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ·ଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଠିକଣା ସମୟରେ ଦଳକୁ ସମ୍ଭାଳିଛନ୍ତି ଅକ୍ଷର ଓ ଅଶ୍ୱିନ । ଉଭୟ ୮ମ ୱିକେଟ ପାଇଁ ୧୧୪ ରନର ଦମଦାର ଭାଗିଦାରୀ କରି ଅଷ୍ଟ୍ରେଲିଆକୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି । ଅକ୍ଷର ୭୪ ରନର ଇନିଂସ ଖେଳିଥିବା ବେଳେ ଅଶ୍ୱିନ ୩୭ ରନ କରିବାକୁ ସକ୍ଷମ ହୋଇଛନ୍ତି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ତା’ର ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୨୬୩ ରନ କରିଥିଲା । ଭାରତ ଏକଦା ୧୩୯ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ଅକ୍ଷର ଓ ଅଶ୍ୱିନ ସ୍ଥିତି ସମ୍ଭାଳିଥିଲେ । ଉଭୟ ଦଳୀୟ ସ୍କୋରକୁ ୧୩୯ରୁ ନେଇ ୨୫୩ରେ ପହଞ୍ଚାଇଥିଲେ । ତେବେ ଉଭୟ ଆଉଟ ହେବା ପରେ ଭାରତ ୨୬୨ ରନରେ ଅଟକି ଯାଇଛି । ଏଥିସହ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ହାସଲ କରିଛି । ଅଷ୍ଟ୍ରେଲିଆ ପାଇଁ ଅଭିଜ୍ଞ ନାଥନ ଲାୟନ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଡେବ୍ୟୁଟାଣ୍ଟ ମାଥ୍ୟୁ କୁହନେମାନ ୨ଟି, ଟଡ୍‌ ମର୍ଫୀ ୨ଟି ଓ ଅଧିନାୟକ କମିନ୍ସ ଗୋଟିଏ ସଫଳତା ପାଇଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା କୌଣସି ୱିକେଟ ହରାଇ ୨୧ ରନ କରିଥିଲା । ଆଜି ଦୁଇ ଅପରାଜିତ ବ୍ୟାଟର ରୋହିତ ଶର୍ମା ଓ କେଏଲ ରାହୁଲ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ । ତେବେ ଦଳୀୟ ସ୍କୋର ୪୬ ଥିବା ବେଳେ କେଏଲ ରାହୁଲ(୧୭)ଙ୍କୁ ଆଉଟ କରି ଲାୟନ ଭାରତକୁ ପ୍ରଥମ ଝଟକା ଦେଇଥିଲେ । ରୋହିତ ଶର୍ମା ଭଲ ଲୟରେ ଥିଲେ ହେଁ କେବଳ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ । ନିଜର ୧୦୦ ତମ ଟେଷ୍ଟ ଖେଳୁଥିବା ଚେତେଶ୍ୱର ପୂଜାରା ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ । ଶ୍ରେୟସ ଆୟର ମଧ୍ୟ କେବଳ ୪ ରନ କରିଥିଲେ । ଲଞ୍ଚ ପୂର୍ବରୁ ଭାରତର ଏହି ୪ ଟପ ଅର୍ଡର ବ୍ୟାଟରଙ୍କୁ ଆଉଟ କରି ଲାୟନ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ୬୬ ରନରେ ୪ ୱିକେଟ ହରାଇଥିବା ଭାରତକୁ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା କିଛି ସମୟ ପାଇଁ ସମ୍ଭାଳିଥିଲେ । ଉଭୟ ଦଳୀୟ ସ୍କୋରକୁ ୧୨୫ରେ ମଧ୍ୟ ପହଞ୍ଚାଇଥିଲେ । ହେଲେ ମର୍ଫୀ ୨୬ ରନ କରିଥିବା ଜାଡେଜାଙ୍କୁ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ । ଇନିଂସର ୫୦ତମ ଓଭରରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଥିଲା । ୪୪ ରନ କରି ଖେଳୁଥିବା ବିରାଟଙ୍କୁ କୁହନେମାନ ଆଉଟ କରି ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ । କେଏସ୍‌ ଭରତଙ୍କ ଠାରୁ ଦଳ ବହୁତ କିଛି ଆଶା ରଖିଥିଲା । ତେବେ ସେ ବଡ଼ ଶଟ ଖେଳିବା ଲୋଭରେ ୬ ରନ କରି ଆଉଟ ହୋଇଥିଲେ । ତାଙ୍କୁ ଆଉଟ କରି ଲାୟନ ଇନିଂସରେ ୫ମ ସଫଳତା ହାସଲ କରିଥିଲେ । ୧୩୯ରେ ୬ ୱିକେଟ ହରାଇଥିବାରୁ ଲାଗୁଥିଲା ଟିମ ଇଣ୍ଡିଆ ୨୦୦ ରନ ମଧ୍ୟ କରିପାରିବ ନାହିଁ । ହେଲେ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ଅକ୍ଷର ପଟେଲ ହାର ମାନି ନଥିଲେ । ତାଙ୍କ ସହ ଅଶ୍ୱିନ ମଧ୍ୟ ଅଷ୍ଟ୍ରେଲିଆର ବୋଲରଙ୍କ କଡ଼ା ମୁକାବିଲା କରିଥିଲେ । ଉଭୟ ୮ମ ୱିକେଟ ପାଇଁ ୧୧୪ ରନର ଭାଗିଦାରୀ କରିବା ସହ ଦଳକୁ ବଡ଼ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଏଥିସହ ଅକ୍ଷର କ୍ରମାଗତ ଦ୍ୱିତୀୟ ଥର ଟେଷ୍ଟ ମ୍ୟାଚରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର ୨୫୩ ଥିବା ବେଳେ ଅଶ୍ୱିନ(୩୭)ଙ୍କୁ କମିନ୍ସ ଆଉଟ କରିଥିଲେ । ଆଉ ୬ ରନ ପରେ ଅକ୍ଷର ମଧ୍ୟ ଲଢ଼ୁଆ ୭୪ ରନର ଇନିଂସ ଖେଳି ମର୍ଫୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ । ମହମ୍ମଦ ଶାମି ୨ ରନ କରିବାରୁ ଦଳ ୨୬୨ ରନରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଭାରତ ୧ ରନ ପଛରେ ଥିବା ବେଳେ କୁହନେମାନ ୨ ରନ କରିଥିବା ଶାମିଙ୍କୁ କ୍ଲିନବୋଲ୍ଡ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ଦଳର ସମ୍ମାନ ରଖିଲେ ଅକ୍ଷର ଓ ଅଶ୍ୱିନ ।

Leave A Reply

Your email address will not be published.