କଥା ଦେଇ କଥା ରଖିଲେ ନବୀନ, ବର୍ଷକ ଭିତରେ ପଦ୍ମପୁର ଜିଲ୍ଲା

0 70

ଝାରବନ୍ଧ, ୧୯ା୨(ଡିକେ ନ୍ୟୁଜ): ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଡିସେମ୍ବରରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୂରଣ କରେ । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ଉପନିର୍ବାଚନ ବେଳେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରାଯାଉଛି । ବାକି ଥିବା ସବୁ କାମ ସମୟସୀମା ମଧ୍ୟରେ ସରିବ । ପାଇକମାଳର ପିଏଚ୍‌ସି କମ୍ୟୁନିଟି ହେଲ୍‌ଥ ସେଣ୍ଟର ହୋଇଛି । ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ବିକାଶର ଧାରା ବଜାୟ ରହିବ । ପ୍ରତି ପଞ୍ଚାୟତ, ଏନ୍‌ଏସି ଓ ୱାର୍ଡର ବିକାଶ କରାଯିବ । ଚକ୍ରଧର ଡ୍ୟାମ୍‌ କାମ ଆରମ୍ଭ ହୋଇସାରିଛି । ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ଲାଗି ଜମି ଅଧିଗ୍ରହଣ କରାଯାଇଛି । ବିକାଶର ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପନ୍ନ ହେବ । ୧୩୩ କେଭି ସବଷ୍ଟେସନ୍‌ ପାଇଁ ଜମ ଚିହ୍ନଟ ହୋଇସାରିଛି । ଏହି ଅବସରରେ ଝାରବନ୍ଧରେ ୮ କୋଟି ୮୫ ଲକ୍ଷ ୩୮ ହଜାର ଟଙ୍କାର ୧୧ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୯୦ କୋଟି ୨୪ ଲକ୍ଷ ୯୯ ହଜାର ଟଙ୍କାର ୩୩୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ସମବେତ ହୋଇଥିଲେ ହଜାର ହଜାର ଜନତା । ବିକାଶର ବାର୍ତ୍ତାକୁ ନେଇ ହୁଳହୁଳିରେ ଫାଟି ପଡ଼ିଥିଲା ସଭାସ୍ଥଳ । ଜିଲ୍ଲାରେ ବିକାଶର ଧାରା ଅବସରରେ ସମସ୍ତେ ହୋଇଥିଲେ ଏକ ସ୍ୱର । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣୟ ପ୍ରକାଶ ଦାସ କହିଛନ୍ତି ସାରା ଓଡ଼ିଶା ଜାଣେ ମୁଖ୍ୟମନ୍ତ୍ରୀ କଥା କମ୍‌ କାମ ବେଶୀ କରନ୍ତି । ଥରେ ସେ ଯାହା କୁହନ୍ତି ତାହା କରି ଦେଖାନ୍ତି । ପଦ୍ମପୁର ଉପନିର୍ବାଚନ ବେଳେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.