ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା

0 88

ଭୁବନେଶ୍ୱର, ୨୦ା୨(ଡିକେ ନ୍ୟୁଜ):  ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ବଜେଟ ଅଧିବେଶନ । ଚଳିତ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆଉ ଏସବୁ ଭିତରେ ବଜେଟ ଅଧିବେଶନ ପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନିଜେ ଯାଞ୍ଚ କରିଛନ୍ତି ପୋଲିସ ଡିଜି । ବିଧାନସଭାର ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ଅଧିବେଶନ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୨ ଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଓ ୨୦୦ ଜଣ କନଷ୍ଟେବଳ ମୁତୟନ ହେବେ । ତେବେ ବିକ୍ଷୋଭ ଓ ଧାରଣାସ୍ଥଳ ଉପରେ ପୋଲିସର କଡା ନଜର ରହିବ ବୋଲି କହିଛନ୍ତି ପୋଲିସ ଡିଜି । ଅନ୍ୟପଟେ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଆଖପାଖ ଅଞ୍ଚଳରେ ଟ୍ରାଫିକ୍‌ କଟକଣା ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ୨୦୦୩ ଅନୁଯାୟୀ ଏହି କଟକଣା ଲାଗୁ କରାଯିବ । ଦୁଇଟି ପର୍ଯ୍ୟାୟରେ ଏହି କଟକଣା ଲଗାଯିବ । ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏବଂ ୧୦ ମାର୍ଚ୍ଚରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ହାଉସିଂ ବୋର୍ଡ ଛକରୁ ଆସୁଥିବା ଗାଡିଗୁଡିକ କେଶରୀ ଟକିଜ ପାଖ ବାମ ପାର୍ଶ୍ୱରେ ମୋଡ ନେବେ । ସେହିପରି ଏଜି ଛକରୁ ପିଏମ୍‌ଜି ଆଡକୁ ଆସୁଥିବା ଗାଡିଗୁଡିକ ଜୟଦେବ ଭବନ ନିକଟରେ ଡାହାଣ ପାର୍ଶ୍ୱକୁ ମୋଡ ନେଇ ଇନ୍ଦିରାଗାନ୍ଧି ପାର୍କ ଆଡକୁ ଯିବେ । ଲୋୟର ପିଏମ୍‌ଜିରୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ସିଧା ଛଡ଼ା ନଯାଇ ଏହାର ଆଖପାଖ ରାସ୍ତା ଦେଇ ଯିବେ । ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ପାୱାର ହାଉସ୍‌ ଛକକୁ ଡାଇଭର୍ଟ କରାଯାଇଛି । ଯେଉଁ ସବୁ ଗାଡି ରାଜଭବନ ଛକରୁ ଏମ୍‌ଏଲ୍‌ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଛନ୍ତି ସେମାନଙ୍କୁ ଶାସ୍ତ୍ରୀ ନଗର ହୋଇ ଯିବାକୁ ପଡ଼ିବ । ତେବେ ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟ ନିକଟବର୍ତ୍ତୀ ସରକାରୀ ଦପ୍ତରକୁ ପ୍ରବେଶ ପାଇଁ ଅନୁମତି ଥିବା ଯାନଗୁଡ଼ିକ ଉପରେ ଲାଗୁ ହେବ ନାହିଁ ।

Leave A Reply

Your email address will not be published.