ଫେବୃଆରୀରୁ ଅସହ୍ୟ ତାତି, ୩୮ ଡିଗ୍ରୀ ଛୁଇଁଲା ରାଜଧାନୀର ତାପମାତ୍ରା

0 103

ଭୁବନେଶ୍ୱର, ୨୧ା୨(ଡିକେ ନ୍ୟୁଜ): ଫେବୃଆରୀ ମାସରେ ଅସହ୍ୟ ତାତି । ଯେଉଁ ସମୟରେ ଶୀତ ଲାଗିରହିଥାଏ, ସେହି ସମୟରେ ଲୋକ ଖରା ଗରମରେ କଲବଲ ହେବାକୁ ଲାଗିଲେଣି । ପୂରା ଓଡ଼ିଶାରେ ଉଭୟ ଦିନ ଓ ରାତିର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅନେକ ସ୍ଥାନର ତାପମାତ୍ରା ୩୫ ଡିଗ୍ରି ଛୁଇଁଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୮ଡିଗ୍ରୀ ଛୁଇଁ ଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ରେକର୍ଡ ହୋଇଥିବା ତାପମାତ୍ରାକୁ ଦେଖିଲେ ମାର୍ଚ୍ଚ ମାସ ଆରମ୍ଭ ହେବା ପୂର୍ବରୁ ଖରାରେ ଓଡ଼ିଶା କଲବଲ ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଗଲାଣି । ଅନ୍ୟପଟେ ଦେଶରେ ପ୍ରଥମ ଥର ପାଇଁ ଫେବୃଆରୀ ମାସରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି । ମୁମ୍ବାଇରେ ଜାରି ରହିଥିବା ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆଇଏମଡି ପକ୍ଷରୁ ଏହି ସତର୍କତା ଜାରି କରାଯାଇଛି । ସାଧାରଣତଃ ମାର୍ଚ୍ଚ ମାସରୁ ଆଇଏମ୍‌ଡି ପକ୍ଷରୁ ଗ୍ରୀଷ୍ମକାଳୀନ ଆକଳନ ଅର୍ଥାତ ସର୍ବାଧିକ ତାପମାତ୍ରା ସମ୍ପର୍କରେ ସୂଚନା ଜାରି କରାଯାଇଥାଏ । ମୁମ୍ବାଇରେ ବର୍ତ୍ତମାନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି । ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଓ ଦ୍ରୁତ ସହରୀକରଣ ଏଭଳି ସ୍ଥିତି ସୃଷ୍ଟି କରିଥିବାରୁ ଓଡ଼ିଶା ପାଇଁ ମଧ୍ୟ ଚିନ୍ତାର କାରଣ ସାଜିଛି । କାରଣ ରାଜ୍ୟର ବିଭିନ୍ନ ସ୍ଥାନରେ ଫେବୃଆରୀରେ ୩୫ ଡିଗ୍ରୀ ପର୍ଯ୍ୟନ୍ତ ଯାଇଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁଯାଇଛି । ସେପଟେ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବରୁ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଅନ୍ୟପଟେ ଏଥର ଗ୍ରୀଷ୍ମ ଋତୁରେ ଏଲ- ନିନୋ ସକ୍ରିୟ ରହିବ । ସାଧାରଣତଃ ଏଲ-ନିନୋ ବର୍ଷରେ ଗରମ ଅଧିକ ହେଉଥିବା ନଜିର ରହିଥିବାରୁ ୨୦୨୨ ତୁଳନାରେ ୨୦୨୩ ଗ୍ରୀଷ୍ମର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ତେଣୁ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାନୀୟ ଜଳ ବ୍ୟବସ୍ଥା ସୁନିଶ୍ଚିତ ଓ ଅଂଶୁଘାତ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.