ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ମହାଅଧିବେଶନରେ ସୋନିଆଙ୍କ ଇଶାରା

0 77

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସହିତ ନିଜ ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ । ଛତିଶଗଡ଼ କଂଗ୍ରେସ ମହାଅଧିବେଶନରୁ କଂଗ୍ରେସ ନେତା ତଥା ୟୁପିଏ ଚେୟରମ୍ୟାନ ସୋନିଆ ଗାନ୍ଧୀ ଦେଇଛନ୍ତି ଏପରି ଇଶାରା । ଭାରତ ଯୋଡୋ ଯାତ୍ରା ଏକ ଟର୍ଣ୍ଣିଂ ପଏଣ୍ଟ ଆଣିଛି । ଭାରତୀୟମାନେ ସଦଭାବନା, ସହନଶୀଳତା ଓ ସମାନତା ଚାହାଁନ୍ତି ବୋଲି ପ୍ରମାଣିତ କରିଛନ୍ତି । କଂଗ୍ରେସ ପାଇଁ ଏବେ ସବୁଠାରୁ ଚ୍ୟାଲେଞ୍ଜର ସମୟ ଆସିଛି । ବିଜେପି ଓ ଆରଏସଏସ ଯେଭଳି ଭାବେ ଦେଶର ବଡ଼ ବଡ଼ ଅନୁଷ୍ଠାନ ଓ ସଂଖ୍ୟାଲଘୁଙ୍କ ଅଧିକାରକୁ ସଂକୁଚିତ କରି ଚାଲିଛନ୍ତି ତାହା ଦେଶ ପାଇଁ ବିପଜ୍ଜନକ ।ଏହା ସହ କିଛି ପୁ଼ଞ୍ଜିପତିଙ୍କ ସ୍ବାର୍ଥ ପାଇଁ ଦେଶର ଅର୍ଥନୀତିକୁ ବଳି ଦିଆଯାଉଛି । ୨୦୦୪ ଓ ୨୦୦୯ ନିର୍ବାଚନ ବିଜୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବ ତାଙ୍କୁ ସନ୍ତୁଷ୍ଟ କରିଛି ବୋଲି କହିଛନ୍ତି ସୋନିଆ । ଶକ୍ତିଶାଳୀ କର୍ମୀ ହିଁ ଦଳର ଶକ୍ତି । କଂଗ୍ରେସ କେବଳ ଏକ ରାଜନୈତିକ ପାର୍ଟି ନୁହେଁ, ଏଥିରେ ଗଣତନ୍ତ୍ର ମଧ୍ୟ ରହିଛି । ବିଜେପି ଦେଶରେ ଘୃଣାର ନିଆଁ ଜାଳୁଛି । ବିଜେପି ଟାର୍ଗେଟରେ ସଂଖ୍ୟାଲଘୁ, ମହିଳା, ଦଳିତ ଏବଂ ଆଦିବାସୀ ସମାଜ । ଦିଲ୍ଲୀରେ ଶାସନ କରୁଥିବା ନେତାଙ୍କ ଡିଏନଏରେ ଆତ୍ମଗରିବୀ ମାନସିକତା ଭରି ରହିଛି । ବିଜେପିକୁ ମାତ ଦେବାକୁ ହେଲେ ଲୋକଙ୍କୁ ବୁଝାଇବାକୁ ହେବ । ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ହଜାର ହଜାର ସମର୍ଥକ ଯୋଡି ହୋଇ ପ୍ରମାଣିତ କରିଛନ୍ତି ଯେ, ଏବେ ବି ସେମାନଙ୍କ ହୃଦୟରେ କଂଗ୍ରେସ ଅଛି । ମହାଧିବେଶନକୁ ରୋକିବା ପାଇଁ ବିଜେପି ଇଡି ରେଡ କରିଥିଲା । କଂଗ୍ରେସ ଲଢିବ, ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ । କାରଣ କଂଗ୍ରେସ ସମ୍ବିଧାନ ଓ ଗଣତନ୍ତ୍ରକୁ ଅନୁସରଣ କରେ ବୋଲି କହିଛନ୍ତି ସୋନିଆ ।ସେହିପରି ଅଧିବେଶନରେ ଅଭିଭାଷଣ ଦେଇ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସମଭାବାପନ୍ନ ଦଳ ପାଖରେ ପହଞ୍ଚି ୟୁପିଏ ପରି ଏକ ମେଣ୍ଟ ଗଠନ କରିବାର ସମୟ ଆସିଛି । ବିଜେପି ଦେଶର ଗଣତନ୍ତ୍ରକୁ ବିପଦରେ ପକାଇବାକୁ ବସିଥିବାବେଳେ କଂଗ୍ରେସ ଭରତକୁ ଏକ କରିବାକୁ ଉଦ୍ୟମ କରୁଛି ।

Leave A Reply

Your email address will not be published.