ସରିଲା ପ୍ରଥମ ପର୍ଯ୍ୟାୟ ଅଧିବେଶନ, ଆସନ୍ତା ୧୦ ଯାଏ ଗୃହ ମୁଲତବୀ

0 72

ଭୁବନେଶ୍ୱର : ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଶେଷ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ୧୦ତାରିଖ ପୂର୍ବାହ୍ନ ସାଢେ଼ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ବିଧାନସଭାର ବଜେଟ୍‌ ଅଧିବେଶନ ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହୋଇଥିଲା । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ବିଧାୟକମାନେ ପୋଲିସର ଗୁଣ୍ଡାଗର୍ଦ୍ଦି ବିରୁଦ୍ଧରେ ପ୍ରତିବାଦ ଜଣାଇ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଥିଲେ । ଏପରିକି ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ କାର୍ଯ୍ୟକୁ ସ୍ୱାଭାବିକ ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରିନଥିଲା । ଗୃହ ପୂର୍ବାହ୍ନ ୧୦ଟା ୩୩ରୁ ସାଢେ଼ ୧୧ଟା, ୧୧.୩୧ଟାରୁ ୧୧.୪୬ ଓ ୧୧ଟା ୪୬ରୁ ୧୧ଟା ୫୧ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଜେପି ବିଧାୟକମାନେ ବ୍ୟାନର ଧରି ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ । ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ବଜେଟର ସାଧାରଣ ଆଲୋଚନା ଉପରେ ଉତ୍ତର ରଖିଥିଲେ । ପରେ ବାଚସ୍ପତି ଗୃହକୁ ୧୦ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ, ଚ।ଷୀ ଆତ୍ମହତ୍ୟା, ଆବାସ ଯୋଜନାରେ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ସହ ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ମଧ୍ୟ ଉପସ୍ଥାପିତ ହୋଇଛି । ନବ ଦାସ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ଉକ୍ତ ତଦନ୍ତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଥିଲେ । ଏପରିକି ଏହି ତଦନ୍ତ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଜବାବ ରଖିଥିଲେ ମଧ୍ୟ ଆଜି ପୁଣି ଉକ୍ତ ପ୍ରସଙ୍ଗକୁ ନେଇ ଗୃହରେ ଉଷ୍ମତା ଦେଖାଯାଇଥିଲା ।

Leave A Reply

Your email address will not be published.