ଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ

0 107

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବା ପରେ ଶ୍ରୀ ଜେନା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ଜେନାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ସେ ଆଶିଷ ଭିକ୍ଷା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବା ପୂର୍ବରୁ ପ୍ରଭୁଙ୍କୁ ଆଶୀର୍ବାଦ ଆବଶ୍ୟକ ବୋଲି ସେ କହିଛନ୍ତି । ଏଥିସହିତ ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟକୁ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଏବଂ ସହରକୁ ବିଶେଷ ଧ୍ୟାନ ଦିଆଯାଇ ବିକାଶ କରାଇବା ସହ ବିଶ୍ୱରେ ନୂଆ ପରିଚୟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି । ଶ୍ରୀମନ୍ଦିର ଓ ସହର ପାଇଁ ଚାଲିଥିବା ବିଭିନ୍ନ ଯୋଜନାକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ସବୁ କାର୍ଯ୍ୟକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ଜେନା କହିଛନ୍ତି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟକୁ ଦୃଢ଼ କରିବା ଉପରେ ସେ ଜୋର ଦେଇଛନ୍ତି । ରାଜ୍ୟ ପ୍ରଶାସନରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି କାମ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି । ସେହିପରି ରାଜ୍ୟ ପ୍ରଶାସନର ଦ୍ୱିତୀୟ ମୁଖ୍ୟ ଭାବେ ଉନ୍ନୟନ କମିଶନର ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁ ଗର୍ଗ ।

Leave A Reply

Your email address will not be published.