ଗଡ଼ିଲା ଶକ୍ତି ସାଇକେଲ, ମା’ଙ୍କ ଭାଗିଦାରୀ ମିଶନ ଶକ୍ତିକୁ କରିଛି ସଫଳ କାର୍ଯ୍ୟକ୍ଷମ

0 97

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନ ଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଭାଗିଦାରୀ ମିଶନ ଶକ୍ତିକୁ ଏକ ସଫଳ କାର୍ଯ୍ୟକ୍ରମ କରିଛି । ସେ କହିଥିଲେ ଯେ ସେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି ଏବଂ ମିଶନଶକ୍ତି ମା’ମାନଙ୍କୁ ଭେଟୁଛନ୍ତି । ସେମାନେ ମଧ୍ୟ ନବୀନ ନିବାସ ଆସି ତାଙ୍କୁ ଭେଟୁଛନ୍ତି । ମା’ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଉଛି ବୋଲି ସେ କହିଥିଲେ । ଆପଣମାନଙ୍କ ଆତ୍ମବିଶ୍ୱାସ, ଆପଣମାନଙ୍କ ଉତ୍ସାହ ମିଶନ ଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି ବୋଲି ମୁଖ୍ୟମନ୍ତ୍ରୀ
କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଭିନ୍ନ ସହରରେ ମିଶନ ଶକ୍ତିର ମା’ମାନେ କମ୍ୟୁନିଟି ପାର୍ଟିସିପେସନ କାର୍ଯ୍ୟକ୍ରମରେ ଅନେକ ଦାୟିତ୍ୱ ହାତକୁ ନେଇଛନ୍ତି । ଆହାର, କଠିନ ବର୍ଜ୍ୟବସ୍ତୁ ପରି·ଳନା, ପରିମଳ, ଜଳସାଥି, ସ୍ୱଚ୍ଛସାଥି ଆଦି ଅନେକ କାମ କରୁଛନ୍ତି । ଆପଣମାନଙ୍କ କାମରେ ସମସ୍ତେ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଯେପରି ସୁବିଧାରେ ନିଜ ନିଜର ଦାୟିତ୍ୱ ପାଳନ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଆପଣମାନଙ୍କୁ ସାଇକେଲ ଦେଉଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ମା’ମାନଙ୍କୁ ୧୦୦ କୋଟି ଟଙ୍କାର ପ୍ରୋତ୍ସାହନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଓଡିଶାର ମିଶନ ଶକ୍ତି କମ୍ୟୁନିଟି ପାର୍ଟିସିପେସନ କ୍ଷେତ୍ରରେ ସାରା ବିଶ୍ୱରେ ସୁନାମ କରିଛି ଓ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ସମସ୍ତେ ମିଳିମିଶି ଭଲ କାମ କରି ଓଡିଶା ମା’ର ସୁନାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଥିଲେ ଯେ ମିଶନ ଶକ୍ତି ମା’ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡିଶା ଗଠନକୁ ସାକାର କରିବା ପାଇଁ ବହୁତ ଭଲ କାମ କରୁଛନ୍ତି । ସାଇକେଲ ପାଇବା ଦ୍ୱାରା କର୍ମ କ୍ଷେତ୍ରରେ ସେମାନଙ୍କୁ ବହୁ ସୁବିଧା ଓ ସ୍ୱାଧୀନତା ମିଳିପାରିବ । ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ଗୋଷ୍ଠୀଗତ ବିକାଶର ଏକ ଅନୁପମ ବାର୍ତ୍ତାବହ ହେଉଛି ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଏହା ଆଜି ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିଛି । କାର୍ଯ୍ୟକ୍ରମରେ ଦୁଇଜଣ ମିଶନ ଶକ୍ତି ମା’ ପଦ୍ମାବତୀ ଦାସ (ଆହାର କର୍ମୀ) ଓ ସୀତା ମୁର୍ମୁ (ସ୍ୱଚ୍ଛକର୍ମୀ) ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ସେମାନେ ଆଜି ସ୍ୱାବଲମ୍ବୀ ହେବା ସହିତ ନିଜ ନିଜ ପରିବାରର ଛୋଟ ଛୋଟ ଅସୁବିଧା ମଧ୍ୟ ଦୂର କରିପାରୁଛନ୍ତି । ସାଇକେଲ ଦ୍ୱାରା ସେମାନଙ୍କ ସମୟ ବଞ୍ଚିବା ସହିତ କାର୍ଯ୍ୟଦକ୍ଷତା ବଢିବ ବୋଲି ସେମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାତନନ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ବିଏମସି ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.