‘ଡୁମାଣୀ ଖବର’ର ଚତୁର୍ଥ ସ୍ୱନକ୍ଷତ୍ର ସମାରୋହ, ପାଠକ ଗଣମାଧ୍ୟମର ବଳ

0 81

ଭୁବନେଶ୍ୱର : ଦୈନିକ ଓଡ଼ିଆ ଖବରକାଗଜ ‘ଡୁମାଣୀ ଖବର’ର ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବି ଦାସ, ବରିଷ୍ଠ ସାମ୍ବାଦିକ ତଥା ‘ଡୁମାଣୀ ଖବର’ର କାର୍ଯ୍ୟନିର୍ବାହୀ ସମ୍ପାଦକ ଭାସ୍କର ପରିଚ୍ଛା, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ଭୁବନେଶ୍ୱର ୩୫ ନଂ ୱାର୍ଡର କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସାମ୍ବାଦିକମାନେ ବହୁ କଷ୍ଟ ସ୍ୱୀକାର କରି ପ୍ରତିକୂଳ ପରିବେଶରେ ଯେଭଳି ସମ୍ବାଦ ସଂଗ୍ରହ କରୁଛନ୍ତି ତାହା ବାସ୍ତବିକ୍‌ ଆଶ୍ଚର୍ଯ୍ୟର ଘଟଣା । କାହାକୁ ନ ଡରି ସମାଜର ମଙ୍ଗଳ ପାଇଁ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ ।

ଆଜି ଯେଉଁ ଅବସ୍ଥାରେ ଗଣତନ୍ତ୍ର ପହଞ୍ôଚଛି ତାକୁ କେବଳ ଗଣମାଧ୍ୟମ ହିଁ ବଞ୍ଚାଇ ପାରିବ ବୋଲି ଶ୍ରୀ ରାଉତରାୟ କହିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବି ଦାସ ଯୋଗଦେଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ପାଠକ ହେଉଛନ୍ତି ଗଣମାଧ୍ୟମର ଶକ୍ତି । ଏହି ଶକ୍ତି ଯେତିକି ବଢ଼ିବ ଗଣମାଧ୍ୟମ ତଥା ଏହାର ପରିଚାଳକମାନେ ସେତିକି ବଳ ପାଇପାରିବେ । କିନ୍ତୁ ଏବେ ଯାହା ଦେଖାଯାଉଛି ଏକ ଗଣମାଧ୍ୟମ ସଂସ୍ଥା ଚଳାଇବା କେତେ ଯେ କଷ୍ଟକର ତାହା ଅବର୍ଣ୍ଣନୀୟ । ପ୍ରାରମ୍ଭିକ ଅବସ୍ଥାରେ ପାଠକ ତଥା ଗ୍ରାହକଙ୍କ ପଇସାରେ ଖବରକାଗଜ ସଂସ୍ଥା ଚାଲୁଥିଲା । କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ସରକାର କିମ୍ବା ଘରୋଇ ସଂସ୍ଥା ବିଜ୍ଞାପନ ନ ଦେଲେ ଗଣମାଧ୍ୟମ ସଂସ୍ଥା ଚଳାଇବା ବହୁତ କଷ୍ଟକର । ତେଣୁ ଯେଉଁ ଖବରକାଗଜ ସଂସ୍ଥାକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ବିଜ୍ଞାପନ ନଦେବେ ସେହିସବୁ ସଂସ୍ଥା ଚାଲିବା ବହୁତ କଷ୍ଟକର ବୋଲି ଶ୍ରୀ ଦାସ ତାଙ୍କ ଅଭିଭାଷଣରେ କହିଥିଲେ ।

ଏଥିସହିତ ସେ କହିଥିଲେ ଯେ, କରୋନା ସମୟରେ ଅନେକ ଖବରକାଗଜ ବନ୍ଦ ହୋଇଥିବା ବେଳେ ସେହି ସମୟରେ ‘ଡୁମାଣୀ ଖବର’ର ଆବିର୍ଭାବ ହେବା ବାସ୍ତବିକ୍‌ ଆଶ୍ଚର୍ଯ୍ୟର ଘଟଣା । ଦୀର୍ଘ ଚାରିବର୍ଷ ଧରି ଏହି ଖବରକାଗଜକୁ ଚଳାଇ ରଖିବା ଏକ ସାହସିକ ପଦକ୍ଷେପ । ଓଡ଼ିଆ ବ୍ୟତୀତ ଇଂରାଜୀ ଖବରକାଗଜ ‘ଡୁମାଣୀ ମେଲ୍‌’ ଓ ‘ଡୁମାଣୀ ଟିଭି’ କରି ତାକୁ ଚଳାଇବା କେତେ ଯେ କଷ୍ଟକର ତାହାକୁ ଜଣେ ଅନୁଭବୀ ହିଁ ଜାଣିପାରିବ । ‘ଡୁମାଣୀ ଖବର’ର ପ୍ରତିଷ୍ଠାତା ତଥା ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକଙ୍କ ଉଦ୍ୟମକୁ ଶ୍ରୀ ଦାସ ପ୍ରଶଂସା କରିଥିଲେ । ଏହାପରେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ‘ଡୁମାଣୀ ଖବର’ର କାର୍ଯ୍ୟନିର୍ବାହୀ ସମ୍ପାଦକ ଭାସ୍କର ପରିଚ୍ଛା ଯୋଗଦେଇ କହିଥିଲେ ଯେ, ସାମ୍ବାଦିକଙ୍କୁ ଆମେ ସମସ୍ତେ ସମ୍ମାନ ଦେଇଥାଉ । ମଣିଷ ଯେପରି ରୁଚି ବଦଳାଏ, ସେହିପରି ଗଣମାଧ୍ୟମ ମଧ୍ୟ ତାର ରୁଚି ବଦଳାଇ ଚାଲିଛି । ପ୍ରଥମେ ଲୋକଙ୍କ ରୁଚି ଥିଲା ଖବରକାଗଜ । ପରେ ଟିଭି ଆଉ ଏବେ ଆରଟିଫିସିଆଲ ଇଣ୍ଟେଲିଜେନ୍ସ । ଏହିସବୁ ପରିବର୍ତ୍ତନ ସହିତ ଆମକୁ ଖାପ ଖୁଆଇ ଚଳିବାକୁ ପଡ଼ିବ । ଦୈନନ୍ଦିନ ଜୀବନରେ ଟେକ୍ନୋଲୋଜିର ଜୋରଦାର ପ୍ରଭାବ ରହିଛି । ବିଭିନ୍ନ ଟେକ୍ନୋଲୋଜି ଓ ଗଣମାଧ୍ୟମର ପ୍ରବେଶ ସତ୍ତେ୍ୱ ଖବରକାଗଜ କିନ୍ତୁ ତିଷ୍ଠି ରହିଛି ଏବଂ ଆଗକୁ ନିଶ୍ଚିତ ତିଷ୍ଠି ରହିବ ବୋଲି କହିଥିଲେ ।

ଆମ ଦେଶ ଭାରତ ହେଉଛି ବିଶ୍ୱର ସବୁଠାରୁ ସର୍ବାଧିକ ଖବରକାଗଜ ପ୍ରକାଶ କରୁଥିବା ଦେଶ । ଆମ ଦେଶରେ ଯେତିକି ଖବରକାଗଜ ବାହାରୁଛି ଅନ୍ୟ କୌଣସି ଦେଶରେ ସେତିକି ପ୍ରକାଶ ପାଏନାହିଁ । ତେଣୁ ଦୁନିଆରେ ଯେ ପର୍ଯ୍ୟନ୍ତ ‘ଅକ୍ଷର’ ରହିଛି ସେତେଦିନ ଯାଏ  ଖବରକାଗଜ ତିଷ୍ଠି ରହିବ ବୋଲି ଶ୍ରୀ ପରିଚ୍ଛା ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ, ମନ୍ତ୍ରୀ ତଥା ଯୋଜନା ବୋର୍ଡର ସଦସ୍ୟ ତଥା ସୁସାହିତ୍ୟିକ ଓ କବି ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ କହିଥିଲେ ଯେ, ପ୍ରିଣ୍ଟ ମିଡିଆର ମହତ୍ୱ ଏବଂ ପ୍ରଭାବ ସବୁବେଳେ ରହିଆସିଛି ଏବଂ ରହିବ ମଧ୍ୟ । ଅତୀତରେ ‘ଉକ୍ରଳ ଦୀପିକା’, ସମ୍ବଲପୁରର ‘ହିତୈଷିଣୀ’ ଓ ‘ଆଶା’ ଆଦି ଖବରକାଗଜ କିଭଳି ଓଡ଼ିଶାର ଜନସାଧାରଣଙ୍କ ସମସ୍ୟାକୁ ଉପସ୍ଥାପନ କରୁଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସଠିକ୍‌, ନିର୍ଭୂଲ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ସେ ଗୁରୁତ୍ୱ ଦେବା ସହ ସାମ୍ବାଦିକଙ୍କ ଜୀବନ କେତେ ଯେ କଷ୍ଟକର ସେ ସମ୍ପର୍କରେ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଯୋଗଦେଇ କହିଥିଲେ ଯେ, ସାମ୍ବାଦିକ ଏକ ଭଲ ବୃତ୍ତି । କିନ୍ତୁ ଏଥିପାଇଁ ସବୁକ୍ଷେତ୍ରରେ ଜ୍ଞାନ ଆହରଣର ଆବଶ୍ୟକତା ରହିଛି । ସେ ସମ୍ବାଦପତ୍ରକୁ ଏକ ଥାଳି ସହିତ ତୁଳନା କରିବା ସହ ଜଣେ ସାମ୍ବାଦିକ କିଭଳି ଏହାକୁ ପରଷେ ତାହା ଉପରେ ତାହାର ଦକ୍ଷତା ଓ ମାନ ପ୍ରତିପାଦିତ ହୋଇଥାଏ । ‘ଡୁମାଣୀ ଖବର’ ସଠିକ୍‌ ଓ ନିର୍ଭୂଲ ସମ୍ବାଦ ପ୍ରକାଶ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି । ଏହି ସଂସ୍ଥାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଶ୍ରୀ ସାହୁ ।

ସେହିପରି ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଥିଲେ ଯେ, ‘ଡୁମାଣୀ ଖବର’ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିବା ସହିତ ଓଡ଼ିଆ ବ୍ୟତୀତ ଇଂରାଜୀ ଏବଂ ଟିଭି ଚ୍ୟାନେଲ କରିପାରିଛି । ଶ୍ରୀ ଜେନା ‘ଡୁମାଣୀ ମିଡିଆ’ ହାଉସର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଆଗାମୀ ୧୦ବର୍ଷ ମଧ୍ୟରେ ଏଗୁଡ଼ିକ ପ୍ରମୁଖ ଗଣମାଧ୍ୟମ ଭାବରେ ଠିଆ ହେବ ବୋଲି ଆଶାପ୍ରକାଶ କରିଥିଲେ । ଶେଷରେ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ‘ଡୁମାଣୀ ଖବର’ର ଅଭିବୃଦ୍ଧି ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । ନିରପେକ୍ଷ ଖବର ପରିବେଷଣ ଉପରେ ‘ଡୁମାଣୀ ଖବର’ ବିଶ୍ୱାସ କରେ । ଖୁବ୍‌ କମ୍‌ ଦିନ ମଧ୍ୟରେ ଆମେ ପାଠକଙ୍କ ଆସ୍ଥାଭାଜନ ହୋଇପାରିଛୁ । ରାଜ୍ୟର କୋଣ ଅନୁକୋଣରେ ଘଟୁଥିବା ବିଭିନ୍ନ ଘଟଣା ଏବଂ ସମସ୍ୟାକୁ ଆମ ଖବରକାଗଜ ମାଧ୍ୟମରେ ଲୋକଙ୍କ ସ୍ୱର ହୋଇ ପହଞ୍ଚାଉଛୁ ଏବଂ ଆଗକୁ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି କହିଥିଲେ ।

ଏହାପରେ ‘ଡୁମାଣୀ ଖବର’ର ବାର୍ତ୍ତା ସମ୍ପାଦକ ନବକିଶୋର ରାଉତରାୟ, ବ୍ୟୁରୋ ଚିଫ୍‌ ଚନ୍ଦ୍ରଶେଖର ପତି, ପାରାଦୀପ ପ୍ରତିନିଧି ଶଶାଙ୍କ ଶେଖର ଆଚାର୍ଯ୍ୟ, ଖୋର୍ଦ୍ଧା ପ୍ରତିନିଧି ଦିଲ୍ଲୀପ କୁମାର ପଟ୍ଟନାୟକ, ଯୋଡ଼ା ପ୍ରତିନିଧି ପବିତ୍ର ଦାସ, ନବରଙ୍ଗପୁର ପ୍ରତିନିଧି ଅନୀଲ ପ୍ରଭାତ ଭତ୍ରା, ରାୟଗଡ଼ା ଜିଲ୍ଲା ପ୍ରତିନିଧି ଗୌରୀଶଙ୍କର ପଟ୍ଟନାୟକ, ପାରଳାଖେମୁଣ୍ଡି ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା, ନନ୍ଦାହାଣ୍ଡି ପ୍ରତିନିଧି ବିଷ୍ଣୁ ପ୍ରସାଦ ବିଶୋୟୀ, ନୂଆପଡ଼ା ପ୍ରତିନିଧି ଦୀପକ କୁମାର ମିଶ୍ର, ଓଡ଼ଗାଁ ପ୍ରତିନିଧି ଅର୍ଜୁନ ସାହୁ, କେବିକେ ଜିଲ୍ଲାର ଜୋନାଲ ହେଡ୍‌ ନରେନ୍ଦ୍ର ପ୍ରସାଦ ନେଗୀ, କୁନା କୁମାର ଜେନା, କଟକ ସଦର ବ୍ଲକ୍‌ ଚେୟାରମ୍ୟାନ୍‌ ଅମ୍ବିକା ପାତ୍ର, ଆଶ୍ୱସ୍ତି ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ସମାଜସେବୀ ବିଜୟଲକ୍ଷ୍ମୀ ମହାପାତ୍ର, ଦି ଲିଙ୍କ ଆଇ ହସ୍ପିଟାଲର ସିଇଓ ଆଲୋକ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ‘ଡୁମାଣୀ ଖବର’ର ସ୍ୱନକ୍ଷତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିବା ବେଳେ ଶେଷରେ ‘ଡୁମାଣୀ ଖବର’ ପରିଚାଳକ ପଦ୍ମଲୋଚନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.