ପର୍ଯ୍ୟଟନ ବିକାଶ ପାଇଁ ଅତ୍ୟାଧୁନିକ ଓ ଦୀର୍ଘମିଆଦି ଯୋଜନା ଆବଶ୍ୟକ: ମୋଦୀ

0 88

ନୂଆଦିଲ୍ଲୀ : ଦେଶରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅତ୍ୟାଧୁନିକ ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଭାରତର ପର୍ଯ୍ୟଟନ କ୍ଷମତା ସଂକ୍ରାନ୍ତ ବଜେଟ୍‌ ପରବର୍ତ୍ତୀ ଜାତୀୟ ୱେବିନାରରେ ଉଦ୍‌ବୋଧନ ଦେଇ ଶ୍ରୀ ମୋଦୀ ଏହା କହିଛନ୍ତି । ଭାରତରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସୁଯୋଗ ଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ ଉପକୂଳ, ହିମାଳୟ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ବନ୍ୟଜୀବ, ପରିବେଶ, ଐତିହ୍ୟ, ଆଧ୍ୟାତ୍ମିକ, ବିବାହ ଉତ୍ସବ ଓ କ୍ରୀଡ଼ା ପର୍ଯ୍ୟଟନ ଭଳି ବିଷୟରେ ଅବତାରଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତବର୍ଷର ବଜେଟ୍‌ରେ ଭାରତର ଅନେକ ପର୍ଯ୍ୟଟନ ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି । ପର୍ଯ୍ୟଟନ ସର୍ବଦା ଭାରତର ସାମାଜିକ ଓ ସାଂସ୍କୃତିକ ସଭ୍ୟତା ସହ ଜଡିତ ଥିବାର ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଦେଶରେ ଅଧିକ ସୁବିଧା ବ୍ୟବସ୍ଥା ହୋଇପାରିଲେ ପର୍ଯ୍ୟଟକମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ସେ କହିଛନ୍ତି ପରିବହନ ସୁବିଧା ଥିଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ସେ କହିଛନ୍ତି କାଶୀ ବିଶ୍ୱନାଥ ଧାମ, କେଦାରନାଥ ଧାମ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳୀଗୁଡ଼ିକ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଶ୍ରୀ ମୋଦୀ କହିଛନ୍ତି କାଶୀ ବିଶ୍ୱନାଥ ଧାମର ପୁର୍ନନିର୍ମାଣ ପୂର୍ବରୁ ସେଠାକୁ ବାର୍ଷିକ ୮୦ଲକ୍ଷ ଲୋକ ଯାଉଥିଲେ; କିନ୍ତୁ ବର୍ତ୍ତମାନ ସେଠାକୁ ବାର୍ଷିକ ୭କୋଟିରୁ ଅଧିକ ଲୋକ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ଯ୍ୟଟନର ବିକାଶ ପାଇଁ ମୌଳିକ ସୁବିଧା, ଡିଜିଟାଲ ସଂଯୋଗ ବ୍ୟବସ୍ଥା, ସ୍ୱଚ୍ଛତା ଓ ଉତ୍ତମ ଭିତ୍ତିଭୂମି ମୁଖ୍ୟ ବିଷୟ । ପର୍ଯ୍ୟଟକମାନଙ୍କର ଆଗମନ ସହ ନିଯୁକ୍ତି ସୁଯୋଗ ବୃଦ୍ଧିପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରାମଗୁଡ଼ିକ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହୋଇଥିବା ବିଷୟ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦୂରଦୁରାନ୍ତ ଗ୍ରାମଗୁଡ଼ିକ ବର୍ତ୍ତମାନ ପର୍ଯ୍ୟଟନ ନକ୍ସାରେ ସ୍ଥାନ ପାଇଛି । ସେଗୁଡ଼ିକରେ ଭିତ୍ତିଭୂମିରେ ବିକାଶ ଯୋଗୁଁ ଏହା ସମ୍ଭବ ହୋଇଛି ।

ସେ କହିଛନ୍ତି କେନ୍ଦ୍ର ସରକାର ଗ୍ରାମଗୁଡ଼ିକର ବିକାଶ ପାଇଁ ନ୍ତଭାଇବ୍ରାଣ୍ଟ ଭିଲେଜ୍‌ ସ୍କିମ୍‌’ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ସୀମାନ୍ତ ଇଲାକାର ଗ୍ରାମ ଗୁଡ଼ିକର ବିକାଶ କରାଯାଉଛି । ସେଠାରେ ଛୋଟ ଛୋଟ ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସ୍ଥାପନ କରାଯାଉଛି । ଭାରତକୁ ବିଦେଶୀ ପର୍ଯ୍ୟଟକ ମାନଙ୍କର ଆଗମନ ବୃଦ୍ଧି ପାଉଥିବା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ।

Leave A Reply

Your email address will not be published.