ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

0 85

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ସ୍ୱୀକୃତି ସମ୍ପର୍କିତ ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି । କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରି ସମସ୍ତ ୧୫ଟି ଆବେଦନକୁ ବିରୋଧ କରିଛନ୍ତି । କେନ୍ଦ୍ର କହିଛି, ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦିଆଯାଇପାରିବ ନାହିଁ । ଏହା ଭାରତୀୟ ପରିବାରର ରୀତି ନୀତି ବିରୁଦ୍ଧରେ । ଭାରତୀୟ ପରିବାର ପତି- ପତ୍ନୀ ଓ ସେମାନଙ୍କଠାରୁ ଜନ୍ମିତ ପିଲାମାନଙ୍କୁ ନେଇ ଗଠିତ । ଜୀବନ ସାଥୀ ଭାବେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କୁ ନେଇ ଗଠିତ ଭାରତୀୟ ପରିବାରର ବିରୁଦ୍ଧାଚରଣ କରୁଛି । ଭାରତୀୟ ପରିବାରର ରୀତିନୀତି ଓ ଚଳଣି ସାଧାରଣତଃ ଏକ ପୁରୁଷକୁ ସ୍ୱାମୀ, ମହିଳାକୁ ସ୍ତ୍ରୀ ଭାବେ ବିବେଚନା କରିଥାଏ ଏବଂ ଦୁଇଜଣଙ୍କର ମିଳନରୁ ଶିଶୁ ଜନ୍ମ ହୋଇଥାଏ ।

ପୁରୁଷ ଜନ୍ମିତ ଶିଶୁର ପିତା ଓ ମହିଳା ମାଆ ଭାବେ ଜଣାଯାଇଥାଏ । ନିଜ ୫୬ ପୃଷ୍ଠାର ସତ୍ୟପାଠରେ ସରକାର କହିଛନ୍ତି ଯେ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି । ଏହି ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ମଧ୍ୟ ଖାରଜ କରାଯିବା ଉଚିତ୍‌ । କାରଣ ସେଥିରେ ଶୁଣାଣି କରିବା ଯୋଗ୍ୟ କୌଣସି ତଥ୍ୟ ନାହିଁ । ଯୋଗ୍ୟତା ଆଧାରରେ ମଧ୍ୟ ଏହାକୁ ଖାରଜ କରିବା ଉଚିତ । ଆଇନରେ ଉଲ୍ଲେଖ ନିୟମ ଅନୁଯାୟୀ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦିଆଯାଇପାରିବ ନାହିଁ । କାରଣ ଏଥିରେ ସ୍ୱାମୀ-ସ୍ତ୍ରୀଙ୍କ ସଂଜ୍ଞା ଲିଙ୍ଗଗତ ଭାବେ ସ୍ଥିରୀକୃତ କରାଯାଇଛି । ସେହି ଅନୁଯାୟୀ, ଉଭୟଙ୍କର ଆଇନଗତ ଅଧିକାର ମଧ୍ୟ ଅଛି । ସମଲିଙ୍ଗୀ ବିବାହରେ ବିବାଦ ହେଲେ ସ୍ୱାମୀ-ସ୍ତ୍ରୀଙ୍କୁ କିପରି ପୃଥକ ଭାବରେ ବି·ର କରାଯାଇପାରିବ? ଏହି ମାମଲାରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ ।

Leave A Reply

Your email address will not be published.