ସମଲିଙ୍ଗୀ ବିବାହ ପ୍ରସଙ୍ଗ, ସାମ୍ବିଧାନିକ ବେଞ୍ଚ ନେବେ ନିଷ୍ପତ୍ତି

0 93

ନୂଆଦିଲ୍ଲୀ, ୧୩ା୩: ସମଲିଙ୍ଗୀ ବିବାହ ବିବାଦ ମାମଲାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ କରିବା ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନ ବିଚାରପତି । ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ଚୂଡ଼ାନ୍ତ ଶୁଣାଣି ଏପ୍ରିଲ ୧୮ ତାରିଖରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଷୟରେ କୌଣସି ନିଷ୍ପତ୍ତି ସମାଜ ଉପରେ ବହୁତ ପ୍ରଭାବ ପକାଇବ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି ।

ସୁପ୍ରିମକୋର୍ଟଙ୍କ ୱେବସାଇଟ ଓ ୟୁଟ୍ୟୁବରେ ଏହି ଶୁଣାଣିର ସିଧା ପ୍ରସାରଣ କରାଯିବାକୁ ସର୍ବୋଚ୍ଚ ଅଦଲତଙ୍କୁ ଜଣାଯାଇଥିବା ବେଳେ ସାମ୍ବିଧାନିକ ଖଣ୍ଡପୀଠର ଶୁଣାଣି ସିଧା ପ୍ରସରଣ ହେଉଥିବା ଅଦାଲତ କହିଛନ୍ତି । ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଆଜି କହିଛନ୍ତି, ଏହି ରାୟ ସମାଜ ଉପରେ ବଡ଼ ପ୍ରଭାବ ପକାଇବ । ସମ୍ବିଧାନର ଏ ୧୪୫(୩)କୁ ଦୃଷ୍ଟିରେ ରଖି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଉଠା ଯାଉଥିବା ପ୍ରସଙ୍ଗଗୁଡ଼ିକର ସମାଧାନ କଲେ ଏହା ଉପଯୁକ୍ତ ହେବ ବୋଲି ମତ ରଖିଛନ୍ତି ଖଣ୍ଡପୀଠ ।

ତେଣୁ ଏହାକୁ ସାମ୍ବିଧାନିକ ଖଣ୍ଡପୀଠରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତିନି ଜଣିଆ ଖଣ୍ଡପୀଠ । ପୂର୍ବରୁ କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ ଯେ ସମଲିଙ୍ଗୀ ବିବାହ ଏକ ଭାରତୀୟ ପରିବାର ଏକକର ଧାରଣା ସହିତ ସୁସଙ୍ଗତ ନୁହେଁ, ଯେଉଁଥିରେ ସ୍ୱାମୀ, ପତ୍ନୀ ଏବଂ ସନ୍ତାନ ଅଛନ୍ତି । ଯେଉଁଥିରେ ଜଣେ ଜୈବିକ ପୁରୁଷଙ୍କୁ “ସ୍ୱାମୀ’, ଜଣେ ଜୈବିକ ମହିଳାଙ୍କୁ “ପତ୍ନୀ’ ଭାବରେ ଏବଂ ଦୁଇ ଜଣଙ୍କ ମଧ୍ୟରେ ମିଳନରୁ ଜନ୍ମ ହୋଇଥିବା ସନ୍ତାନ- ଯେଉଁମାନଙ୍କୁ ଜୈବିକ ପୁରୁଷ ପିତା ଏବଂ ଜୈବିକ ମହିଳା ମାତାଙ୍କ ଦ୍ୱାରା ଲାଳନ ପାଳନ କରାଯାଏ ।

ସରକାର କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୭୭କୁ ଅପରାଧମୁକ୍ତ କରିବା ସତ୍ତେ୍ୱ ଆବେଦନକାରୀମାନେ ସମଲିଙ୍ଗୀ ବିବାହକୁ ଦେଶର ଆଇନ ଅନୁଯାୟୀ ସ୍ୱୀକୃତି ଦେବା ପାଇଁ ମୌଳିକ ଅଧିକାର ଭାବେ ଦାବି କରିପାରିବେ ନାହିଁ । ସାଥୀ ଭାବରେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ଦ୍ୱାରା ଯୌନ ସମ୍ପର୍କ ରଖିବା (ଯାହା ବର୍ତ୍ତମାନ ଅପରାଧମୁକ୍ତ ହୋଇଛି) ଭାରତୀୟ ପରିବାର ୟୁନିଟ୍‌ ଧାରଣା ସହିତ ତୁଳନୀୟ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଗତ କିଛି ମାସ ମଧ୍ୟରେ ବହୁ ସମଲିଙ୍ଗୀ ଦମ୍ପତି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

Leave A Reply

Your email address will not be published.