ବନାଗ୍ନି ରୋକିବାକୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ

0 92

ଭୁବନେଶ୍ୱର : ରାଜ୍ୟରେ ବନାଗ୍ନିକୁ ପ୍ରଶମନ କରିବା ନିମନ୍ତେ ପଞ୍ଚାୟତ ସ୍ତରରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । ସଂପୃକ୍ତ ଅଞ୍ଚଳର ସରପଞ୍ଚ, ସ୍ଥାନୀୟ ଜନ ପ୍ରତିନିଧି, ମିଶନ ଶକ୍ତି, ସ୍ଥାନୀୟ କ୍ଲବ୍‌ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ ଏହି ଅଭିଯାନରେ ସାମିଲ୍‌ କରାଯାଇ ପ୍ରାଥମିକତା ଭିତିରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ ଜିଲ୍ଲାପାଳ, ଏସପି, ଡି.ଏଫ୍‌.ଓ, ଅଗ୍ନିଶମ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ବନାଗ୍ନି ରୋକିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ସହ ଆବଶ୍ୟକ ସ୍ଥଳେ ଓଡ୍ରାଫ ଟିମକୁ ମୁତୟନ କରାଯିବ । ଆଗକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯାରିରହିବା ଆଶଙ୍କା ଥିବାରୁ ବନାଗ୍ନି ବ୍ୟାପିବା ସମ୍ଭାବିତ ସ୍ଥାନ ଗୁଡ଼ିକରେ ଆଗୁଆ ଓଡ୍ରାଫ ଟିମ୍‌ ମୁତୟନ ନିମନ୍ତେ ମୁଖ୍ୟ ଶାସନ ସଚିବ ଓସ୍ଡମାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବନାଗ୍ନି ପ୍ରଶମନ କ୍ଷେତ୍ରରେ ଆଗୁଆ ସୂଚନା ଦେବା, ସହଯୋଗ କରୁଥିବା ସ୍ଥାନୀୟ ସଂସ୍ଥା ତଥା ବ୍ୟକ୍ତି ବିଶେଷ ଏବଂ ସଂପୃକ୍ତ ପଞ୍ଚାୟତକୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଯିବ । ଅନେକ ସ୍ଥାନରେ ମନୁଷ୍ୟକୃତ ଭାବେ ବନାଗ୍ନି ହେଉଥିବା ଦୃଷ୍ଟିରୁ ଗୋଷ୍ଠୀ ସହଭାଗିତାରେ ଏହାକୁ ରୋକିବା ନିମନ୍ତେ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଏଥିସହ ଜିଲ୍ଲାର ବିଭିନ୍ନ ବନଖଣ୍ଡ ଉପରେ ତିକ୍ଷ୍ଣ ନଜର ରଖିବାକୁ ସଂପୃକ୍ତ ଜିଲ୍ଲାର ିଲ୍ଲାପାଳ, ଏସପି ଏବଂ ଡି.ଏଫ୍‌.ଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେମାନେ ସ୍ଥାନୀୟ ତହସିଲ୍‌ଦାର, ବିଡିଓ, ଥାନା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀଙ୍କ ତଥ୍ୟକୁ ଭିତିକରି ସରକରଙ୍କୁ ବନାଗ୍ନି ସଂପର୍କିତ ଦୈନିକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବୈଷୟିକ ଜ୍ଞାନକୌଶଳ ଉପଯୋଗ ତଥା ଉପଗ୍ରହ ଉତ୍ତୋଳିତ ଛବି ମାଧ୍ୟମରେ ବନାଗ୍ନି ସ୍ଥାନ ଚିହ୍ନଟ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ବନାଗ୍ନିରେ ସଂପୃକ୍ତ ଖଳ ପ୍ରକୃତିର ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ହଜାର ୮୬୦ଟି ସ୍ଥାନରେ ବନାଗ୍ନି ସଂପର୍କରେ ତଥ୍ୟ ଥିବାବେଳେ ସେଥି ମଧ୍ୟରୁ ୯୮ ପ୍ରତିଶତ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ପି.ସି.ସି.ଏଫ୍‌. ଦେବୀଦତ ବିଶ୍ୱାଳ, ଓରସାକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.