ଗଡ଼ିଲାନି ଟ୍ରକ୍‌: ବଢ଼ିଲା ଦୁର୍ଦ୍ଦଶା

0 90

ଭୁବନେଶ୍ୱର : ଗଡ଼ିଲାନି ବସ୍‌-ଟ୍ରକ୍‌ । ସାରା ରାଜ୍ୟରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିନରେ ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାରେ ଅଟକିଥିଲା ଶହ ଶହ ସଂଖ୍ୟାରେ ଯାନବାହନ । ରାଜରାସ୍ତାରେ ମାଇଲ୍‌ ମାଇଲ୍‌ ବାଟ ପର୍ଯ୍ୟନ୍ତ ଲମ୍ବିଥିଲା ଧାଡ଼ି । ଗତକାଲି ଧର୍ମଘଟ ଶାନ୍ତିପୂର୍ଣ୍ଣ ଥିବାବେଳେ ଆଜି ଜବରଦସ୍ତ ଗାଡ଼ି ଅଟକାଇଥିଲେ ଆନ୍ଦୋଳନକାରୀ । ଏହାକୁ ନେଇ ଭୁବନେଶ୍ୱରଠାରୁ ଆରମ୍ଭକରି ବାଲେଶ୍ୱର, ବ୍ରହ୍ମପୁର ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବସ୍‌ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ଜରୁରି କାମରେ କେଉଁଆଡେ ଯାଇପାରୁନଥିଲେ ।

ବରମୁଣ୍ଡା, ବାଦାମବାଡ଼ି ସହ ରାଜ୍ୟର ବିଭିନ୍ନ ବସ୍‌ଷ୍ଟାଣ୍ଡ ଖାଁ ଖାଁ ପାଲଟିଥିଲା । ଅଧା ରାସ୍ତାରେ ଟ୍ରକ୍‌ ଅଟକିଥିବାରୁ ମାଲ ପରିବହନ ଗୁରୁତର ପ୍ରଭାବିତ ହୋଇଥିଲା । ଯଦ୍ୱାରା ରାଜ୍ୟର ସମସ୍ତ ବଜାରରେ ନିଅାଁ ଜଳିଥିଲା । ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି । ଦୁଇ ଦିନ ହେଲା ପରିବା ଟ୍ରକ ଆସିପାରୁନଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି । ଆଉ ଅଧେ ଟ୍ରକ ରାସ୍ତାରେ ଅଟକିଛି । ଏଣେ କିଛି ଟ୍ରକ୍‌ ଗନ୍ତବ୍ୟ ସ୍ଥଳରୁ ବାହାରି ପାରି ନଥିବା ହେତୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ରାଜଧାନୀର ୟୁନିଟ ୧ ହାଟରେ ବାଇଗଣର ଦର ଗତକାଲି ୨୦ ଟଙ୍କା ଥିଲା, ଆଜି ତାହା ୬୦ ଟଙ୍କା କେଜି ମୂଲରେ ଉପଲବ୍ଧ ।

ଏଣେ ଝୁଡ଼ୁଙ୍ଗର ଦର କିଲୋ ପ୍ରତି ୪୦ରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଠିକ୍‌ ସେହିପରି ପୋଟଳ ଦର ଗତକାଲି ୧୦୦ ଟଙ୍କା ଥିଲା, ହେଲେ ଆଜି ତାହା ୧୩୦ ଟଙ୍କା ହୋଇଛି । ଏଣେ ସାରୁର ମୂଲ୍ୟ ଗତକାଲି କିଲୋ ପିଛା ଥିଲା ୪୦ ଟଙ୍କା, ହେଲେ ଆଜି ରାଜଧାନୀରେ ଏହାର ଦର ୬୦ ଟଙ୍କାରେ ପହଞ୍ଚିଛି । ବିନର ଦର କିଲୋ ପ୍ରତି ୭୦ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି । ଗତକାଲି କାକୁଡ଼ିର ମୂଲ୍ୟ କିଲୋ ପ୍ରତି ଥିଲା ୩୦ ଟଙ୍କା, ହେଲେ ଆଜି ତାହା ୫୦ ଟଙ୍କାରେ ବିକ୍ରି ହେଉଛି । ଗତକାଲି ବନ୍ଧା କୋବିର ଦର ଥିଲା ୧୦ ଟଙ୍କା ହେଲେ ଆଜି ଏହାର ଦର ଦ୍ୱିଗୁଣିତ ହୋଇ ୨୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କୁ ଖୁବ୍‌ ବାଧୁଛି । ଅନ୍ୟପକ୍ଷରେ ରାଜ୍ୟରେ ·ଲିଥିବା ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ପଡ଼ିଛି ।

ଆସନ୍ତାକାଲି ରାଜ୍ୟରେ ଗଚ୍ଛିତ ଥିବା ପେଟ୍ରୋଲ ଓ ଡିଜେଲ୍‌ ଶେଷ ହୋଇଯିବ ବୋଲି ଉକ୍ରଳ ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବନ୍ଦ ହେବା ଆରମ୍ଭ ହେଲାଣି । ଡିପୋରେ ଅଟକିଛି କିଛି ପେଟ୍ରୋଲ ଡିଜେଲ ଟ୍ୟାଙ୍କର । ଏହି ଟ୍ୟାଙ୍କରମାନଙ୍କ ମାଧ୍ୟମରେ ରାଜ୍ୟର ଥିବା ୧୬୦୦ରୁ ଉର୍ଦ୍ଧ୍ୱ ତେଲ ଟାଙ୍କିରେ ତେଲ ପୁରାଯାଏ । ପାରାଦୀପ, ବାଲେଶ୍ୱର, ଝାରସୁଗୁଡା ଓ ଜଟଣୀ ଡିପୋରୁ ସାରା ରାଜ୍ୟକୁ ପରିବହନ ହୁଏ ପେଟ୍ରୋଲ ଓ ଡିଜେଲ । ଡ୍ରାଇଭର ସଂଘର ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଛି ।

ଭୁବନେଶ୍ୱରରେ ତେଲ ପରିବହନ ବନ୍ଦ ହେବା ଆରମ୍ଭ ହେଲାଣି । ତେଲ ଟ୍ୟାଙ୍କର ଗାଡ଼ି ଆସି ପାରୁ ନଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି । ଲୋକେ ବ୍ୟତିବ୍ୟସ୍ତ ହେଇ ଅଧିକ ପେଟ୍ରୋଲ କି ଡିଜେଲ କିଣିଲେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍‌ ସରିଯିବ । ଦିନକୁ ୬ ହଜାର ଲିଟର ଡିଜେଲ ରାଜ୍ୟରେ ଆବଶ୍ୟକ ହେଉଛି । ତେଣେ ଦିନକୁ ୨୭୫୦ କିଲୋ ଲିଟର ପେଟ୍ରୋଲ ଆବଶ୍ୟକ ହେଉଛି । ଯୋଗାଣ ବ୍ୟାହତ ହେଲେ ଗଚ୍ଛିତ ତେଲ ଜଲଦି ସରିଯିବ । ଡ୍ରାଇଭରମାନଙ୍କ ଆନ୍ଦୋଳନ ବନ୍ଦ ନ ହେଲେ ସାରା ରାଜ୍ୟରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.