ବୁଧବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

0 95

ଭୁବନେଶ୍ୱର : ବୁଧବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଏନେଇ କମିସନରେଟ୍‌ ପୋଲିସ ପକ୍ଷରୁ ଗତକାଲି ଅର୍ଥାତ ଶନିବାର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୃଙ୍ଖଳିତ ରଥଟଣା ଓ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ନିର୍ଦ୍ଧାରିତ ସମୟ ଓ ଶୃଙ୍ଖଳିତ ନୀତିକାନ୍ତି ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।

ଆଉ ଠିକ୍‌ ସମୟରେ ରଥଟଣା ଆରମ୍ଭ ହେବା ସହ ମାଉସୀ ମା’ ମନ୍ଦିର ନିକଟରେ ରଥ ପହଞ୍ଚାଇବା ପାଇଁ ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି । ସେଭଳି ଚଳିତବର୍ଷ ପ୍ରଥମ କରି ରଥ ନିକଟରେ ଦୁଇଟି ମଞ୍ଚ କରାଯିବ । ଉକ୍ତ ଦୁଇଟି ଷ୍ଟେଜରେ ଓଡ଼ିଶୀ ସହ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ । ସେହିପରି ରଥଯାତ୍ରା ଠାରୁ ସ୍ୱର୍ଣ୍ଣାଦୀ ବିଜେ ପର୍ଯ୍ୟନ୍ତ ରଥଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା ଲଗାଯାଇଛି ।

ବିଶେଷକରି ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ମାଉସୀ ମା’ ମନ୍ଦିର ଯାଏଁ ଥିବା ଫାଷ୍ଟଫୁଡ ଦୋକାନରେ ଆମିଷ ବିକ୍ରି ବନ୍ଦ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ଏଥିସହିତ ରଥଯାତ୍ରାରେ ପରିମଳ ବ୍ୟବସ୍ଥାକୁ ଗୁରଦେଇଛି ବିଏମ୍‌ସି । ରଥଯାତ୍ରା ପୂର୍ବରୁ ରାସ୍ତାରେ ଥିବା ଗଛ ଡାଳଗୁଡ଼ିକ କାଟିବା ସହ ଖାଲଖମା ପୋତିବା ପାଇଁ ବୈଠକରେ ଗୁରତ୍ୱାରୋପ ହୋଇଛି । ସେଭଳି ବର୍ଷା ପାଣି ନ ଜମିବା ପାଇଁ ବ୍ୟବସ୍ଥା କରିବା ସହ ପର୍ଯ୍ୟାପ୍ତ ପରିମାଣ ଲାଇଟ ବ୍ୟବସ୍ଥା କରାଯିବ ।

ସେପଟେ ଶିବରାତ୍ରି ସମୟରେ ଯେମିତି ମନ୍ଦିର ଫୁଲରେ ସଜା ଯାଇଥିଲା ରଥଯାତ୍ରା ସମୟରେ ସେମିତି ଫୁଲରେ ସଜାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ସେପରି ଶୃଙ୍ଖଳିତ ନୀତିକାନ୍ତି ଓ ନିର୍ଦ୍ଧାରିତ ସମୟରେ ରଥ ପହଞ୍ଚିଲେ, ସେବାୟତଙ୍କୁ କମିସନରେଟ୍‌ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି ।  ମହାପ୍ରଭୁଙ୍କ ଋକୁଣା ରଥଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ ।

ରଥଟଣା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି । ସେପରି ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଆଜି କେଦାରଗୌରୀ ମନ୍ଦିର ନିକଟସ୍ଥ ମା’ କଲ୍ୟାଣ ମଣ୍ଡପରେ ଆୟୋଜିତ ବୈଠକରେ ଡିସିପି ପ୍ରତୀକ ସିଂ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମେୟର ସୁଲୋଚନା ଦାସ, ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର, ଅତିରିକ୍ତ ଡିସିପି ପ୍ରକାଶ ପାଲ୍‌, ପ୍ରାଣକୃଷ୍ଣ ରାଉତ, ଟ୍ରାଫିକ୍‌ ଏସିପି ସ୍ୱସ୍ତିକ ପଣ୍ଡା, ମନ୍ଦିରର ସେବାୟତ ଏବଂ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ମାଣସୌଧ, ଜଳ ବିଭାଗ, ବିଦ୍ୟୁତ ବିଭାଗ, ବିଏମ୍‌ସି ସହ କମିସନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥଲେ ।

Leave A Reply

Your email address will not be published.