ଲ୍ୟାଣ୍ଡ୍‌ଫଲ୍‌’ କଲା ବାତ୍ୟା ‘ମୋକା’; ବାଂଲାଦେଶ ଓ ମିଆଁମାର୍‌ ଉପକୂଳରେ ପ୍ରବଳ ବର୍ଷା

0 105

ନୂଆଦିଲ୍ଲୀ: ଆଜି ଅପରାହ୍ଣରେ ଭୀଷଣ ସାମୁଦ୍ରିକ ବାତ୍ୟା ‘ମୋକା’ କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମିଆଁମାର୍‌ ଉପକୂଳରେ ‘ଲ୍ୟାଣ୍ଡ୍‌ଫଲ୍‌’ ବା ସ୍ଥଳଭାଗରେ ପ୍ରବେଶ କରିଥିବା କଥା ବିଭିନ୍ନ ଜାତୀୟସ୍ତରୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଏହାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର୍‌ ଉପକୂଳରେ ଅତି ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୨୦୦ କିଲୋମିଟର୍‌ ବେଗରେ ବତାସ ପ୍ରବାହିତ ହେଉଛି। ଏଥିପାଇଁ ପୂର୍ବରୁ ବାଂଲାଦେଶ ପାଣିପାଗ ବିଶେଷଜ୍ଞମାନେ କକ୍ସ ବଜାର ସମୁଦ୍ରବନ୍ଦର, ଚଟ୍ଟଗ୍ରାମ ଏବଂ ପେରା ବନ୍ଦର ପ୍ରତି ସତର୍କ ସୂଚନା ଜାରି କରିଥିଲେ।‌

ଆଜି ସକାଳେ ବାତ୍ୟା ‘ମୋକା’ର ବାହ୍ୟ ଅଂଶ ମିଆଁମାର୍‌ର ରାଖିନେ ପ୍ରଦେଶରେ ପ୍ରବେଶ କରିଥିଲା। ବାତ୍ୟାର କେନ୍ଦ୍ର ବା ମଧ୍ୟ ଅଂଶ ସିତ୍ତ୍ବେ ଟାଉନ୍‌ସିପ୍‌ରେ ପଡ଼ିବ ବୋଲି ଆଶା କରାଯାଉଥିଲା। ସେଥିପାଇଁ ସେଠାକାର ୩ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୪ ହଜାର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି।

ସେଠାକାର ଉଚ୍ଚଭୂମିରେ ଅବସ୍ଥିତ ସୁଦୃଢ଼ କୋଠାଘରଗୁଡ଼ିକରେ ୨୦,୦୦୦ରୁ ଅଧିକ ଲୋକ ବାସ କରୁଛନ୍ତି। ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ କରିବା ପୂର୍ବରୁ ଆଜି ସକାଳେ ବାଂଲାଦେଶର ଅଧିକାଂଶ ଅଞ୍ଚଳ ଖରାଟିଆ ଏବଂ ଆର୍ଦ୍ର ଥିଲା ବୋଲି ବାଂଲାଦେଶ ପାଣିପାଗ ବିଭାଗ ସୂଚନା ଦେଇଥିଲା।

କିନ୍ତୁ, ପ୍ରବଳ ବର୍ଷା ହେଲେ ଚଟ୍ଟଗ୍ରାମ, କକ୍ସ ବଜାର ଏବଂ ରାଙ୍ଗାମାଟି, ବନ୍ଦରବନ ଏବଂ ଖାଗ୍ରାଛାରି ଭଳି ୩ଟି ପାହାଡ଼ିଆ ଜିଲ୍ଲାରେ ଭୂସ୍ଖଳନ ସଂଘଠିତ ହୋଇପାରେ ବୋଲି ବାଂଲାଦେଶ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

Leave A Reply

Your email address will not be published.