ମଣିପୁର ଘଟଣାରେ ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ

0 139

ଇମ୍ଫାଲ: ମଣିପୁର ଭିଡିଓ ଭାଇରାଲକୁ ନେଇ ଦେଶ ସ୍ତବ୍ଧ । ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ । ସୋସିଆଲ ମିଡିଆରେ ଘଟଣାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ସରକାରଙ୍କ ବିଫଳତା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂଙ୍କ ଇସ୍ତଫା ଦାବିରେ ମଣିପୁରରେ କଳା ପୋଷାକ ପିନ୍ଧି ମାର୍ଚ୍ଚ କରିଛନ୍ତି ବିକ୍ଷୋଭକାରୀ । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ସରକାର ହିଂସା କାବୁ କରିବାରେ ବିଫଳ ହୋଇଛନ୍ତି ।

ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଶତାଧିକ ଲୋକଙ୍କ ମୃତ୍ୟୁ, ପ୍ରାୟ ୭୦ ହଜାର ଲୋକ ବାସହିନ ହୋଇଛନ୍ତି । କୁକୀ ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ କରାଇବା ଓ ଗଣଦୁଷ୍କର୍ମ କରିବାର ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ଭିଡିଓ ଭାଇରାଲ ଘଟଣାରେ ମାମଲା ରୁଜୁ ହେବା ପରେ ବି କାହିଁକି କାର୍ଯ୍ୟନୁଷ୍ଠାନ ନିଆଯାଇନି ବୋଲି ପ୍ରଶ୍ନ କରିବାରୁ, ଏଭଳି ଶହ ଶହ ଅଭିଯୋଗ ଆସୁଛି ।

ପୋଲିସ ଷ୍ଟେସନରେ ଶତାଧିକ FIR ପଡ଼ିରହିଛି । ସବୁ ଘଟଣା ସମ୍ପର୍କରେ ବୁଝିବା ସମ୍ଭବ ନୁହେଁ ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ଯାହା ରାଜ୍ୟର ପ୍ରକୃତ ସ୍ଥିତିକୁ ବୟାନ କରୁଛି । ସେପଟେ ଭିଡିଓ ଭାଇରାଲ ଘଟଣାରେ ଏବେସୁଦ୍ଧା ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ମଣିପୁରରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତାମିଲନାଡୁରେ ଜୋରଦାର ବିକ୍ଷୋଭ ହୋଇଛି । ସରକାରଙ୍କ ବିଫଳତାକୁ ନେଇ ନାରାବାଜି କରିଛନ୍ତି କଂଗ୍ରେସ ନେତା । ଚାନ୍ନାଇରେ ବି ସିପିଆଇଏମ୍ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।

Leave A Reply

Your email address will not be published.