ଭାଙ୍ଗିଲେ ଜ୍ୟୋତିବସୁଙ୍କ ରେକର୍ଡ ନବୀନ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ

0 118

ଭୁବନେଶ୍ୱର : ନବୀନଙ୍କ ନାଁରେ ନୂଆ ରେକର୍ଡ । କ୍ରିକେଟ୍‌ରେ ସଚିନଙ୍କ ଭଳି ନିଜ ରାଜନୈତିକ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡର ସେ ଆଜି ସମକକ୍ଷ ହୋଇଛନ୍ତି । ଜ୍ୟୋତି ବସୁ ୨୩ ବର୍ଷ ୧୮୩ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ, ତାଙ୍କ ରେକର୍ଡକୁ ଭାଙ୍ଗି ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ନବୀନ ହେଉଛନ୍ତି ଦେଶରେ ଦ୍ୱିତୀୟ ।

ସିକ୍କିମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ ଚାମଲିଙ୍ଗ ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି ଦେଶରେ ରେକର୍ଡ କରିଛନ୍ତି । ସେହି ରେକର୍ଡକୁ ଭାଙ୍ଗି ନବୀନ ଫାଷ୍ଟ କରିବାକୁ ବିଜେଡି ଯୋଜନା କରିଛି । ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରି ନୂଆ ରେକର୍ଡ ପାଇଁ ଯୋଜନା କରିଛି ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ଅଣ୍ଟା ଭିଡୁଥିବା ବେଳେ ପ୍ରସ୍ତୁତ କରୁଛି ରଣନୀତି । ତେଣୁ ବିଜେଡିର ସବୁ ଛାମୁଆ ସଂଗଠନ ଷଷ୍ଠଥର ଲାଗି ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶପଥ ନେଲେଣି । ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବା ସହ ୨୦୧୯ରେ ଯେଉଁସବୁ ଆସନରେ ବିଜେଡି ହାରିଥିଲା, ସେଠି ଜିତିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ।

ଦିନକୁ ଦିନ ବଢ଼ୁଛି ନବୀନଙ୍କ ଲୋକପ୍ରିୟତା ଏବଂ ତା’ ସହ ବଢ଼ିଚାଲିଛି ମହିଳା ଭୋଟରଙ୍କ ଅକୁଣ୍ଠ ସମର୍ଥନ, ଯାହା ବିଗତ ପଞ୍ଚାୟତପୌର ଏବଂ ଉପନିର୍ବାଚନରେ ଏହାର ପ୍ରତିଫଳନ ଦେଖ୍‌ôବାକୁ ମିଳିଥିଲା । ଏହାକୁ ୨୦୨୪ ନିର୍ବାଚନରେ ବଜାୟ ରଖିବା ପାଇଁ ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ୧୯୯୭ ମସିହାରେ ବିଜୁବାବୁଙ୍କ ଦେହାନ୍ତ ପରେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ପ୍ରଥମେ ଗଞ୍ଜାମରୁ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ ଯାତ୍ରା । ଆସ୍କା ଲୋକସଭା ଆସନରୁ ସେ ପ୍ରଥମେ ଜିତିଥିଲେ । ୨୦୦୦ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଖଣି ଏବଂ ଇସ୍ପାତ ମନ୍ତ୍ରୀ ଥିଲେ ନବୀନ । ଆଉ ସେହି ୨୦୦୦ ମସିହାରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏବଂ ବିଜେପିର ମିଳିତ ସରକାର ଗଠନ ହୋଇଥିଲା । ଆଗରେ ଥିଲା ଅନେକ ଚ୍ୟାଲେଞ୍ଜ ।

ରାଜ୍ୟର ଆର୍ଥିକ ସ୍ଥିତି ସୁଧାରିବା, ଭିତ୍ତିଭୂମି କରିବା ଥିଲା ସବୁଠାରୁ ପ୍ରାଥମିକତା । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ନବୀନ ଶାସନଭାର ସମ୍ଭାଳିବା ପରେ ଭୋକର ଭୂଗୋଳରୁ ବାହାରି ଓଡ଼ିଶା ଖାଦ୍ୟସଶ୍ୟରେ ବଳକା ରାଜ୍ୟ ହୋଇଛି । ମୁଣ୍ଡପିଛା ଆୟ ବୃଦ୍ଧି, ମହିଳା ସଶକ୍ତିକରଣ, ଶିଳ୍ପ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଭିତ୍ତିଭୂମିରେ ବିକାଶ ହୋଇଛି । ୨୩ ବର୍ଷ ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ, ଶ୍ରେଷ୍ଠ ପ୍ରଶାସନ, ନମ୍ବର ୱାନ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ତାଙ୍କ ନାଁରେ ।

ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ସେହିପରି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ୱ ଓ
ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି । ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ବିକାଶମୂଳକ ଆଭିମୁଖ୍ୟକୁ ରାଜ୍ୟବାସୀ ବେଶ୍‌ ପସନ୍ଦ କରିଛନ୍ତି । ତେଣୁ କ୍ରମାଗତ ଭାବେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଐତିହାସିକ ବିଜୟ ହାସଲ ପରେ ଏବେ ଅପ୍ରତିଦ୍ୱନ୍ଦ୍ୱୀ ନେତା ପାଲଟି ଯାଇଛନ୍ତି ।

Leave A Reply

Your email address will not be published.