ଫାଇନାଲରେ ଭାରତକୁ ହରାଇ ଦ୍ୱିତୀୟଥର ପାଇଁ ଟାଇଟଲ୍ ଜିତିଲା ପାକିସ୍ତାନ

0 99

ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ୍ ଜିତିବାର ଭାରତ-ଏ ର ସ୍ୱପ୍ନ ଭାଙ୍ଗିଯାଇଛି । ଭାରତୀୟ ଟିମକୁ ଫାଇନାଲରେ ପାକିସ୍ତାନ-ଏଠୁ ୧୨୮ ରନରେ ପରାଜୟ ମିଳିଛି । ଲଗାତାର ଦ୍ୱିତୀୟଥର ପାଇଁ ପାକିସ୍ତାନ ଟାଇଟଲ୍ ଜିତିବାରେ ସଫଳ ହୋଇଛି । ପାକିସ୍ତାନ କଲମ୍ବୋରେ ଖେଳାଯାଇଥିବା ଫାଇନାଲରେ ୩୫୩ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଜବାବରେ ଭାରତ ୪୦ ଓଭରରେ ୨୨୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପାଇଁ ସର୍ବାଧିକ ରନ୍ ଓପନର ଅଭିଷେଖ ଶର୍ମା (୬୧) କରିଥିଲେ ।

ଅଧିନାୟକ ୟଶ୍ ଧୁଲ ୩୯ ଏବଂ ସାଇ ସୁଦର୍ଶନ ୨୯ ରନର ଇନିଂସ ଖେଳିଥିଲେ । ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ୧୫ ରନ୍ ଛୁଇଁବାରେ ସମର୍ଥ ହୋଇନଥିଲେ । ପାକିସ୍ତାନ ପାଇଁ ସୁଫିୟାନ ମୁକିମ ତିନୋଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅରଶଦ ଇକାବଲ ଏବଂ ମୁବସିର ଦୁଇଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଏହା ପୂର୍ବରୁ ପାକିସ୍ତାନ ଟସ୍ ହାରିବା ପରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ବିନିମୟରେ ୩୫୨ ରନ୍ ସଂଗ୍ରହ କରିଥିଲା ।

ପାକିସ୍ତାନ ପାଇଁ ତୟମ ତାହିର (୭୧ ଟି ବଲରେ ୧୦୮ରନ୍) ଶତକ ମାରିଥିଲେ । ତାଙ୍କ ବ୍ୟତୀତ ସଇମ ଅୟୁବ (୫୯ ରନ୍), ସାହିବଜାଦା ଫରହାନ (୬୫ ରନ୍) ଅର୍ଦ୍ଧଶତକ ମାରିଥିଲେ । ସେହିପରି ମୁବସିର ମଧ୍ୟ ୩୯ ରନର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ରାଜୱର୍ଦ୍ଧନ ହଙ୍ଗରଗେକର ଏବଂ ରିୟାନ ପରାଗ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହା ଟୁର୍ଣ୍ଣାମେଣ୍ଟର ପଞ୍ଚମ ସଂସ୍କରଣ ଥିଲା ।

ଏପର୍ଯ୍ୟନ୍ତ ସୁଦ୍ଧା ଚାରିଥର ଏହି ଟୁର୍ଣ୍ଣାମେଣ୍ଟ ଅଣ୍ଡର-୨୩ ରୂପରେ ଖେଳାଯାଇଥିଲା । ୨୦୧୩ରେ ଭାରତ ସର୍ବପ୍ରଥମେ ଚମ୍ପିଆନ ହୋଇଥିଲା । ଏହାପରେ ୨୦୧୭ ଏବଂ ୨୦୧୮ରେ ଶ୍ରୀଲଙ୍କା ବ୍ୟାକ ଟୁ ବ୍ୟାକ ଟାଇଟଲ ଜିତିଥିଲା । ୨୦୧୯ରେ ପାକିସ୍ତାନ ଚମ୍ପିଆନ ହୋଇଥିଲା । ଚଳିତଥରକୁ ମିଶାଇ ସେ ଲଗାତାର ଦୁଇଟି ଟାଇଟଲ୍ ଜିତିଛି ।

Leave A Reply

Your email address will not be published.