ବିଶ୍ୱକପରେ ଏକାଧିକ ରେକର୍ଡ କଲେ ଶାମି

0 56

ନୂଆଦିଲ୍ଲ, ୩ା୧୧: ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ ଦଖଲ କରିଥିବା ଭାରତୀୟ ଟିମର ସ୍ପିଡଷ୍ଟାର ମହମ୍ମଦ ଶାମି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ ଓ ଇଂଲଣ୍ଡ ବିପକ୍ଷରେ ୪ୱିକେଟ ଦଖଲ କରିଥିବା ଶାମି ଶ୍ରୀଲଙ୍କା ଟିମର ୫ ବ୍ୟାଟର୍ସଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ।ଶାମିଙ୍କ ଘାତକ ବୋଲିଂ ଯୋଗୁ ୩୫୮ ରନ ଟାର୍ଗେଟର ପିଛା କରୁଥିବା ଶ୍ରୀଲଙ୍କା ୫୫ ରନରେ ଅଲଆଉଟ ହୋଇ ଯାଇଛି । ୩୦୨ ରନର ବୃହତ୍ତ ବିଜୟ ସହ ଭାରତ ବିଶ୍ୱକପ ସେମି ଫାଇନାଲରେ ବିଧିବଦ୍ଧ ଭାବେ ପ୍ରବେଶ କରିଛି । ୫ ୱିକେଟ ଦଖଲ କରିଥିବା ଶାମିଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି । ଶୁକ୍ରବାର ସଫଳତା ପରେ ଶାମି ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଛନ୍ତି । ସେ କିମ୍ବଦନ୍ତୀ କ୍ରିକେଟର ଜହିର ଖାନ ଓ ଜବାଗଲ ଶ୍ରୀନାଥଙ୍କୁ ପଛରେ ପକାଇ ଭାରତ ପାଇଁ ବିଶ୍ୱକପରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ବନି ଯାଇଛନ୍ତି । ଶାମି ତାଙ୍କର ପ୍ରଥମ ୩ ଓଭରରେ ୪ ୱିକେଟ ଦଖଲ କରିଥିଲେ । ଏହାପରେ ସେ ଆଉ ଗୋଟିଏ ୱିକେଟ ଦଖଲ କରି ଭାରତ ପାଇଁ ବିଶ୍ୱକପରେ ନୂଆ ଇତିହାସ ସୃଷ୍ଟି କରିଥିଲେ । ଶ୍ରୀଲଙ୍କା ୧୦ ଓଭରରେ ଶାମି ବୋଲିଂ କରିବାକୁ ଆସିବା ବେଳେ ଶ୍ରୀଲଙ୍କା ୧୪ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଶାମି ଏହାକୁ ଆହୁରି ବିପର୍ଯ୍ୟସ୍ତ କରି ଦେଇଥିଲେ । ସେ ତୃତୀୟ ଥର ପାଇଁ ବିଶ୍ୱକପରେ ୫ ୱିକେଟ ଦଖଲ କରିଛନ୍ତି । ଏଥିସହ ବିଶ୍ୱକପରେ ସର୍ବାଧିକ ଥର ୫ ୱିକେଟ ନେଇଥିବା ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ସମକକ୍ଷ ହୋଇଛନ୍ତି । ବିଶ୍ୱକରେ ଶାମିଙ୍କ ୱିକେଟ ସଂଖ୍ୟା ୪୫ରେ ପହଞ୍ଚି ଯାଇଛି । ସେ ୧୪ଟି ମ୍ୟାଚରେ ୪୫ ୱିକେଟ ଦଖଲ କରିଛନ୍ତି । ଜହିର ଖାନ ୨୩ ମ୍ୟାଚ୍ ୪୪ଟି ଓ ଶ୍ରୀନାଥ ୩୪ ମ୍ୟାଚରେ ଭାରତ ପାଇଁ ସମାନ ୪୪ଟି ୱିକେଟ ନେଇଥିଲେ । କିନ୍ତୁ ଶାମି ଉଭୟଙ୍କୁ ପଛରେ ପକାଇ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶାମି ଚଳିତ ବିଶ୍ୱକପରେ ଏଯାଏ ମାତ୍ର ୩ଟି ମ୍ୟାଚ ଖେଳିଥିବା ବେଳେ ୧୪ଟି ୱିକେଟ ନେଇ ସାରିଲେଣି । ଶାମି, ଜହିର ଓ ଶ୍ରୀନାଥଙ୍କ ବ୍ୟତୀତ ଭାରତ ପାଇଁ ବିଶ୍ୱକପରେ ସର୍ବାଧିକ ୱିକେଟ ଦଖଲ କରିଥିବା ଖେଳାଳିଙ୍କ ମଧ୍ୟରେ ଯଶପ୍ରୀତ ବୁମ୍ରା ୩୩ ୱିକେଟ ସହ ୪ର୍ଥ ସ୍ଥାନରେ, ଅନୀଲ କୁମ୍ବଲେ ୩୧ ୱିକେଟ ସହ ୫ମ ସ୍ଥାନରେ ଓ କପିଲ ଦେବ ୨୮ ୱିକେଟ ସହ ୬ଷ୍ଠ ସ୍ଥାନରେ ଅଛନ୍ତି । ଏହାବାଦ ବିଶ୍ୱକପରେ କୌଣସି ଗୋଟିଏ ସଂସ୍କରଣରେ ସର୍ବାଧିକ ଥର ୪ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଥିବା ତାଲିକାରେ ମଧ୍ୟ ଶାମି ନିଜକୁ ଦୁଇ ଥର ସାମିଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି । ୨୦୧୯ ବିଶ୍ୱକପରେ ଶାମି ୩ ଥର ୪ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିବା ବେଳେ ୨୦୨୩ରେ ଏହାର ପୁନରାବୃତ୍ତି ଘଟିଛି । ସେହିପରି ଭାରତ ପାଇଁ ଦିନିକିଆରେ ସର୍ବାଧିକ ଥର ୫ ୱିକେଟ ନେଇଥିବା ତାଲିକାରେ ମଧ୍ୟ ଶାମି ୧ନଂ ସ୍ଥାନରେ ରହିଛନ୍ତି । ଶାମି ୪ଥର ଏପରି କରିଥିବା ବେଳେ ଶ୍ରୀନାଥ ଓ ହରଭଜନ ସିଂହ ୩ ଥର ଲେଖାଏ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିଲେ ।

Leave A Reply

Your email address will not be published.