ସବୁ କଲେଜରେ ଖୋଲିବ ଏନ୍‌ଏସ୍‌ଏସ୍‌ ଶାଖା

NSS branches will be opened in all colleges

0 80

ଭୁବନେଶ୍ୱର, : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବା ପାଇଁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍ର ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ । ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଏ ଦିଗରେ ଅଧିକ ଧ୍ୟାନ ଦେଲ ଯୁବ ସମାଜ ମଧ୍ୟରେ ଅଭୂତପୂର୍ବ ଜାଗରଣ ସୃଷ୍ଟି ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜାତୀୟ ସେବା ଯୋଜନାର ରାଜ୍ୟ ପରାମର୍ଶଦାତା କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳପତି, ସମସ୍ତ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ, ଆଞ୍ଚଳିକ ନିର୍ଦେଶକଙ୍କ ସମେତ ବହୁ ପଦାଧିକାରୀ ଓ ପରାମର୍ଶଦାତା କମିଟିର ବେସରକାରୀ ସଭ୍ୟ ଯୋଗ ଦେଇଥିଲେ । ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ଓଡ଼ିଶାର ବହୁ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଓ ଅଧିକାରୀ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି । ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସମାଜସେବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । +୨, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଏନ୍‌ଏସ୍‌ଏସ୍‌ ସେବା କରିବାର ଯେଉଁ ସୁଯୋଗ ଦେଉଛି, ସେଥିରେ ଅନେକ ସମର୍ପିତ ସମାଜସେବୀ ହୋଇପାରିବେ । ଏହି ଧାରାକୁ ଅବ୍ୟାହତ ରଖିବା ଲାଗି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଉଚ୍ଚଶିକ୍ଷା ପରିଷଦ, ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଏନ୍‌ଏସ୍‌ଏସ୍‌ ଅଧିକାରୀ ସମର୍ପିତ ହୋଇ କାର୍ଯ୍ୟ କଲେ ଯୁବ ଓ ଛାତ୍ର ସମାଜକୁ ସଂସ୍କାରମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇ ବ୍ୟକ୍ତି ଓ ସାମାଜିକ ଜୀବନରେ ପରିବର୍ତ୍ତନ ଅଣାଯାଇପାରିବ । ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାର ୨୫ଟି ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ସମେତ ଉଚ୍ଚଶିକ୍ଷା ପରିଷଦ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନରେ ୧୨୪୧ ଏନ୍‌ଏସ୍‌ଏସ୍‌ ୟୁନିଟରେ ୧୨୪୦୦୦ରୁ ଅଧିକ ସ୍ୱେଚ୍ଛାସେବକ ଅଛନ୍ତି । ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମକୁ ବ୍ୟାପକ ଓ ଆକର୍ଷଣୀୟ କରିବା ପାଇଁ ଅର୍ଥ ଆଦୌ ପ୍ରତିବନ୍ଧକ ନୁହେଁ ବୋଲି ସେ ଉଲ୍ଲେଖ କରିଥିଲେ । ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦେଶକ ଡା. ସରିତା ପଟେଲ, ରାଜ୍ୟ ସରକାରଙ୍କ ଏନ୍‌ଏସ୍‌ଏସ୍‌ ସଂଯୋଜକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ କୁଳପତି ଓ ଏନ୍‌ଏସ୍‌ଏସ୍‌ ଅଧିକାରୀ ମତ ରଖିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ପଦ୍ମଶ୍ରୀ ସାବରମତି ଓ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହ୍ଲାଦ କୁମାର ସିଂହ ଏନ୍‌ଏସ୍‌ଏସ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ସେହିପରି ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସହ ଶରୀର ଦାନକୁ ସଂଯୁକ୍ତ କରିବା ନେଇ ଭାରତ ଶରୀର ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ. ପ୍ରଭାସ ଆ•ର୍ଯ୍ୟ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.