୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

The hearing of Tutu Naik's bail application has been moved to 8th

0 56

ଭୁବନେଶ୍ୱର, : ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍‌ ସଞ୍ଜୟ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି । ଅପଡେଟ୍‌ କେସ ଡାଏରି ଓ ପୁରୁଣା କେସ୍‌ ରେକର୍ଡ ଦାଖଲ ଲାଗି ତଲବ କରାଯାଇଛି । ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍‌ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲା । ମାମଲା ରୁଜୁ ହେବା ପରେ ଟୁଟୁଙ୍କୁ ଖାରବେଳନଗର ଥାନାରେ ହାଜର ହେବା ପାଇଁ ପୁଲିସ ପକ୍ଷରୁ ନୋଟିସ୍‌ କରାଯାଇଥିଲା । ଅପରାହ୍ନ ପ୍ରାୟ ୨ଟା ୧୫ରେ ସେ ଥାନାରେ ପହଞ୍ଚିଥିଲେ । ଏହାପରେ ତଦନ୍ତକାରୀ ଅଧିକାରୀ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ଅପରାହ୍ନ ୪ଟା ୧୫ରେ ତାଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଖାରବେଳନଗର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସୂଚନା ଅନୁସାରେ, ମହିଳା ସାମ୍ବାଦିକଙ୍କ ଅଭିଯୋଗ ଆଧାରରେ ଶୁକ୍ରବାର ଖାରବେଳନଗର ଥାନାରେ କେସ୍‌ ନଂ୫୫୩/୨୩ ଓ ଆଇପିସି ଦଫା୩୪୧, ୩୫୪, ୩୨୩, ୨୯୪ରେ ମାମଲା ରୁଜୁ ହୋଇଥିଲା । ଘଟଣା ଘଟିଥିବା ଶ୍ରୀୟା, ସ୍ୱାତୀ ସିନେମା ହଲକୁ ପୁଲିସ ଯାଇଥିଲା । ସେଠାରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା । ଅଭିଯୋଗକାରୀ ସାମ୍ବାଦିକା ଓ ଅନ୍ୟ କେତେକଙ୍କର ବୟାନ ରେକର୍ଡ କରାଯାଇଥିଲା । ପ୍ରାଥମିକ ତଥ୍ୟପ୍ରମାଣ ଆଧାରରେ ଅଭିଯୁକ୍ତ ଟୁଟୁଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଅଭିଯୋଗକାରୀଙ୍କର ସିଆରପିସି ଧାରା-୧୬୪ ଅନୁସାରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯିବ ବୋଲି ଖାରବେଳନଗର ଥାନାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମହିଳା କମିଶନ । ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ନିଜ ଆଡୁ ମାମଲାକୁ ଗ୍ରହଣ କରିବା ସହ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ତଦନ୍ତ କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆସନ୍ତା ୨୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟୁଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସୋମବାର ପୂର୍ବାହ୍ନରେ ରାଜଧାନୀର ମହିଳା ସାମ୍ବାଦିକମାନେ ଡିସିପି ପ୍ରତୀକ ସିଂହଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ସୂଚନାଯୋଗ୍ୟ, ଗତକାଲି ଏକ ଫିଲ୍ମର ପ୍ରିମିୟର ସୋ’ର ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ଶ୍ରୀୟା, ସ୍ୱାତୀ ହଲକୁ ଯାଇଥିଲେ । ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ଟାରେ ଟୁଟୁ ହଲରୁ ବାହାରି ଯାଉଥିବା ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ସହ ଅସଦାଚରଣ, ଗାଳିଗୁଲଜ କରିଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.