ଜିନ୍ଦଲ ଷ୍ଟେନଲେସର ମିନୁ ମହାନ୍ତଙ୍କୁ “ୱିଙ୍ଗସ ଅଫ୍‌ ଷ୍ଟିଲ’ ଆୱାର୍ଡ଼

'Wings of Steel' Award to Minu Mahant of Jindal Stainless

0 75

ଭୁବନେଶ୍ୱର,: ଜିନ୍ଦଲ ଷ୍ଟେନଲେସର ପ୍ରଥମ ମହିଳା ଓଭରହେଡ କ୍ରେନ୍‌ ପରିଚାଳକ ମିନୁ ମହାନ୍ତଙ୍କୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍‌ ତରଫରୁ “ୱିଙ୍ଗସ ଅଫ୍‌ ଷ୍ଟିଲ’ ଆୱାର୍ଡ଼ ପ୍ରଦାନ କରାଯାଇଛି । “ଲିଙ୍ଗ ଏବଂ ବିବିଧତା’ ବର୍ଗରେ ସେ ଏହି ପୁରସ୍କାର ପାଇଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ଆସୁଥିବା ଯାଜପୁରର ୪୩ ବର୍ଷୀୟ ମିନୁଙ୍କ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍‌ ପ୍ରଶଂସା କରିଛନ୍ତି । କଠିନ ପରିସ୍ଥିତିରେ ମଧ୍ୟ ଦୃଢ଼ ସାହସ ବଳରେ ହାର ମାନି ନଥିବା ମିନୁଙ୍କୁ ନୂଆଦିଲ୍ଲୀରେ ଅନୁଷ୍ଠିତ ଆଇଏସଏ ଷ୍ଟିଲ କନକ୍ଲେଭର ଚତୁର୍ଥ ସଂସ୍କରଣରେ ଜ୍ୟୁରି ସ୍ପେଶାଲ ଆୱାର୍ଡ଼ ଦିଆଯାଇଛି । ଜିନ୍ଦଲ ଷ୍ଟେନଲେସରେ ଯୋଗ ଦେବା ପୂର୍ବରୁ ମିନୁ ପଥର ଭାଙ୍ଗି ଗୁଡ଼ି ତିଆରି କରିବା କାମ କରୁଥିଲେ । ଏହା ପରେ ୨୦୧୧ ମସିହାରେ ଜିନ୍ଦଲ ଷ୍ଟେନଲେସର ଷ୍ଟିଲ ମେଲ୍ଟିଂ ସପ୍‌ର ହାଉସ କିପିଙ୍ଗ ଦଳରେ ଯୋଗ ଦେଲେ । ମେସିନ ପରିଚାଳନା କରିବା କାମ ଶିଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଶକ୍ତି ଥିଲା । ଯାହା ଫଳରେ ଖୁବ୍‌ ଶୀଘ୍ର ସେ ଇଞ୍ଜିନ ଚାଳିତ କ୍ଲିନିଂ ଯାନ ଚଳାଇବା ଶିଖିପାରିଲେ । ନିଜର ସୁପରଭାଇଜର ଓ ସହକର୍ମୀ ମହିଳାମାନଙ୍କ ପ୍ରେରଣାରେ ସେ ଓଭରହେଡ କ୍ରେନ ପରିଚାଳନାରେ ଆଗ୍ରହ ଦେଖାଇଲେ,ଯାହାକି ପ୍ଲାଣ୍ଟର ସବୁଠୁ କଷ୍ଟ କାମ ଏବଂ ଯେଉଁଥିରେ ମୁଖ୍ୟତଃ ପୁରୁଷ ଲୋକେ କାମ କରନ୍ତି । କେବଳ ଏକ ମାସ ମଧ୍ୟରେ ମିନୁ ଓଭରହେଡ କ୍ରେନ ପରିଚାଳନାରେ ଦକ୍ଷତା ହାସଲ କଲେ ଏବଂ ଏହି କ୍ଷେତ୍ରରେ ଥିବା ଲିଙ୍ଗଗତ ଭେଦଭାବକୁ ଦୂର କରିବାରେ ସକ୍ଷମ ହୋଇଥିଲେ । ପୁରସ୍କାର ଗ୍ରହଣ କରିବା ଅବସରରେ, ମିନୁ ମହାନ୍ତ କହିଛନ୍ତି, ଏହା ମୋ ପାଇଁ ଏକ ବଡ ଦିନ ମୋ ମତରେ ସାହସୀ ହେବା ଛଡ଼ା ମହିଳାଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । ଜିନ୍ଦଲ ଷ୍ଟେନଲେସରେ ମୋତେ ସୁଯୋଗ ମିଳିଥିବାରୁ ମୁଁ କୃତଜ୍ଞ ଏବଂ ଏକ ସାହସୀ ଓ ନିର୍ଭୀକ ମହିଳା ଦଳ ଗଠନ କରିବା ପାଇଁ ମୁଁ ପ୍ରତିବଦ୍ଧ । ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି,”ମିନୁଙ୍କ ସାହସ ଓ ପରିଶ୍ରମକୁ ଆଇଏସଏ ପକ୍ଷରୁ ମାନ୍ୟତା ମିଳି ଥିବାରୁ ମୁଁ ଗର୍ବ ଅନୁଭବ କରୁଛି । ଏହା ହେଉଛି କାମ ପ୍ରତି ତାଙ୍କର ଅଦମ୍ୟ ନିଷ୍ଠା ଓ ପ୍ରତିବଦ୍ଧତାର କାହାଣୀ । ଜିନ୍ଦଲ ଷ୍ଟେନଲେସରେ ଆମେ ସବୁବେଳେ ମହିଳାମାନଙ୍କୁ ଆହ୍ୱାନ ମୂଳକ କାମ କରି ଅନ୍ୟମାନଙ୍କ ପ୍ରେରଣା ସାଜିବା ପାଇଁ ପ୍ରୋତ୍ସାହନ କରିଆସୁଛୁ । । ମିନୁ
ମହାନ୍ତ ପ୍ଲାଣ୍ଟରେ କାର୍ଯ୍ୟରତ ମହିଳାମାନଙ୍କୁ ତାଲିମ ଦେବା ସହ ପୁରୁଷ ପ୍ରଧାନ କାମ ଗୁଡ଼ିକ କରିବା ପାଇଁ ମିନୁ ଉତ୍ସାହିତ କରନ୍ତି । ଆଇଏସଏ ଏଭଳି ଏକ ପ୍ଲାଟଫର୍ମ ରୂପେ ଉଭା ହୋଇଛି, ଯାହା ଭାରତୀୟ ଆଇରନ ଓ ଷ୍ଟିଲ ଶିଳ୍ପରେ ଥିବା ବିଭିନ୍ନ ସମସ୍ୟା, ଆହ୍ୱାନ ଗୁଡ଼ିକୁ ସରକାର ତଥା ଭାରତ ଓ ଦେଶ ବାହାରର ଅନ୍ୟ ଅଂଶୀଦା ରମାନଙ୍କ ସହ ଆଲୋଚନା କରିଥାଏ ।

Leave A Reply

Your email address will not be published.