ଦିନିକିଆ ର‍୍ୟାଙ୍କିଙ୍ଗ୍‌: ଗିଲ୍‌ ଓ ସିରାଜ୍‌ ନମ୍ବର ୱାନ

Daily Ranking: Gil and Siraj number one

0 51

ଦୁବାଇ, ୮ା୧୧: ଦିନିକିଆ ର‍୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ରାଜୁତି ଶେଷ ହୋଇଛି । ଆଜମଙ୍କୁ ହଟାଇ ଭାରତର ଉଦୀୟମାନ ବ୍ୟାଟର ଶୁଭମାନ ଗିଲ୍‌ ପ୍ରଥମଥର ପାଇଁ ଆଇସିସି ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି । ସେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍‌ ଭାବେ ଏକ ନମ୍ବର ମାନ୍ୟତା ହାସଲ କରିଛନ୍ତି । ଗିଲ୍‌ ବ୍ୟାଟିଂରେ ଶୀର୍ଷ ସ୍ଥାନ ଅକ୍ତିଆର କରିଥିବା ବେଳେ ବୋଲରଙ୍କ ତାଲିକାରେ ତାଙ୍କ ସାଥୀ ଖେଳାଳି ତଥା ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ ନମ୍ବର ୱାନ୍‌ ହୋଇଛନ୍ତି । ସେ ଶାହିଦ୍‌ ଆଫ୍ରିଦିଙ୍କୁ ହଟାଇ ଦ୍ୱିତୀୟ ଥର ପାଇଁ ର‍୍ୟାଙ୍କିଙ୍ଗ ଶୀର୍ଷରେ ପହଞ୍ଚିଛନ୍ତି । ଆଫ୍ରିଦି ପଞ୍ଚମ ନମ୍ବରକୁ ଖସି ଆସିଛନ୍ତି । ଶୁଭମାନ ଗିଲଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଆଇସିସି ର‍୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ । ଗିଲ୍‌ ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ୯୨ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩ ରନ୍‌ କରିଥିଲେ । ସେ ୬ଟି ଇନିଂସରେ ୨୧୯ ରନ୍‌ ସଂଗ୍ରହ କରିଛନ୍ତି । ବାବର ଆଜମ ୮ଟି ଇନିଂସରେ ୨୮୨ ରନ୍‌ କରିଛନ୍ତି । ଗତ ଦୁଇ ବର୍ଷ ଧରି ବାବର ଦିନିକିଆ ର‍୍ୟାଙ୍କିଙ୍ଗର ଶୀର୍ଷରେ ରହିଥିଲେ । ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଚତୁର୍ଥ ନମ୍ବରରେ ଅଛନ୍ତି । ତାଙ୍କ ଆଗରେ ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍‌ ତିନି ନମ୍ବରରେ ଅଛନ୍ତି । ଡେଭିଡ ୱାର୍ଣ୍ଣର ପଞ୍ଚମ ଏବଂ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି । ଶ୍ରେୟସ୍‌ ଆୟର୍‌ ୧୭ଟି ସ୍ଥାନ ଲମ୍ଫ ଦେଇ ୧୮ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି । ଚଳିତ ବିଶ୍ୱକପରେ ବିପକ୍ଷ ଦଳମାନଙ୍କୁ ଘାଇଲା କରିଥିବା ଭାରତୀୟ ବୋଲରଙ୍କ ଦବଦବା ଆଇସିସି ର‍୍ୟାଙ୍କିଙ୍ଗରେ ବି ଦେଖିବାକୁ ମିଳିଛି । ମହମ୍ମଦ ସିରାଜ୍‌ ଏକ ନମ୍ବର ମାନ୍ୟତା ହାସଲ କରିଥିବା ବେଳେ ଭାରତର ୪ ବୋଲର ଟପ୍‌ ୧୦ରେ ଅଛନ୍ତି । ମହମ୍ମଦ ସିରାଜ ତୃତୀୟରୁ ଶୀର୍ଷରେ ପହଞ୍ଚିଥିବା
ବେଳେ କୁଲଦୀପ ଯାଦବ ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଜସପ୍ରୀତ ବୁମରା ତିନୋଟି ସ୍ଥାନ ଉନ୍ନୀତ ହୋଇ ୮ ନମ୍ବରରେ ପହଞ୍ଚିଥିବା ବେଳେ ମହମ୍ମଦ ସାମି
୭ଟି ସ୍ଥାନ ଉଠି ୧୦ ନମ୍ବରରେ ଅଛନ୍ତି । ଅଲରାଉଣ୍ଡର ତାଲିକାରେ ବାଂଲାଦେଶ ଅଧିନାୟକ ସକିବ ଅଲ୍‌ ହସନ୍‌ ପ୍ରଥମ ସ୍ଥାନରେ ରହିଛନ୍ତି । ଗ୍ଲେନ୍‌ ମ୍ୟାକ୍ସୱେଲ ଦୁଇଟି ସ୍ଥାନ ଉଠି ଷଷ୍ଠ ନମ୍ବରରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.