ନ୍ୟୁଜିଲାଣ୍ଡର ସେମି ଆଶା ବଢିଲା

New Zealand's semi hopes

0 54

ବେଙ୍ଗାଲୁରୁ, ୧୦ା୧୧: ଚଳିତ ପୁରୁଷ କ୍ରିକେଟ୍‌ ବିଶ୍ୱକପର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୁରୁବାର ପୂର୍ବ ବିଜେତା ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି । ୧୬୦ ବଲ୍‌ ପୂର୍ବରୁ ଜିତି ସେମିଫାଇନାଲରେ ଗୋଟିଏ ପାଦ ଥାପିଛି । ସେହିଭଳି ନେଟ୍‌ ରନ୍‌ ହାରରେ ଯଥେଷ୍ଟ ଭଲ ସ୍ଥିତିରେ ଥିବାରୁ ଅନ୍ୟ ଦୁଇ ଦାବିଦାର ପାକିସ୍ତାନ ଓ ଆଫଗାନିସ୍ତାନକୁ ପଛରେ ପକାଇ ସଫଳତାର ସହ ମୁମ୍ବାଇରେ ୧୫ ତାରିଖରେ ସେମିଫାଇନାଲ୍‌ ଖେଳିବା ଆଡ଼କୁ ଅଗ୍ରସର ହୋଇଛି । କେବଳ ଯାହା ଲିଗ୍‌ ପର୍ଯ୍ୟାୟ ଶେଷ ହେବାର ଔପ•ରିକତା ବାକି ରହିଛି । ବଡ଼ ଧରଣର ଚମକ୍ରାର ନହେଲେ ସେମିଫାଇନାଲରେ କିୱି ଦଳ ଆୟୋଜକ ଭାରତକୁ ଭେଟିବା ମଧ୍ୟ ୯୯.୯ ପ୍ରତିଶତ ନିଶ୍ଚିତ ହୋଇଯାଇଛି । ସେପଟେ ଶ୍ରୀଲଙ୍କା ସପ୍ତମ ପରାଜୟ ବରଣ କରି ନେରାଶ୍ୟଜନକ ଭାବେ ତା’ର ବିଶ୍ୱକପ୍‌ ଅଭିଯାନ ଶେଷ କରିଛି । ଗୁରୁବାର ମ୍ୟାଚର ଗୁରୁତ୍ୱ ଶ୍ରୀଲଙ୍କା ଅପେକ୍ଷା ନ୍ୟୁଜିଲାଣ୍ଡ ପାଇଁ ଅଧିକ ଥିଲା । ସେଥିପାଇଁ ନେଟ୍‌ ରନ୍‌ ହାର ବାଇବା ଲକ୍ଷ୍ୟରେ ଏହି ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ଟସ୍‌ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । କିୱି ଦଳର ବୋଲରମାନେ ମଧ୍ୟ ନିଜ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରିଥିଲେ । ଶ୍ରୀଲଙ୍କାକୁ ଝଟକା ଉପରେ ଝଟକା ଦେଇ ମାତ୍ର ୧୨୮ ରନରେ ଏହି ଦଳର ୯ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ । ଶ୍ରୀଲଙ୍କାର ଶେଷ ୱିକେଟ୍‌ ଯୋଡ଼ି ମହେଶ ତୀକ୍ଷଣା (୩୮) ଓ ଦିଲସାନ ମଧୁଶଙ୍କା କିନ୍ତୁ ଲଢିଥିଲେ । ସହଜରେ ଆତ୍ମସମର୍ପଣ ନକରି ଉଭୟ ୧୪.୩ ଓଭର ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ । ମଧୁଶଙ୍କାଙ୍କୁ ରାଚିନ ରବୀନ୍ଦ୍ର ଚତୁରତାର ସହ ଟମ୍‌ ଲାଥାମଙ୍କ ହାତରେ କ୍ୟାଚ୍‌ କରାଇ ଯୋଡ଼ି ଭାଙ୍ଗିବା ପୂର୍ବରୁ ଏମାନେ ୪୩ ରନ୍‌ ଯୋଡ଼ି ନେଇଥିଲେ । ଫଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୭୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଜଣେ ହେଲେ ବି ବ୍ୟାଟର୍‌ ଅର୍ଦ୍ଧଶତକ ମାରି ନଥିଲେ । ହେଲେ ଡେଭନ୍‌ କନୱେଙ୍କ ୪୫, ରାଚିନ ରବୀନ୍ଦ୍ରଙ୍କ ୪୨ ଓ ଡାରେଲ ମିଚେଲଙ୍କ ୪୩ ରନ୍‌ ବଳରେ ମାତ୍ର ୨୩.୨ ଓଭରରେ ୫ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା ।

Leave A Reply

Your email address will not be published.