ଯମ ଦ୍ୱିତୀୟାରେ ଭଉଣୀ ଘରେ ମିଠା ଖାଇଲେ ଶ୍ରୀଲିଙ୍ଗରାଜ

Srilingaraj ate sweets at his sister's house on Yama Ditiya

0 52

ଭୁବନେଶ୍ୱର,୧୬ା୧୧(ଡିକେ ନ୍ୟୁଜ): ପବିତ୍ର କାର୍ତ୍ତିକ କୃଷ୍ଣପକ୍ଷ ଦ୍ୱିତୀୟା ତିଥି ଅବସରରେ ଆଜି ଏକାମ୍ର କ୍ଷେତ୍ରରେ ଯମ ଦ୍ୱିତୀୟା ପାଳିତ ହୋଇଯାଇଛି । ଏହି ଅବସରରେ ବିଧି ଓ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀ ମା’ କାମାକ୍ଷା ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଥିଲେ । ସେବାୟତଙ୍କ ଗହଣରେ ସୁସଜ୍ଜିତ ପାଲିଙ୍କିରେ ବସି ପ୍ରଭୁ ପ୍ରଥମେ ଯମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ । ପୁରାଣ ଅନୁସାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଧର୍ମରାଜ ଯମଙ୍କୁ ଦେଇଥିବା ବଚନ ରକ୍ଷା କରିବା ପାଇଁ ମା’ ପାର୍ବତୀ, ଦେବୀ ଭୁବନେଶ୍ୱରୀ ଓ ଶ୍ରୀବାସୁଦେବଙ୍କ ସହିତ ଯମେଶ୍ୱରଙ୍କ ଦେଉଳକୁ ବିଜେ କରନ୍ତି । ସେଠାରେ ଆଳତି ବିଧି ସରିବା ପରେ ମହାପ୍ରଭୁ ଯମେଶ୍ୱର ଦେଉଳ ଜଗମୋହନକୁ ବିଜେ କରିଥିଲେ । ସେଠାରେ ପ୍ରଭୁ ଯମେଶ୍ୱରଙ୍କ ସହ ଭେଟ ଆଳତି ହୋଇଥିଲା ଏବଂ ଏହାପରେ ଯମେଶ୍ୱର ଦେଉଳର ଶ୍ରୀଲିଙ୍ଗରାଜ ଭଉଣୀ ଦେବୀ ମା’ କାମାକ୍ଷୀ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ବାହୁଡ଼ିଥିଲେ । ନିକଟସ୍ଥ ଭାରତୀ ମଠରେ ମା’ କାମାକ୍ଷାଙ୍କ ସହ ଭେଟ ଆଳତି ହୋଇଥିଲା । ଭଉଣୀ ଘରେ ବିଜେ କରିବା ପରେ ଶ୍ରୀଲିଙ୍ଗରାଜଙ୍କୁ ମିଠା ବ୍ୟଞ୍ଜନ ଅର୍ପଣ କରାଯାଇଥିଲା । ଏହାପରେ ମହାପ୍ରଭୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ଯାତ୍ରା ଦେଖିବାକୁ ଆଜି ଶହଶହ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇ ଅପେକ୍ଷା କରିଥିଲେ ।

Leave A Reply

Your email address will not be published.