କିଲିମାଞ୍ଜାରୋ ଚଢିଲେ ପରମାନନ୍ଦ

Mount Kilimanjaro is climbed by Paramananda

0 84

ଭୁବନେଶ୍ୱର, ୧୭ା୧୧ : ଢେଙ୍କାନାଳ ଜିଲ୍ଲା ମଣିପୁରଗ୍ରାମ ଜେନାସାହୁପାଟଣା ନିବାସୀ ପରମାନନ୍ଦ ରାଉତ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋକୁ ସଫଳତାର ସହ ଆରୋହଣ କରିଛନ୍ତି । ଗତ ୯ ତାରିଖରେ ଭୁବନେଶ୍ୱରରୁ ମୁମ୍ବାଇ ଦେଇ ତାଞ୍ଜାନିଆର କିଲିମାଞ୍ଜାରୋ ବିମାନବନ୍ଦରରେ ଓହ୍ଲାଇଥିଲେ । ସେଠାରେ ଗୋଟିଏ ଦିନ ବିଶ୍ରାମ ନେଇ ପରଦିନ ତାଞ୍ଜାନିଆ ନ୍ୟାସନାଲ ପାର୍କର “ମୋରାଙ୍ଗୋ’ ଗେଟ୍‌ ଦେଇ ତାଞ୍ଜାନିଆ ପାର୍କ ମଧ୍ୟକୁ ପଶିଥିଲେ । ଦ୍ୱିତୀୟ ଦିନ ମାଣ୍ଡରା ହଟ୍‌ (୧୮୬୦ମି), ତୃତୀୟ ଦିନ ହରମ୍ବୋ ହଟ୍‌ (୨୭୦୦ମି), ଚତୁର୍ଥଦିନ ଲିବୋ ହଟ୍‌ (୩୭୦୦ମି), ପଞ୍ଚମ ଦିନ କିବୋ ହଟରୁ ବେସ୍‌ କ୍ୟାମ୍ପଠାରେ ପହଞ୍ଚିଥିଲେ । ବୁଧବାର ସକାଳ ୭ଟାରେ ପରମାନନ୍ଦ କିଲିମାଞ୍ଜାରୋ ଶିଖରରେ ସାଥୀ ପର୍ବତାରୋହୀଙ୍କ ସହ ପହଞ୍ଚିଥିଲେ । ସାଙ୍ଗରେ ଗାଇଡ୍‌ଙ୍କ ସହ ଜାତୀୟ ପତାକା ଉଡ଼ାଇ କିଛିସମୟ ଶିଖରରେ ରହିବା ସହ ପୁନର୍ବାର ବେସ୍‌ କ୍ୟାମ୍ପ ଦେଇ ତଳକୁ ଓହ୍ଲାଇଥିଲେ । ପିତା ଧୋଇଆ ରାଉତ ଓ ମାତା କାଞ୍ଚନ ରାଉତଙ୍କ ସାନ ପୁଅ ପରମାନନ୍ଦୟ ୨ବର୍ଷ ପୂର୍ବରୁ ପର୍ବତାରୋହଣ ପାଇଁ ମନ ବଳାଇଥିବା ପରମାନନ୍ଦ ଉତ୍ତରାଖଣ୍ଡର କେଦାରକଣ୍ଟରେ ଟ୍ରେକିଂ କରି କିଛି ଅଭିଜ୍ଞତା ହାସଲ କରିଥିଲେ । ଏହି ଅଭିଜ୍ଞତା ଓ ଦୃଢ ମନୋବଳ ୨୩ ବର୍ଷୀୟ ଏହି ଯୁବକଙ୍କୁ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ ଚିବା ଲକ୍ଷ୍ୟରେ ବାହାରିଥିଲେ । ଓଡ଼ିଶାର ପ୍ରଥମ ପର୍ବତାରୋହୀ ତଥା ପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ଜିଲ୍ଲା ଢେଙ୍କାନାଳକୁ ପରମାନନ୍ଦ ଗୌରବାନ୍ୱିତ କରିଛନ୍ତି । ଆଗକୁ ଆହୁରି ଯୁବକ ଯୁବତୀ ଢେଙ୍କାନାଳ ଜିଲ୍ଲାରୁ ପର୍ବତାରୋହଣ ପାଇଁ ବାହାରି ଜିଲ୍ଲା ଓ ରାଜ୍ୟକୁ ଗୌରବାନ୍ୱିତ କରିବେ ବୋଲି ପରମାନନ୍ଦଙ୍କ ପଥ ପ୍ରଦର୍ଶକ ପର୍ବତାରୋହୀ ନୃସିଂହ ସାହୁ କହିଛନ୍ତି । ଏଥିସହ ଏଭରେଷ୍ଟ ଆରୋହୀ ସ୍ୱର୍ଣ୍ଣଲତା ପ୍ରଧାନ, ସିଦ୍ଧାର୍ଥ ରାଉତରାୟ, ପର୍ବତାରୋହୀ ଚିନ୍ମୟ ମହାରଣା, ମଧୁସ୍ମିତା ପାତ୍ର, ସଲିମ ଜାରକା, ଭବାନୀ, ଶ୍ରୀନିବାସ ନାଥ, ଲିପିକା ସେଠ୍‌, କୁଶ ଆର୍ଲଟ, ଆଦିତ୍ୟ ଖାଡ଼ଙ୍ଗା, ନୀଳାଚଳ ପରିଡ଼ା ଓ ଓଡ଼ିଶାର ଜଣାଶୁଣା ପାରାଗ୍ଲାଇଡିଂ ତଥା ଆଡଭେଞ୍ଚର କମ୍ପାନୀ “ଗ୍ରିନ ସ୍କେପ୍‌’ ଆଡ଼ଭେଞ୍ଚର ପ୍ରା ଲିଃ ଏମଡି ଶଶାଙ୍କ ଶେଖର ରଥ ଓ ସିଇଓ କମାଣ୍ଡର ଡିକେ ମିଶ୍ର ଏହି ସଫଳତା ପାଇଁ ପରମାନନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରମାନନ୍ଦ ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.