ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

The Lord appeared in the form of Laxminarayan

0 84

ପୁରୀ,୨୩ା୧୧ : ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ବେଶ ସମ୍ପନ୍ନ ହୋଇଛି ଏହା ଠିଆକିଆ ବେଶ ନାମରେ ଏହା ସର୍ବଜନ ବିଦିତ । ଏଥିସହିତ ପରମ୍ପରା ଅନୁଯାୟୀ ପବିତ୍ର ପଞ୍ଚକ ପ୍ରାରମ୍ଭ ଦିବସ ତଥା ଏକାଦଶୀ ତିଥିରେ ସମ୍ପନ୍ନ ହୋଇଛି ହରି ଉତ୍‌ଥାପନ ନୀତି । ଶ୍ରୀବିଗ୍ରହମାନଙ୍କର ଏହି ଚିତାକର୍ଷକ ବେଶ ଦେଖିବା ଲାଗି ଦର୍ଶନାର୍ଥୀମାନଙ୍କ ପ୍ରବଳ ଭିଡ଼ି ପରିଲକ୍ଷିତ ହୋଇଥିଲା । ଲକ୍ଷ୍ମୀନାରାୟଣ ବେଶରେ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ସ୍ୱର୍ଣ୍ଣ ଶ୍ରୀଭୁଜ ଓ ଶ୍ରୀପୟର ଲାଗି କରାଯାଇଥିଲା । ଦାରୁବିଗ୍ରହମାନଙ୍କ ମସ୍ତକରେ ସ୍ୱର୍ଣ୍ଣ କିରିଟି ଶୋଭାପାଉଥିଲା । ବିଗ୍ରହମାନଙ୍କୁ କର୍ଣ୍ଣ, କଦମ୍ବମାଳି, ହରିଡା କଦମ୍ବମାଳି, ବାହାଡା ମାଳି, ତାବିଜମାଳି, ବାଘନଖିମାଳି, ସେବତୀମାଳି, ଘାଗଡାମାଳି,ଅଳକା, ଶ୍ରୀମୁଖ ପଦ୍ମ, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ ଓ ସ୍ୱର୍ଣ୍ଣକିଆ ଖଚିତ ଟୋପରରେ ସଜ୍ଜିତ କରାଯାଇଥିଲା । ସ୍ୱର୍ଣ୍ଣ କୁଣ୍ଡଳ ଓ ତ୍ରିଶାଖାରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଭୂଷିତ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ଦୁଇ ସ୍ୱର୍ଣ୍ଣ ଶ୍ରୀଭୁଜରେ ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ଶୋଭାପାଉଥିଲା । ପ୍ରଭୁ ବଳଭଦ୍ର ହଳ ଓ ମୂଷଳ ଧାରଣ କରିଥିଲେ । ଦେବୀ ସୁଭଦ୍ରାଙ୍କୁ ୨ଟି ତଡଗୀରେ ଭୂଷିତ କରାଯାଇଥିଲା । ପାଟବସ୍ତ୍ର ଓ ପୁଷ୍ପମାଲ୍ୟରେ ସଜ୍ଜିତ ତିନି ଠାକୁରଙ୍କ ସ୍ୱର୍ଣ୍ଣ କିରିଟିର ପଶ୍ଚାତ ଭାଗରେ ସ୍ୱର୍ଣ୍ଣ କିଆ ଖଞ୍ଜାଯାଇଥିଲା । ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ବେଶ ମଇଲମ୍‌ କରାଯାଇ ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଯାଇ ଦାରୁ ବିଗ୍ରହମାନଙ୍କର ଏହି ବେଶ ଦର୍ଶନ କରିଥିଲେ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାଦ୍ଦୀରୁ ଏହି ବେଶ ପ୍ରଚଳନ ହୋଇଥିବା କୁହାଯାଏ । ଆଜରି ବଡସିଂହାର ବେଶ ଓ ବଡ ସିଂହାର ଭୋଗ ଶେଷ ହେବା ପରେ ହରି ଉତ୍‌ଥାପନ ନୀତି ସମ୍ପନ୍ନ ହୋଇଥିଲା । ଭିତରେ ମହାସ୍ନାନ ପୂଜାଠା କରାଯିବା ସହ ପୂଜାପଣ୍ଡା ଓ ମୁଦିରସ୍ତ ଖଟଶେଯ ଉପରକୁ ଯାଇଥିଲେ । ତଢାଉକରଣଙ୍କ ଦ୍ୱାରା ଶୟନ ପେଡ଼ିର ମୁଦ ଭଙ୍ଗା ଯାଇଥିଲା । ପରେ ମୁଦିରସ୍ତ ଶୟନ ପେଡି ଠାକୁରଙ୍କୁ ପ୍ରାର୍ଥନା ଓ କର୍ପୁର ଆଳତୀ କରିଥିଲେ । ଅଞ୍ଜଳି କରି ତିନୋଟି ରୂପା ଥାଳିରେ ଶୟନ ପେଡିରୁ ତିନି ଠାକୁରଙ୍କୁ ବିଜେ କରାଇ ପୂଜାପଣ୍ଡାଙ୍କୁ ଦେଇଥିଲେ । ପୂଜାପଣ୍ଡା ମହାସ୍ନାନ ପାଇଁ ପଡିଥିବା ଖଟୁଲିରେ ଠାକୁରମାନଙ୍କୁ ବିଜେ କରାଇ ମହାସ୍ନାନ ନୀତି କରିଥିଲେ । ତିନି ଠାକୁରଙ୍କୁ ସିଂହାସନ ଉପରେ ବିଜେ କରାଯାଇଥିଲା । ପୂଜାପଣ୍ଡା, ପତି ଓ ମୁଦିରସ୍ତ ତିନୋଟି ରୂପା ପିଙ୍ଗଣରେ ଘଟୁଆରୀ ଘରଠାରୁ ଚନ୍ଦନ ବିଜେ କରାଇଆଣି ସର୍ବାଙ୍ଗ ଲାଗି କରିଥିଲେ । ଠାକୁରଙ୍କୁ ନୂଆଲୁଗା, ଫୁଲ ଓ ଛମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ବେଶ କରାଯାଇଥିଲା । ବଲ୍ଲଭ ବଡ଼ସିଂହାର ଭୋଗ, ଘଣ୍ଟ, ଛତା ଓ କାହାଳୀ ସହ ତଳିଚ୍ଛ ପଟୁଆରରେ ଛାମୁକୁ ଆସିବା ପରେ
ଷୋଡଶ ଉପଚାରରେ ମଣୋହି କରାଯାଇଥିଲା । ଭୋଗ ପରେ କର୍ପୁର ଆଳତୀ ଓ ବନ୍ଦାପନା ହୋଇ ଶୟନ ଠାକୁର ଭଣ୍ଡାର ବିଜେ କରିଥିଲେ । ପରେ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ତଢାଉ ମଇଲମ୍‌ କରାଇଥିଲେ । ପଇଡ଼, ଘଷାବିଡିଆ, ମଣୋହି ଓ ପୁଷ୍ପାଞ୍ଜଳି ପରେ ଠାକୁରମାନେ ପହୁଡ଼ ହୋଇଥିଲେ ।

Leave A Reply

Your email address will not be published.