ଚୀନ୍‌ରେ ବ୍ୟାପୁଛି ନିମୋନିଆ : ଭାରତରେ ଆଲର୍ଟ

Pneumonia spreading in China: Alert in India

0 93

ନୂଆଦିଲ୍ଲୀ ,୨୬ା୧୧: ଚୀନ୍‌ରେ ବଢ଼ୁଥିବା ନିମୋନିଆ ଓ ଶ୍ୱାସ ରୋଗ ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । ଚୀନରେ ଆତଙ୍କ ଖେଳାଇଥିବା ଏଚ୍‌୯ଏନ୍‌୨ ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଲୋକମାନଙ୍କୁ ସତର୍କ ରହିବା ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ବେଳେ ଏବେ ଭାରତ ସରକାର ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ୱାସ୍ଥ୍ୟସେବା ପ୍ରସ୍ତୁତିର ତୁରନ୍ତ ସମୀକ୍ଷା କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଚୀନରେ ପିଲାମାନଙ୍କ ମଧ୍ୟରେ ମାଇକୋପ୍ଲାଜ୍ମା ନିମୋନିଆ ଓ ଇନଫ୍ଲ୍ୟୁଏଞ୍ଜା ଫ୍ଲ୍ୟୁ ପ୍ରସାର ଯୋଗୁଁ ଉତ୍ପନ୍ନ ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବା ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ବିଶେଷ ନିର୍ଦ୍ଦେଶ ଦେଇଛି । ଏହାଛଡ଼ା ଇନଫ୍ଲ୍ୟୁଏଞ୍ଜା ଓ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ଏକ ଚିଠିରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବାର ତୁରନ୍ତ ସମୀକ୍ଷା କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କହିଛନ୍ତି । ସମସ୍ତ ରାଜ୍ୟକୁ ସତର୍କ ନଜର ରଖିବାକୁ କୁହାଯାଇଛି । କରୋନା ମହାମାରୀର ତିନି ବର୍ଷ ପରେ ଚୀନ୍‌ରେ ଶ୍ୱାସ ରୋଗର ଲହର ଦେଖିବାକୁ ମିଳିଛି । ଏହା ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି । କୋଭିଡ୍‌-୧୯ ଭଳି ପରିସ୍ଥିତି ଏଡ଼ାଇବା ପାଇଁ ସମସ୍ତ ରାଜ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ସରକାର କହିଛନ୍ତି ଯେ ସମ୍ପ୍ରତି ଶ୍ୱାସ ରୋଗ ମାମଲା ଅଧିକ ରିପୋର୍ଟ ହେଉଛି ଯେଉଁଥିରେ ସ୍ୱାଇନ୍‌ ଫ୍ଲ୍ୟୁ, ମାଇକୋପ୍ଲାଜମା ନିମୋନିଆ ଓ ଏସ୍‌ଏଆର୍‌ଏସ୍‌ ସିଓଭି-୨ ସାମିଲ । କିନ୍ତୁ ବର୍ତ୍ତମାନ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.