ତମାଖୁଜାତୀୟ ସାମଗ୍ରୀ ଉପରେ ଟିକସ ବଢ଼ାଅ

Increase taxes on tobacco products

0 70

ନୂଆଦିଲ୍ଲୀ: ତମାଖୁଜାତୀୟ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଉପରେ ବଜେଟରେ ଟିକସ ବଢ଼ାଇବା ପାଇଁ ବିଶେଷଜ୍ଞମାନେ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି । ସମସ୍ତ ପ୍ରକାର ତମାଖୁଜାତୀୟ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇବା ପାଇଁ ସେମାନେ ମତ ଦେଇଛନ୍ତି । ଦେଶରେ ତମାଖୁଜନିତ ସାମଗ୍ରୀର ବ୍ୟବହାର ହ୍ରାସ କ୍ଷେତ୍ରରେ ଟିକସ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଅଧିକାଂଶ ଦେଶ ଏହି ଉପାୟକୁ ଆପଣାଇଛନ୍ତି । ନିକଟରେ ହୋଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଗତ ୧୦ ବର୍ଷ ମଧ୍ୟରେ ଅଧିକରୁ ଅଧିକ ସୁଲଭ ହେବାରେ ଲାଗିଛି । ନିକଟରେ ସିଗାରେଟ ଉପରେ ଏନ୍‌ସିସିଡି( ନ୍ୟାସନାଲ କାଲାମିଟି କଣ୍ଟିଜେଣ୍ଟ ଡ୍ୟୁଟିଜ୍‌)ରେ ସାମାନ୍ୟ ବୃଦ୍ଧି କରାଯାଇଛି । ଏହାକୁ ବାଦ୍‌ ଦେଲେ ତମାଖୁଜାତୀୟ ଅନ୍ୟ ଉତ୍ପାଦ ଉପରେ ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ଟିକସ ବୃଦ୍ଧି ହୋଇନାହିଁ ବୋଲି କୋଚିସ୍ଥିତ ରାଜାଗିରି କଲେଜ ଅଫ୍‌ ସୋସିଆଲ ସାଇନ୍‌ସେସ୍‌ର ଆଡଜଙ୍କଟ ପ୍ରଫେସର ଡ ରିଜୋ ଜନ୍‌ କହିଛନ୍ତି । ସମସ୍ତ ପ୍ରକାର ଟିକସକୁ ମିଶାଇଲେ ସିଗାରେଟ ଉପରେ ଟିକସ ବୋଝ ପ୍ରାୟ ୪୯.୩ ପ୍ରତିଶତ ରହିଛି ଏବଂ ବିଡି ଉପରେ ୨୨ ପ୍ରତିଶତ ଟିକସ ଏବଂ ଧୂମବିହୀନ ତମାଖୁ ଉପରେ ୬୩ ପ୍ରତିଶତ ଟିକସ ଆଦାୟ ହେଉଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପାରିସ ଅନୁସାରେ ତମାଖୁଜାତୀୟ ଉତ୍ପାଦର ଖୁଚୁରା ମୂଲ୍ୟ ଉପରେ ଟିକସ ବୋଝ ଅତିକମ୍‌ରେ ୭୫ ପ୍ରତିଶତ ହେବା ଆବଶ୍ୟକ । ତେଣୁ ବଜେଟରେ ତମାଖୁଜାତୀୟ ଉତ୍ପାଦ ଉପରେ ଟିକସ ବୃଦ୍ଧି ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ମହାମାରୀ ପରି ତମାଖୁ ଭାରତରେ ବର୍ଷକୁ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି । ତେଣୁ ଲୋକଙ୍କ ଠାରୁ ଏହି ଉତ୍ପାଦ ଯେଭଳି ଦୂରରେ ରହିବ ସେଥିପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ଭାରତରେ ପ୍ରାୟ ୫୦ ପ୍ରତିଶତ କର୍କଟ ରୋଗ ତମାଖୁ ଯୋଗୁ ହେଉଛି । ତେଣୁ ଟିକସ ବଢ଼ିଲେ ଏହାର ବ୍ୟବହାର କମିବ ବୋଲି ଟାଟା ମେମୋରିଆଲ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡା ପଙ୍କଜ ଚତୁର୍ବେଦୀ କହିଛନ୍ତି । ଭାରତରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ତମାଖୁ ବ୍ୟବହାରକାରୀ (୨୬୮ ନିୟୁତ) ଲୋକ ରହିଛନ୍ତି ।

Leave A Reply

Your email address will not be published.