ଟି-୨୦ ଓ ଦିନିକିଆ ସିରିଜରୁ ବ୍ରେକ୍‌ ନେବେ ବିରାଟ!

Virat will take a break from T-20 and One Day series!

0 49

ମୁମ୍ବାଇ, ୨୯ା୧୧: କ୍ରିକେଟରୁ କିଛି ସମୟ ପାଇଁ ବ୍ରେକ୍‌ ନେବେ କିଙ୍ଗ କୋହଲି । ଆଗାମୀ ଟି-୨୦ ବିଶ୍ୱକପ୍‌, ୱାଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ବିରାଟ କିଛି ଦିନ କ୍ରିକେଟରୁ ବିଶ୍ରାମ ନେଇପାରନ୍ତି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ଭାରତୀୟ ଟିମ୍‌ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି । ଏଥିର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ନିକଟରେ ବିଶ୍ୱକପ୍‌ ଶେଷ ହୋଇଥିବାରୁ ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏହାପରେ ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ରହିଛି । ଯେଉଁଠାରେ ୩ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌, ୩ ଟିକିଆ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଏବଂ ୨ ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ । ଏହି ସିରିଜ୍‌ ପାଇଁ ସମସ୍ତ ବରିଷ୍ଠ ଖେଳାଳି ଦଳକୁ ଫେରିବେ ବୋଲି ଅନୁମାନ କରାଯାଉଛି । ଡିସେମ୍ବର ୧୦ରୁ ଜାନୁଆରୀ ୩ ଯାଏଁ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିବ ଭାରତୀୟ ଟିମ୍‌ । ତେବେ ଟି-୨୦ ଏବଂ ଦିନିକିଆ ସିରିଜ୍‌ ଚୟନ ପୂର୍ବରୁ ବିରାଟ କୋହଲି ବିସିସିଆଇକୁ ବିଶ୍ରାମ ନେଇ ଅନୁରୋଧ କରିଛନ୍ତି । ଆଗାମୀ ଦିନିକିଆ ଏବଂ ଟି-୨୦ ସିରିଜରେ ତାଙ୍କୁ ବିଶ୍ରାମ ଦେବାକୁ କହିଛନ୍ତି । ବାକି ଟେଷ୍ଟ ସିରିଜରେ ସେ ଖେଳିବା ପାଇଁ ଉପଲବ୍ଧ ରହିବେ ବୋଲି ଜଣାଇଛନ୍ତି । ଯାହାଫଳରେ କି ଉଭୟ ଟି-୨୦ ଏବଂ ଦିନିକିଆ ସିରିଜରେ ବିରାଟଙ୍କୁ ମିସ୍‌ କରିବେ ଫ୍ୟାନ୍ସ । ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବିରାଟଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପାଇଁ କ୍ରିକେଟରୁ ବିଶ୍ରାମ ନେଇ ଉଭୟ ବିରାଟ ଏବଂ ବିସିସିଆଇ ମୁହଁ ଖୋଲିନାହାନ୍ତି । ତେଣୁ ଆଗାମୀ ଦିନରେ ଟିମ ଚୟନ ପରେ ହିଁ ପୁରା ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.