ଦେଶ-ବିଦେଶରେ ଭାରତ ଜେନେରିକ୍‌ ଔଷଧର ଚାହିଦା ବଢୁଛ

The demand for generic medicines in India is increasing at home and abroad

0 58

ନୂଆଦିଲ୍ଲୀ: ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ । କାରଣ ଏଠାରୁ ସମଗ୍ର ବିଶ୍ୱକୁ ଔଷଧ ଯୋଗାଇ ଦିଆଯାଇଥାଏ । କାରଣ ଭାରତରେ ବଡ଼ ବଡ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡିକ ବ୍ରାଣ୍ଡେଡ୍‌ ଔଷଧ ପ୍ରସ୍ତୁତ କରିଥାନ୍ତି । ଅପରପକ୍ଷେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡିକ ମୁଖ୍ୟତଃ ଜେନେରିକ୍‌ ଔଷଧ ପ୍ରସ୍ତୁତ କରିଥାନ୍ତି, ଯାହାର ଦେଶ ତଥା ବିଦେଶରେ ବହୁତ ଚାହିଦା ରହିଛି । ତେଣୁ କେନ୍ଦ୍ର ସରକାର ବର୍ତ୍ତମାନ ଏହି କମ୍ପାନୀଗୁଡିକର ଔଷଧର ଗୁଣକୁ ନେଇ ଅତ୍ୟନ୍ତ ସଜାଗ ହୋଇଯାଇଛନ୍ତି । ନିକଟରେ ଗାମ୍ବିଆରେ ଶିଶୁମାନଙ୍କ ମୃତ୍ୟୁ ପାଇଁ ଭାରତରେ ନିର୍ମିତ କାଶ ସିରପ୍‌କୁ ଦାୟୀ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌ (ସିଡିଏସ୍‌କୋ) ସହିତ ରାଜ୍ୟ ସ୍ତରର ଔଷଧ ନୀରିକ୍ଷକମାନେ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡିକ ଦ୍ୱାରା ପ୍ରସ୍ତୁତ ଔଷଧର ଯାଞ୍ଚ କରିଥିଲେ । ଯାହାଦ୍ୱାରା ଦେଶରେ ଖରାପ ଗୁଣବତ୍ତା ବିଶିଟେ ଔଷଧ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକୁ ଚିହ୍ନଟ କରାଯାଇପାରିବ । ରିପୋର୍ଟ ଅନୁଯାୟୀ, ଏହି ଅଭିଯାନରେ ଯାଞ୍ଚ କରାଯାଇଥିବା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ସମସ୍ତ ସଂସ୍ଥା ମଧ୍ୟରୁ ପ୍ରାୟ ୬୮% କମ୍ପାନୀର ଔଷଧ “ମାନକ ଗୁଣବତ୍ତା’ ପୂରଣ କରୁ ନଥିବା ଜଣାପଡିଛି । ଗତ ବର୍ଷ ଡିସେମ୍ବରରୁ ଏହି ଯାଞ୍ଚ ଚାଲିଥିଲା । ସୂତ୍ରରୁ ପ୍ରକାଶ ଯେ ଏହି ସମସ୍ତ ଏମଏସଏମଇ କମ୍ପାନୀ ମଧ୍ୟରୁ ୩୦ ପ୍ରତିଶତ କମ୍ପାନୀକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବର୍ତ୍ତମାନ ଏକ ଉଦ୍‌ବେଗଜନକ ପରିସ୍ଥିତି । ସମ୍ପ୍ରତି ଔଷଧର ବିପଦ ଭିତ୍ତିକ ଯାଞ୍ଚର ଏହି ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି । ଏହି ଅବଧି ମଧ୍ୟରେ, ୨୨ଟି କମ୍ପାନୀରୁ ୪୪୬ ଟି ନମୁନା ସଂଗ୍ରହ କରାଯାଇଛି । ଏଥିମଧ୍ୟରୁ ୨୭୧ ଟି ମାମଲାରେ ବିସ୍ତୃତ ଅନୁସନ୍ଧାନ କରାଯାଇଛି । ଏହି ୨୭୧ ଟି ନମୁନା ମଧ୍ୟରୁ ୨୩୦ ଟି ମାନକ ଗୁଣବତ୍ତା ହୋଇଥିବାବେଳେ ୪୧ଟି ମାନକ ଗୁଣବତ୍ତା ପୂରଣ କରୁନାହିଁ । ଅର୍ଥାତ୍‌ ଏହି ଔଷଧଗୁଡିକର ମାନ ଅତ୍ୟନ୍ତ ଖରାପ ବୋଲି ଜଣାପଡିଛି । ୧୯୮୮ ମସିହାରେ ଦେଶରେ ଉତ୍ତମ ଉତ୍ପାଦନ ଅଭ୍ୟାସ’ (ଜିଏମ୍‌ପି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଜିଏମ୍‌ପି ନିୟମର ଉଦ୍ଦେଶ୍ୟ ହେଉଛି ଔଷଧର ମାନକ ଗୁଣବତ୍ତା ବଜାୟ ରଖିବା । ଏହାର ଶେଷ ସଂଶୋଧନ ୨୦୦୫ରେ କରାଯାଇଥିଲା । ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟା ଘୋଷଣା କରିଛନ୍ତି ଯେ ୨୫୦ କୋଟି କିମ୍ବା ତା’ଠାରୁ ଅଧିକ କାରବାର କରୁଥିବା କମ୍ପାନୀମାନଙ୍କୁ ୬ ମାସ ମଧ୍ୟରେ ଜିଏମ୍‌ପି ଲାଗୁ କରିବାକୁ ପଡିବ । ବାକି କମ୍ପାନୀଗୁଡିକ ଏଥିପାଇଁ ୧ ବର୍ଷ ସମୟ ପାଇବେ । ଯଦି କମ୍ପାନୀଗୁଡିକ ଠିକ୍‌ ସମୟରେ ତାହା ନ କରନ୍ତି, ତେବେ ସେମାନଙ୍କୁ ଉପରେ ଜରିମାନା ଲାଗୁ କରାଯିବ ।

Leave A Reply

Your email address will not be published.