ଅଧିକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ପରାମର୍ଶ |

Recommend hiring more skilled workers |

0 82

ପୁରୀ,୨ା୧୨ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଦିଗରେ ପଦକ୍ଷେପ ନେବା, ମଠଗୁଡିକର ପୁନରୁଦ୍ଧାର କାର୍ଯ୍ୟ, ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପେ୍ଲକ୍ସ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପ୍ରତ୍ୟୁଷ ପୁରୀ ଗସ୍ତରେ ଆସି ସକାଳ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍‌ ଦୋଳବେଦୀ ଅଞ୍ଚଳର ତ୍ୱରିତ ବିକାଶ ଏମାରମଠ, ପଞ୍ଜାବୀ ମଠ ଆଦିର ପୁନରୁଦ୍ଧାର ଓ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ଚିତ୍ରାଦି କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ଶ୍ରୀ ପାଣ୍ଡିଆନ ଭକ୍ତମାନଙ୍କ ସ୍ୱଚ୍ଛନ୍ଦ ଦର୍ଶନ ପାଇଁ ମରିଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ସିଂହଦ୍ୱାର ଠାରୁ ମରିଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରୁ ଭେଣ୍ଡିଂ ଜୋନ୍‌ ହଟାଇ ଅନ୍ୟତ୍ର ଥଇଥାନ କରିବାକୁ ଶ୍ରୀ ପାଣ୍ଡିଆନ୍‌ ପରାମର୍ଶ ଦେଇଥିଲେ । ସେହିପରି ଶ୍ରୀ ମନ୍ଦିର ଉତ୍ତର-ଦକ୍ଷିଣ ଓ ପଶ୍ଚିମ ପାଶ୍ୱର୍ର ଲ୍ୟାଣ୍ଡସ୍କେପିଙ୍ଗ କାମ ୯ ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ମଠ ପୁନଃନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍‌ ପରାମର୍ଶ ଦେଇଥିଲେ । ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ଶେଷ କରିବା, ସେଠାରେ ଥିବା ବିଭିନ୍ନ ପୋଲ୍‌, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍‌ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.