ମିଗ୍‌ଜୋମ: ଓଡ଼ିଶାକୁ ନାହିଁ ସିଧାସଳଖ ପ୍ରଭାବ |

Migzom: No direct impact on Odisha |

0 47

ଭୁବନେଶ୍ୱର : ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ପ୍ରଭାବ । କିନ୍ତୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ୩ ଦିନ ପ୍ରବଳ ବର୍ଷା ହେବ । ଆନ୍ଧ୍ରରେ ହିଟ୍‌ କରିବା ପରେ ବାତ୍ୟା ମିଗ୍‌ଜୋମ ଦୁର୍ବଳ ହୋଇ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ । ସେତେବେଳକୁ ସୁଦୃଶ୍ୟ ଲଘୁଚାପ ଓ ପରେ ଲଘୁଚାପରେ ପରିଣତ ହେବ । କିନ୍ତୁ ଏହା ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ରବଳ ବର୍ଷା ପାଇଁ କାଲି ସକାଳ ପର୍ଯ୍ୟନ୍ତ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଏବଂ ୬ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମିଗ୍‌ଜୋମ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ହେବା ସହିତ ଝିପିଝିପି ବର୍ଷା ମଧ୍ୟ ଜାରି ରହିଛି । ପବନ ଅଧିକ ନ ବହିଲେ ମଧ୍ୟ ବର୍ଷା ଦ୍ୱାରା ଧାନ ଫସଲ କ୍ଷତି ହେବାର ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାର ଖବର ଶୁଣି ଚାଷୀ ମନରେ ଛନକା ପସିଛି । ଅମଳ ଋତୁରେ ଅଦିନିଆ ବର୍ଷା ତାର ବର୍ଷକର ରୋଜଗାର ଛଡ଼ାଇ ନେବାର ଆଶଙ୍କାରେ ଅମଳ ପାଇଁ ବ୍ୟସ୍ତ ହୋଇପଡ଼ିଛି ଚାଷୀକୂଳ । ତେଣୁ ବର୍ଷକର ଦାନାପାଣିକୁ ସୁରକ୍ଷିତ ରଖିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛି । ସ୍ୱତନ୍ତ୍ର ରିଲିଫ କମିଶନର ଓ ରାଜ୍ୟ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଫସଲ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଓ ପକ୍କା ଘର ଭୁଷିଡ଼ିବା ଆଶଙ୍କା ଥିବାରୁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି । ଏଥିସହିତ ଅଗ୍ନିଶମବାହିନୀ ମଧ୍ୟ ସଜାଗ ଅଛନ୍ତି । ବାତ୍ୟା ପ୍ରଭାବରେ ଅଶାନ୍ତ ରହିଛି ସମୁଦ୍ର । ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକୁ ୨ନଂ ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.