ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ

West Indies defeated England by 4 wickets

0 106

ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ୱିକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍‌ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍‌ । ବିଶ୍ୱକପ ବିଫଳତା ପରେ ଆଉ ଏକ ପରାଜୟ ହାସଲ କରିଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୨୫ ରନରେ ସମସ୍ତ ୱିକେଟ ହରାଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌ ୭ ବଲ୍‌ ବାକିଥାଇ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସାର ଭିଭିଆନ୍‌ ରି•ଡର୍ସ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଓପନର ଫିଲ ସଲ୍ଟ(୪୫) ଓ ୱିଲ ଜ୍ୟାକ୍ସ(୨୬) ପ୍ରଥମ ୱିକେଟରେ ୭୭ ରନ୍‌ ଯୋଡିଥିଲେ । ସମାନ ସ୍କୋରରେ ଉଭୟ ଓପନର ଆଉଟ ହେବା ପରେ ଜ୍ୟାକ୍‌ କ୍ରଲି ୪୮ ଓ ବେନ୍‌ ଡକେଟ୍‌ ୨୦ ରନ୍‌ କରିଥିଲେ । ତେବେ ହ୍ୟାରୀ ବ୍ରୁକ୍‌ ୭୨ ବଲରୁ ୭୧ ରନ୍‌ କରି ଇଂଲଣ୍ଡକୁ ଏକ ଦୃଢ ସ୍କୋର ପ୍ରଦାନ କରିଥିଲେ । ବ୍ରୁକଙ୍କ ଇନିଂସରେ ୭ ଚୌକା ଓ ୨ ଛକା ସାମିଲ ଥିଲା । ପରେ ଶେଷ ଭାଗରେ ସାମ୍‌ କୁରାନ(୩୮) ଓ ବ୍ରାଇଡେନ୍‌ କାର୍ସ(୩୧ ଅପରାଜୟ) ରନ୍‌ କରିବାରୁ ଦଳ ୩୨୫ ରନରେ ପହଞ୍ଚିଥିଲା । ଘରୋଇ ଦଳ ପକ୍ଷରୁ ଗୁଡାକେଶ ମୋତି, ଓଶେନ୍‌ ଥୋମାସ୍‌ ଓ ରୋମାରିଓ ଶେଫର୍ଡ ଦୁଇଟି ଲେଖାଏ ୱିକେଟ ନେଇଥିଲେ । ୩୨୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ବେଳେ ୱେଷ୍ଟଇଣ୍ଡିଜକୁ ଏକ ଭଲ ଆରମ୍ଭ ପ୍ରଦାନ କରିଥିଲେ ଓପନର ବ୍ରାଣ୍ଡନ୍‌ କିଙ୍ଗ(୩୫) ଓ ଆଲିକ୍‌ ଅଥାଞ୍ଜେ(୬୬) । ଉଭୟ ପ୍ରଥମ ୱିକେଟରେ ୧୦୪ ରନ୍‌ ଯୋଡିଥିଲେ । ଅଥାଞ୍ଜେ ୬୫ ବଲ୍‌ ଖେଳି ୯ ଚୌକା ଓ ୨ ଛକା ମାରିଥିଲେ । କେସି କାର୍ଟି ୧୬ ରନ୍‌ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ଶାଇ ହୋପ ଅପରାଜିତ ୧୦୯ ରନ୍‌ କରିଥିଲେ । ୮୩ ବଲ୍‌ ଖେଳି ସେ ୪ ଚୌକା ଓ ୭ ଛକା ମାରିଥିଲେ । ସିମରନ୍‌ ହେଟମେୟର(୩୨) ଓ ରୋମାରିଓ ଶେଫର୍ଡ(୪୯)ଙ୍କୁ ସାଥୀ କରି ଦଳକୁ ମ୍ୟାଚ୍‌ ଜିତାଇଥିଲେ । ଶେଫର୍ଡଙ୍କ ସହିତ ସେ ୮୯ ରନର ଭାଗୀଦାରି କରିଥିଲେ । ଇଂଲଣ୍ଡ ପକ୍ଷରୁ ସାମ କୁରାନ୍‌ ୯.୫ ଓଭରରେ ୯୮ ରନ୍‌ ବ୍ୟୟ କରିଥିଲେ । ଇଂଲଣ୍ଡ ପକ୍ଷରୁ ଗସ୍‌ ଆଟକିନ୍ସନ୍‌ ଓ ରେହାନ୍‌ ଅହମଦ୍‌ ୨ଟି ଲେଖାଏ ୱିକେଟ ନେଇଥିଲେ । ବ୍ରାଇଡେନ୍‌ କାର୍ସ ଓ ଲିଆମ ଲିଭିଙ୍ଗଷ୍ଟୋନ୍‌ ଗୋଟିଏ ଲେଖାଏ ୱିକେଟ ନେଇଥିଲେ । ଶାଇ ହୋପ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.