କଳିଙ୍ଗ ରଥ: ବିଜୁଙ୍କ ବୀରତ୍ୱ ଓ ଜନସେବାର ପ୍ରତୀକ

King's Chariot: A symbol of Biju's valor and public service

0 58

ଭୁବନେଶ୍ୱର,୬ା୧୨(ଡିକେ ନ୍ୟୁଜ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ୱିଲ ଷ୍ଟେସନ ୱାଗନ ଗାଡ଼ିକୁ ନେଇଏବେ ଚର୍ଚ୍ଚା ଜୋର ଧରିଛି । ଏହି ଗାଡ଼ି ସହ ଫଟୋ ଉଠାଇ ବିଜୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଭାଇରାଲ ହେଉଛି କଳିଙ୍ଗ ରଥ ସହ ନବୀନଙ୍କ ଫଟୋ । ୱିଲ ଷ୍ଟେସନ ୱାଗନ କହୁଛି ବିଜୁଙ୍କ ସମୃଦ୍ଧିର ଗାଥା । ଇନ୍‌ଷ୍ଟାରେ ଏହାକୁ ପୋଷ୍ଟ କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପୁଣି ବିଜୁ ପ୍ରେମୀଙ୍କ ମନରେ ତାଜା ହେଲା କଳିଙ୍ଗ ରଥ ସ୍ମୃତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଷ୍ଟେସନ ୱାଗନ ଗାଡ଼ି ଯାହାର ନମ୍ବର ଓଆର୍‌-ୟୁ-୫୮୬୭ । ୧୯୫୮ ମସିହାରୁ ୧୯୯୦ ଯାଏଁ ଲମ୍ବା ଯାତ୍ରା । ୩୦ ଜିଲ୍ଲାର କୋଣଅନୁକୋଣରେ କଳିଙ୍ଗ ରଥ ନାଁରେ ପହଞ୍ଚିଛି ଓଡ଼ିଶାବାସୀଙ୍କ ପାଖରେ । ଏହି ଷ୍ଟେସନ ୱାଗନ ଗାଡ଼ିରେ ବିଜୁ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିବା ସହିତ ବହୁ ସ୍ମୃତି ଜଡ଼ିତ ହୋଇ ରହିଛି । ବିଜୁଙ୍କ ବୀରତ୍ୱ ଓ ଜନସେବାର ପ୍ରତୀକ ଭାବରେ ଏହାର ଏହା ପ୍ରତ୍ୟକ ଓଡ଼ିଆଙ୍କ ପାଖରେ ପରିଚିତ । ଗତକାଲି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ିଜୁଙ୍କ ରୁପାନ୍ତରଣ କଳିଙ୍ଗ ରଥ ସହ ଫଟୋ ଉଠାଇ ଓଡ଼ିଶାବାସୀଙ୍କ ସାମ୍ନାକୁ ଆଣିଛନ୍ତି । ରୂପାନ୍ତରିତ ଷ୍ଟେସନ ୱାଗନ ଗାଡ଼ି ଆଗରେ ମୁଖ୍ୟମନ୍ତ୍ରୀ ବିଜୁଙ୍କ ଗାଥା ମଧ୍ୟ ବଖାଣିଛନ୍ତି । ଏହାପରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜ ଇନ୍‌ଷ୍ଟାଗ୍ରାମରେ ଭିଡ଼ିଓ ପୋଷ୍ଟ କରିବାରେ କେଇ ମିନିଟ୍‌ ଭିତରେ ଏହା ଭାଇରାଲ ହୋଇଛି । ଏହି ଗାଡ଼ିକୁ ରାସ୍ତାରେ ଚଲାଇବାକୁ ପରିବହନ ବିଭାଗର ଅନୁମତି ମିଳିଛି । ଫ୍ରଣ୍ଟ ସିଟ୍‌ରେ ବିଜୁଙ୍କ ଜାଗାରେ ବସିବେ ନବୀନ । ୨୩ ବର୍ଷ ହେଲା ଅପ୍ରତିଦ୍ୱନ୍ଦୀ କଳିଙ୍ଗ ରଥରେ ବସି ଷଷ୍ଠ ଥର ରେକର୍ଡ ବିଜୟ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

ବିଜୁବାବୁ ଓ କଳିଙ୍ଗ ରଥର ଇତିହାସ ଓଡ଼ିଶାବାସୀଙ୍କ ମୁଖରେ ପ୍ରଚଳିତ । ଏହି ରଥରେ ସେତେବେଳେ ବିଜୁଙ୍କ ସହ ତାଙ୍କ ଅନୁଗାମୀ ବସି ଲୋକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ନିର୍ବାଚନରେ କଳିଙ୍ଗ ରଥ, ବିଜୁ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କୁ ବିଜୟ ଟିକା ପିନ୍ଧାଇଛି । ବିଜୁଙ୍କ ଷ୍ଟେସନ ୱାଗନ ଗାଡ଼ି ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆଣିବା ପରେ ବିଜୁପ୍ରେମୀ ବେଶ୍‌ ଉତ୍ସାହିତ ଅଛନ୍ତି । ବିଜୁଙ୍କ ସହ କଳିଙ୍ଗ ରଥରେ ବୁଲି ପ୍ରଚାର କରିବାର ଅଭିଜ୍ଞତା ବଖାଣିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇ । ଆଗାମୀ ଦିନରେ ଓଡ଼ିଶାର ଯୁବପୀଢ଼ିଙ୍କ ପାଇଁ ଏହା ଏକ ପ୍ରତୀକ ହୋଇ ରହିବ ବୋଲି ବିଜେଡ଼ି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି । ବିଜୁଙ୍କ ସାରଥୀ କଳିଙ୍ଗ ରଥ ତାଙ୍କର ଦେହାନ୍ତ ପରେ ନବୀନ ନିବାସରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଅଚଳ ଅବସ୍ଥାକୁ ଆସି ଯାଇଥିଲା । ବିଜୁ ପଟ୍ଟନାୟକ ଏବଂ ଓଡ଼ିଶାବାସୀଙ୍କ ସ୍ମୃତି ସହ ଜଡ଼ିତ ଏହି କଳିଙ୍ଗ ରଥକୁ ସଚଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡ଼ିଥିଲେ । ରୂପାନ୍ତରଣ ପରେ ଏହା ନବୀନ ନିବାସରେ ଶୋଭା ପାଉଛି । ଯାହା ବିଜୁଙ୍କ ସ୍ମୃତି ସହିତ ଜଡ଼ିତ ଅନେକ କାହାଣୀକୁ ପୁନରଜନ୍ମ ଦେଇଛି ।

Leave A Reply

Your email address will not be published.