ସରିଲା ବାଲିଯାତ୍ରା: ୯ ଦିନରେ ୨୦୦ କୋଟିର ବ୍ୟବସାୟ

Bali Yatra done: 200 crore business in 9 days

0 103

କଟକ,  : ମଙ୍ଗଳବାର ବିଧିବଦ୍ଧ ଭାବେ ଉଦ୍‌ଯାପିତ ହୋଇଛି ମୁକ୍ତାକାଶ ବାଣିଜ୍ୟିକ ମହାକୁମ୍ଭ ତଥା ଐତିହାସିକ କଟକ ବାଲିଯାତ୍ରା । କିଣାବିକା ଓ ମନୋରଞ୍ଜନର ଏହି ମହୋତ୍ସବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶେଷ ଦିନରେ ପ୍ରାୟ ୪ ଲକ୍ଷ ଲୋକ ଯାତ୍ରା ଉପଭୋଗ କରି ଫେରିଛନ୍ତି । ଶୀତୁଆ ସନ୍ଧ୍ୟାରେ ରଙ୍ଗାରଙ୍ଗ ଅଲୋକମାଳା ସହିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ଶେଷଥର ପାଇଁ ମନଭରି ଦେଖିଛନ୍ତି ଦର୍ଶକ । ମହାନଦୀ ପଠାରେ ୧୪୦୦ରୁ ଅଧିକ ଷ୍ଟଲ୍‌ ସାଙ୍ଗକୁ ୨ହଜାରରୁ ଅଧିକ ବ୍ୟବସାୟୀ ବୁଧବାରଠାରୁ ଘରକୁ ଫେରିଯିବେ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବେପାରୀମାନେ ମଙ୍ଗଳବାରଠାରୁ ଘର ବାହୁଡ଼ା ନିମନ୍ତେ ସମସ୍ତ ପ୍ରସ୍ତୁତି ସାରିଲେଣି । ଦୋଳି ଏବଂ ମୀନା ବଜାର ସାଙ୍ଗକୁ ଜାତୀୟ ପଲ୍ଲିଶ୍ରୀ ମେଳା ଏଥର ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା । କଟକ-ଇନ୍‌କଟକକୁ ଏକ ନୂଆ ରୂପରଙ୍ଗ ଦିଆଯାଇଥିଲା । ଗାଁ ପରିବେଶ ମହକିଥିଲା ମେଳା ପଡ଼ିଆରେ । ଏହା ଭିତରେ ଥିଲା ଅଙ୍ଗନବାଡ଼ି କେନ୍ଦ୍ର, ମିଶନ ଶକ୍‌ତି ଗୃହ, ଗାଁ ପୋଖରୀ, ଗୁହାଳ, ଚାଷବାସର କଥା ସବୁ । ବାଲିଯାତ୍ରା ବୁଲି ଆସୁଥିବା ଲୋକେ କଟକ-ଇନ୍‌-କଟକ ପାଭିଲିୟନକୁ ଯିବାକୁ ଭୁଲି ନ ଥିଲେ । ସେହିଭଳି କଟକର ସଂସ୍କୃତି ଓ ଐତିହ୍ୟକୁ ନେଇ ଚିତ୍ରଶିଳ୍ପୀମାନେ ଏଠାରେ କାନ୍‌ଭାସରେ ଚିତ୍ର ଆଙ୍କୁଥିଲେ । ୯ ଦିନ ଧରି ଏହି ଚିତ୍ରକଳା ପ୍ରଦର୍ଶନୀ ଜାରି ରହିଥିଲା । ରାଜ୍ୟ ବାହାରର ଖ୍ୟାତନାମା ଚିତ୍ରଶିଳ୍ପୀମାନେ ମଧ୍ୟ ପ୍ରଦର୍ଶନୀରେ ସାମିଲ ହୋଇଥିଲେ । ପ୍ରତ୍ୟହ ସନ୍ଧ୍ୟାରେ ମହାନଦୀ କୂଳରେ ହେଉଥିଲା ଆଳତି । ଯାହା ଦେଖିବା ପାଇଁ ଲୋକେ ରୁଣ୍ଡ ହେଉଥିଲେ । ବାଲିଯାତ୍ରାର ଅନ୍ୟ ଦୁଇ ଆକର୍ଷଣ ଥିଲା ଦୁଇଟି ମଞ୍ଚ । ଗଣକବି ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତି ମଞ୍ଚ । ଏହି ଦୁଇ ମଞ୍ଚର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସବୁ ଚିତାକର୍ଷକ ଥିଲା । ବଲିଉଡ୍‌ର କଳାକାରମାନେ ମଧ୍ୟ ଏଥର ବାଲିଯାତ୍ରାର ଭାଗିଦାରୀ ହୋଇଛନ୍ତି । ବଲିଉଡ୍‌ର ମ୍ୟୁଜିକ୍‌ କମ୍ପୋଜର ସଚିନ-ଜିଗରଙ୍କ ଯୋଡ଼ି ଗୋଟିଏ ସନ୍ଧ୍ୟାରେ ଲୋକଙ୍କୁ ବାନ୍ଧି ରଖିଥିଲା । ସେହିପରି ଆଉ ଏକ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ ପ୍ରଖ୍ୟାତ ସଙ୍ଗୀତଜ୍ଞ ଅନୁ ମଲିକ । ଉଭୟଙ୍କ କାର୍ଯ୍ୟକ୍ରମ ଦେଖିବାକୁ ନାହିଁ ନଥିବା ଭିଡ ଜମିଥିଲା । ଓଲିଉଡ୍‌ର ଅଭିଜିତ ମଜୁମଦାର, ପପୁ ପମପମ, ଟି. ସୌରି, ଶିବାନୀ ସଙ୍ଗୀତା, ଶୈଳେନ୍ଦ୍ର ସାମନ୍ତରାୟ, ପୁନମ ମିଶ୍ର, ସୁଭାଶିଷ ଶର୍ମା, ସ୍ୱୟଂ ପାଢ଼ୀ, ଦୀପ୍ତିରେଖା ପାଢ଼ୀ, ସୁପ୍ରିୟା ନାୟକ, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ ପାତ୍ର, ଅର୍ପିତା ଚୌଧୁରୀ, କୁଳଦୀପ ପଟ୍ଟନାୟକ, ତାରିକ ଅଜିଜ୍‌, ସୋହିନୀ ମିଶ୍ର, ବିଷ୍ଣୁମୋହନ କବି, ସତ୍ୟଜିତ ପ୍ରଧାନ ପ୍ରମୁଖ ଅନ୍ୟତମ ଆକର୍ଷଣ ଥିଲେ । କଟକର ଐତିହାସିକ ବାଲିଯାତ୍ରାରେ ଓରମାସ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଜାତୀୟ ପଲିଶ୍ରୀ ମେଳାରେ ଏଥର ରେକର୍ଡ ବ୍ୟବସାୟ ହୋଇଛି । ଏହା ବାଲିଯାତ୍ରା ଇତିହାସରେ ସର୍ବକାଳୀନ ରେକର୍ଡ ବୋଲି ଜଣାପଡିଛି । ଚଳିତ ବର୍ଷ ବାଲିଯାତ୍ରା ୯ଦିନ ଧରି ଆୟୋଜିତ ହୋଇଥିଲା । ଏହି ଅବଧି ମଧ୍ୟରେ ପଲିଶ୍ରୀ ମେଳାରେ ପଡିଥିବା ଷ୍ଟଲ ଗୁଡିକରେ କେବଳ ୩୭କୋଟିରୁ ଅଧିକ ବେପାର ହୋଇଥିବା ଜଣାପଡିଛି । ବାଲିଯାତ୍ରା ଆରମ୍ଭ ତତା ଗତ ନଭେମ୍ବର୨୭ତାରିଖ ଦିନ ମୋଟ ୬୮ଲକ୍ଷ ଟଙ୍କା କାରବାର ହୋଇଥିଲା । ତେବେ ଏହାପରେ ଦିନ ଗଡିବା ସହ ବେପାର ବି ବଢି ଚାଲିଥିଲା । ୨୮ତାରିଖରେ ୧କୋଟି୭୯ଲକ୍ଷ,୨୯ରେ ୩କୋଟି ୯ଲକ୍ଷ, ୩୦ରେ ୪କୋଟି ୮୯ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା । ଡିସେମ୍ବର୧ରେ ୬କୋଟି ୬୮ଲକ୍ଷ ହୋଇଥିବା ବେଳେ ୨ତାରିଖରେ ସର୍ବାଧିକ୯କୋଟି୮୬ ଲକ୍ଷ ଟଙ୍କାର ବିକ୍ରିବଟା ପଲିଶ୍ରୀ ମେଳାରେ ହୋଇଥିଲା । ୩ତାରିଖରେ ୪କୋଟି୯୧ଲକ୍ଷ, ୪ତାରିଖରେ ୨କୋଟି ୫ଲକ୍ଷ ବେପାର ହୋଇପାରିଥିଲା । ଗତକାଲିବି ପ୍ରାୟ ଦୁଇ କୋଟିରୁ ଅଧିକ ବେପାର ହୋଇଥିଲା । ଗତ ୨୦୨୦ ଓ ୨୦୨୧ରେ କରୋନା ମହାମାରୀ ପାଇଁ ବାଲିଯାତ୍ରା ହୋଇପାରିନଥିଲା । ଗତବର୍ଷ ତଥା ୨୦୨୨ ବାଲିଯାତ୍ରାର ଜାତୀୟ ପଲିଶ୍ରୀ ମେଳାରେ ୨୨କୋଟି ଟପିଥିଲା ବ୍ୟବସାୟ । ଚଳିତ ବର୍ଷ କଟକ ବାଲିଯାତ୍ରାର ଓରମାସ ପଲିଶ୍ରୀ ମେଳାରେ ପ୍ରାୟ ୪୨୦ରୁ ଅଧିକ ଷ୍ଟଲ ହୋଇଥିଲା । ମିଳିଥିବା ସୂଚନାନୁସାରେ ଗତ ୨୦୧୯ରେ ମୋଟ ୪୧୦ଟି ଷ୍ଟଲ ପଡିଥିବା ବେଳେ ଓରମାସର ବେପାର ୧୫କୋଟି ୭୦ଲକ୍ଷ ହୋଇପାରିଥିଲା । ୨୦୧୮ରେ ଯେଉଁଠି ଏହା ୧୪ଲକ୍ଷରେ ସୀମିତ ରହିଥିଲା । ବ୍ୟବସାୟୀଙ୍କ କହିବା ଅନୁଯାୟୀ ଏଥର ଅନୁକୂଳ ପାଗ ଲାଗି ଲୋକଙ୍କ ଆଗମନ ବଢିଥିଲା । ଦେଶର ବିଭିନ୍ନ ରାଜ୍ୟ ତଥା ଗୁଜୁରାଟ, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଦିଲ୍ଲୀ, ନାଗାଲାଣ୍ଡ, ବିହାର, ଆସାମ, ଛତିଶଗଡ, ହରିଆନା, ପଂଜାବ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ମଣିପୁର, ମହାରାଷ୍ଟ୍ର ଆଦି ରାଜ୍ୟରୁ ବହୁ ବ୍ୟବସାୟୀ ପଲିଶ୍ରୀ ମେଳାକୁ ଆସିଥିଲେ । ଏହା ବ୍ୟତୀତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ମିଶନ ଶକ୍ତି ଅନ୍ତର୍ଗତ ମହିଳା ଏସଏଚଜି ମାନେ ସେମାନଙ୍କ ହସ୍ତଶିଳ୍ପ ଓ ଘରକରଣା ସାମଗ୍ରୀ ମାନ ଆଣିଥିଲେ । ପଲିଶ୍ରୀ ମେଳା ପରିସରରେ ସ୍ଥାନ ପାଇଥିଲା ଓଡିଶାର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ହସ୍ତତନ୍ତ । ସମ୍ବଲପୁର, ସୋନପୁର, ବ୍ରହପୁର ପାଟ ଶାଢୀ ହେଉ ଅବା ମାଣିଆବନ୍ଧର ହସ୍ତତନ୍ତ ଚାହିଦା ଦେଖିବାକୁ ମିଳିଥିଲା । ସେହିପରି କନ୍ଧମାଳର ହଳଦୀ, ବ୍ରହ୍ମପୁର ଆଚାର ପାମ୍ପଡ ସାଙ୍ଗକୁ କେତେକ ସ୍ଥାନର ପ୍ରସିଦ୍ଧ ଫୁଡ ଷ୍ଟଲ ମଧ୍ୟ ରହିଥିଲା ।

Leave A Reply

Your email address will not be published.