କୋଷ୍ଟାଲ ହାଇୱେ କାମ କେବେ?

When will the Coastal Highway work?

0 52

ନୂଆଦିଲ୍ଲୀ,୭ା୧୨: ଘୋଷଣା କରି ଭୁଲିଗଲେ । ଆଜି ସଂସଦରେ ମନେ ପକାଇଦେଲା ବିଜେଡ଼ି । ଆଜି ଶୂନ୍ୟକାଳରେ ରାଜ୍ୟରେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ଅଟକି ରହିଥିବାରୁ ତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସାଂସଦ ମାନସ ମଙ୍ଗରାଜ । କେବେ ଆସିବ ଡିପିଆର୍‌ । ଉପକୂଳ ରାଜପଥର ଷ୍ଟାଟସ୍‌ କଣ? ସଂସଦର ଶୂନ୍ୟକାଳରେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ସାଂସଦ ଶ୍ରୀ ମଙ୍ଗରାଜ । ସେ କହିଛନ୍ତି ବହୁ ଅନୁଶୀଳନ, ବହୁ ତର୍କବିତର୍କ ପରେ ରାଜ୍ୟରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରି ମିଳିଥିଲା । ୨୦୧୫ରେ କେନ୍ଦ୍ର ଦ୍ୱାରା ଘୋଷିତ ଏହି ପ୍ରକଳ୍ପକୁ ୮ ବର୍ଷ ବିତି ଯାଇଥିଲେ ହେଁ ଏଯାଏଁ ଚୂଡ଼ାନ୍ତ ପ୍ରକଳ୍ପ ରିପୋର୍ଟ ଆସିପାରିଲା ନାହିଁ କି କାମ ଆରମ୍ଭ ହୋଇପାରିଲା ନାହିଁ । ଏହି ପ୍ରକଳ୍ପ ବାସ୍ତବ ରୂପ ନେଲେ ଉପକୂଳ ଜିଲ୍ଲା ସହିତ ପୁରା ରାଜ୍ୟ ଓ ପୂର୍ବାଞ୍ଚଳର ବିକାଶ ହେବ । କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଓଡ଼ିଶାରେ କୋଷ୍ଟାଲ ହାଇୱେ ନେଇ ଯେଉଁ ଘୋଷଣା କରିଥିଲେ ତାହା ଏବେ ଘୋଷଣା ସର୍ବସ୍ୱ ହୋଇ ଫାଇଲ ତଳେ ଚାପି ହୋଇଯାଇଛି । ଅଗଷ୍ଟ ୨୦୨୩ରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଗ୍ରୀନ୍‌ ସିଗ୍‌ନାଲ ପରେ ବି କେନ୍ଦ୍ର ସରକାର ପ୍ରକଳ୍ପ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଯଥାଶୀଘ୍ର ପ୍ରକଳ୍ପ ଆରମ୍ଭ ସହ କାମ ସାରିବା ପାଇଁ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ଶ୍ରୀ ମଙ୍ଗରାଜ । କୋଷ୍ଟାଲ ହାଇୱେ ଦ୍ୱାରା ରାଜ୍ୟର ୭ ଉପକୂଳ ଜିଲ୍ଲା ଯୋଡ଼ିହେବ । ଏହି ପ୍ରକଳ୍ପ ଦ୍ୱାରା ବାଣିଜ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିପାରିବ । ୩୪୬ କିଲୋମିଟର ରାସ୍ତାକୁ ଦୁଇ ଥାକରେ କରାଯିବ ବୋଲି ପ୍ଲାନ ହୋଇଛି । ଖୋର୍ଦ୍ଧା ରାମେଶ୍ୱରରୁ ପୁରୀ ରତନପୁର ଏବଂ ରତନପୁରରୁ ବାଲେଶ୍ୱରର ଦୀଘା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ଏହାକୁ ୪ଟି ପ୍ୟାକେଜରେ କରାଯିବାକୁ ମଧ୍ୟ ଯୋଜନା ହୋଇଥିଲା । ଯାହା ମଧ୍ୟରୁ ପ୍ରଥମ ଦୁଇଟି ପ୍ୟାକେଜକୁ ବିନା କୌଣସି କାରଣରେ ବାତିଲ କରାଯାଇଥିଲା । ବାକି ଦୁଇଟି ପ୍ୟାକେଜକୁ କ୍ଲିଅରାନ୍ସ ମିଳିଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ମଞ୍ଜୁରୀକୁ ନେଇ ପ୍ରକଳ୍ପ ପଡି ରହିଥିଲା । କିନ୍ତୁ ଅଗଷ୍ଟ ୨୦୨୩ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଗ୍ରୀନ ସିଗନାଲ ପରେ ବି କେନ୍ଦ୍ର ସରକାର ପ୍ରକଳ୍ପ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରୁନଥିବାରୁ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଯଥା ଶୀଘ୍ର ଏହାର ଆରମ୍ଭ ସହ କାମ ସାରିବା ପାଇଁ ସେ ଗୃହରେ ଦାବି ଉପସ୍ଥାପନ କରିଛନ୍ତ ।

Leave A Reply

Your email address will not be published.