ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ଉଦ୍‌ଘାଟିତ

Khelo India Para Sports Launched

0 69
ନୂଆଦିଲ୍ଲୀ, ୧୨ା୧୨: ନୂଆଦିଲ୍ଲୀର କେଡି ଯାଦବ ଇନଡୋର ହଲରେ ପ୍ରଥମ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ପ୍ରଥମଥର ପାଇଁ ହେଉଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୪୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ୧୭ ତାରିଖରେ ଏହା ଉଦଯାପିତ ହେବ । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ହିମାଚଳ ପ୍ରଦେଶ ପୋଲିସ୍‌ ବ୍ୟାଣ୍ଡ ତରଫରୁ ଦେଶାତ୍ମବୋଧକ ଧୂନ୍‌ ବଜାଯିବା ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଅଧିକାରୀମାନଙ୍କ ଦ୍ୱାରା କାଲବେଲିୟା ନୃତ୍ୟ ପରିବେଷଣ କରାଯାଇଥିଲା । ଉଦ୍‌ାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତିଶ ପରମାଣିକ ମଧ୍ୟ ଉପସ୍ଥିତ ଥିଲେ । ଏହି ପାରା କ୍ରୀଡ଼ା ଦିଲ୍ଲୀର ଇନ୍ଧିରା ଗାନ୍ଧୀ ଷ୍ଟାଡିୟମ୍‌, ଜବାହାରଲାଲ୍‌ ନେହେରୁ ଷ୍ଟାଡିୟମ୍‌ ଓ କର୍ନି ସିଂହ ସୁଟିଂ ରେଞ୍ଜରେ ଆୟୋଜିତ ହେବ । ୭ ବିଭାଗ ଦୌଡ଼କୁଦ, ସୁଟିଂ, ତୀରନ୍ଦାଜି, ଫୁଟବଲ୍‌,  ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌, ଭାରୋତ୍ତୋଳନରେ କ୍ରୀଡ଼ାବିତମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି କ୍ରୀଡ଼ାରେ ଭାରତର ଶୀର୍ଷ ପାରା କ୍ରୀଡ଼ାବିତ ଶୀତଲ ଦେବୀ, ଭାବିନା ପଟେଲ, ଅଶୋକ ପ୍ରମୁଖ ଭାଗ ନେଉଛନ୍ତି । ପ୍ରଥମ ଦିନରେ ଓଡ଼ିଶା କ୍ରୀଡ଼ାବିତମାନେ ୪ ସ୍ୱର୍ଣ୍ଣ ସହ ମୋଟ ୬ ପଦକ ପାଇଛନ୍ତି । ଓଡ଼ିଶାର ପାରା ଆଥଲେଟ୍‌ ଜୟନ୍ତୀ ବେହେରା ୨, ସୁଚିତ୍ରା ପରିଡ଼ା ଓ ପଙ୍କଜ ଭୁଇ ୧ ଲେଖାଏଁ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଜାଭଲିନ୍‌ ଏଫ୍‌୫୫ ବର୍ଗରେ ସୁଚିତ୍ରା ପରିଡ଼ା ୧୭.୨୩ ମିଟର ସହ ଜାତୀୟ କୀର୍ତ୍ତିମାନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଉତ୍ତର ପ୍ରଦେଶର ସାକ୍ଷୀ କସାଣ (୧୪.୭୩)ଙ୍କ ନାମରେ ଥିଲା । ମହିଳା ୧୦୦ ମିଟର ଦୌଡ଼ର ଟି୪୭ବର୍ଗରେ ଜୟନ୍ତୀ ୧୩.୪୦ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ । ସେହିପରି ୨୦୦ ମିଟର ଦୌଡ଼ର ଟି୪୭ ବର୍ଗରେ ଜୟନ୍ତୀ ୨୭.୨୨ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୁରୁଷ ୧୦୦ ମିଟର ଦୌଡ଼ର ଟି୧୩ ବର୍ଗରେ ପଙ୍କଜ ୧୨.୪୧ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ମଙ୍ଗତ ହେମ୍ବ୍ରମ୍‌ ୧୨.୬୩ ସେକେଣ୍ଡରେ କାଂସ୍ୟ ପଦକ ପାଇଥିଲେ । ଲମ୍ବ ଡିଆଁର ଟି୧୩ ବର୍ଗରେ ପଙ୍କଜ ୫.୩୩ ମିଟର ଜମ୍ପ କରି ରୌପ୍ୟ ପଦକ ଜିତିଛନ୍ତି । ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାରେ ଓଡ଼ିଶାରୁ ୧୫ ଜଣିଆ ଦଳ ଭାଗ ନେଇଛି । ସେମାନେ ଶକ୍ତିଉତ୍ତୋଳନ, ବ୍ୟାଡମିଣ୍ଟନ ଓ ଦୌଡ଼କୁଦରେ ଅଂଶଗ୍ରହଣ କରିଛନ୍ତ ।
Leave A Reply

Your email address will not be published.