ବିଜୁବାବୁଙ୍କୁ ଭାରତରତ୍ନ କେବେ ?

Bijubabu when Bharat Ratna?

0 69

ଏ ଯାବତ୍‌ ଦେଶର ୪୮ ଜଣଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଓଡିଶାରୁ ଜଣେ ହେଲେ କେହି ଉକ୍ତ ସମ୍ମାନ ପାଇନାହାନ୍ତି। ସେବା ସହିତ କଳା, ବିଜ୍ଞାନ, ଇଞ୍ଜିନିୟରିଂ, କ୍ରୀଡ଼ା, ବାଣିଜ୍ୟ ବ୍ୟବସାୟ ଆଦି ବିବିଧ କ୍ଷେତ୍ରରେ ଉକ୍ରର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦେଶ କୃତଜ୍ଞତା ଜଣାଇ ଏହି ବେସାମରିକ ଶୀର୍ଷ ସମ୍ମାନ ପ୍ରଦାନ କରିଥାଏ। ଏଥିଲାଗି ନିଜେ ପ୍ରଧାନମନ୍ତ୍ରୀ ନାମ ଚୟନ କରି ରାଷ୍ଟ୍ରପତିଙ୍କ ନିକଟଙ୍କୁ ପଠାଇଥାନ୍ତି ଓ ତାହା ଗୃହିତ ହେବା ପରେ ପ୍ରଦାନ କରାଯାଇଥାଏ। ଦେଶ ଓ ଜାତି ପ୍ରତି ଅବଦାନ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଏଯାଏ ଭାରତରତ୍ନ ନ ମିଳିବା ବାସ୍ତବିକ ଦୁର୍ଭାଗ୍ୟଜନକ ବିଷୟ। ତୁରନ୍ତ ଏହି ପ୍ରବାଦ ପୁରୁଷଙ୍କୁ ଦେଶର ଏହି ସର୍ବୋଚ୍ଚ ସମ୍ମାନ ନ ମିଳିବା ବାସ୍ତାବିକ ଦୁର୍ଭାଗ୍ୟଜନକ। ଏଥିନେଇ ‘ଡୁମାଣୀ ମିଡ଼ିଆ ହାଉସ୍‌’ର ପ୍ରତିଷ୍ଠାତା ତଥା ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ବାରମ୍ବାର ସ୍ୱର ଉତ୍ତୋଳନ କରୁଥିଲେ ହେଁ ଏଯାଏଁ କିଛି ସୁଫଳ ମିଳିନାହିଁ। ଏହି ଜନନାୟକଙ୍କୁ ବାରମ୍ବାର ଅଣଦେଖା କରାଯିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ସେଥିନେଇ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୫୪ ମସିହାରୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଉଛି। ବର୍ଷରେ ଅତି ବେଶୀରେ ୩ ଜଣ ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ ଲାଗି ବ୍ୟବସ୍ଥା ଅଛି। ୧୯୫୪ ମସିହାରେ ଚକ୍ରବର୍ତ୍ତି ରାଜଗୋପାଳଚାରୀ, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଡକ୍ଟର ସି.ଭି ରମଣଙ୍କୁ ପ୍ରଥମଥର ଲାଗି ଭାରତରତ୍ନ ପ୍ରଦାନ କରାଯାଇଥିଲା। ୧୯୫୫ ମସିହାରେ ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହରୁଙ୍କ ସମେତ ବିଶିଷ୍ଟ ଇଞ୍ଜିନିୟର ଡକ୍ଟର ଏମ. ବିଶେଷୋରେୟା ଓ ପାର୍ସୀ ବିଦ୍ୟାପୀଠର ପ୍ରତିଷ୍ଠାତା ଡକ୍ଟର ଭଗବାନ ଦାସ ଏହି ସମ୍ମାନ ପାଇଥିଲେ। ୧୯୫୭ରୁ ୧୯୬୬ ମଧ୍ୟରେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ, ଡକ୍ଟର ଡିକେ କାର୍ଭେ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟ, ପୂର୍ବତନ କଂଗ୍ରେସ ସଭାପତି ପୁରୁଷୋତ୍ତମ ଦାସ ଟଣ୍ଡନ, ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ଜାକୀର ହୁସେନ, ଡକ୍ଟର ପାଣ୍ଡୁରଙ୍ଗ ବାମନ କାନେ ଓ ମରଣୋତ୍ତର ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ନେହରୁଙ୍କ ପରେ ନିଜେ ପ୍ରଧାନମନ୍ତ୍ରୀ ଥାଇ ଇନ୍ଦିରା ଗାନ୍ଧୀ ୧୯୭୧ ମସିହାରେ ଭାରତରତ୍ନ ପୁରସ୍କାର ଗ୍ରହଣ କରିଥିବା ବେଳେ ୧୯୭୫ରୁ ୯୦ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଭି.ଭି ଗିରି, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.କାମରାଜ, ମଦର ଟେରେସା, ବିନୋବା ଭାବେ, ସୀମାନ୍ତ ଗାନ୍ଧୀ ଖାଁ, ଅବଦୁଲ ଗଫର ଖାଁ, ତାମିଲନାଡୁର ଆଉଜଣେ ମୁଖ୍ୟମନ୍ତ୍ରୀ ଏମ.ଜି.ରାମ•ନ୍ଦ୍ରନ, ଡକ୍ଟର ବି.ଆର. ଆମ୍ବେଦକର ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ନେଲଶନ ମାଣ୍ଡେଲାଙ୍କ ଉଦ୍ଦେଶ୍ୟରେ ଏହି ସମ୍ମାନ ଦିଆଯାଇଥିଲା । ପରେ ମରଣୋତ୍ତର ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୋରାରଜୀ ଦେଶାଇ, ମୌଲାନା ଅବଦୁଲ କାଲାମ ଆଜାଦ, ଜେଆରଡି ଟାଟା, ସତ୍ୟଜିତ ରାୟ, ଗୁଲଜାରିଲାଲ ନନ୍ଦା, ଅରୁଣା ଆସଫଅଲ୍ଲୀ ଓ ଏପିଜେ ଅବଦୁଲ କାଲାମ ୧୯୯୭ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଏହି ସମ୍ମାନ ପାଇଥିଲେ। ୧୯୯୮ରୁ ୨୦୧୫ ମଧ୍ୟରେ ଏମ.ଏସ ଶୁଭଲକ୍ଷ୍ମୀ, ସି. ସୁବ୍ରମଣ୍ୟମ୍‌, ଜୟପ୍ରକାଶ ନାରାୟଣ, ଅମର୍ତ୍ତ୍ୟ ସେନ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପିନାଥ ବର୍ଦୋଳଇ, ପଣ୍ଡିତ ରବିଶଙ୍କର, ଲତା ମଙ୍ଗେସକର, ଉସ୍ତାଦ ବିସ୍‌ମିଲ୍ଲା ଖାଁ, ଭୀମସେନ ଯୋଶୀ, କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର, ବୈଜ୍ଞାନିକ ସି.ଏନ.ଆର.ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ମଦନ ମାଲବ୍ୟଙ୍କ ନାମରେ ଏହି ସମ୍ମାନ ଦିଆଯାଇଥିଲା। ୨୦୧୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ଏହି ସମ୍ମାନ ମିଳିଥିବା ବେଳେ ୨୦୨୦-୨୧ ବର୍ଷରେ କାହାକୁ ଭାରତରତ୍ନ ଦିଆଯାଇନାହିଁ। ଶାସ୍ତ୍ରୀଜୀଙ୍କ ଠାରୁ ଆରମ୍ଭକରି ଏମ.ଜି ରାମଚନ୍ଦ୍ରନ, କେ.କାମରାଜ, ଆମ୍ବେଦକର, ରାଜୀବ ଗାନ୍ଧୀ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଅରୁଣା ଆସଫଅଲ୍ଲୀ, ଜୟପ୍ରକାଶ ଓ ଗୋପିନାଥ ବର୍ଦୋଳାଇ, ମଦନ ମୋହନ ମାଲବ୍ୟଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ମିଳିଥିବା ବେଳେ ଓଡିଶାର ଜଣେ ହେଲେ କେହି ଏହି ସମ୍ମାନ ନ ପାଇବା ବାସ୍ତବିକ ଦୁର୍ଭାଗ୍ୟଜନକ ।

Leave A Reply

Your email address will not be published.