ମ୍ୟୁଜିୟମ ଓଡ଼ିଆ ଅସ୍ମିତାର ପରିଚୟ: ମୁଖ୍ୟମନ୍ତ୍ରୀ

Introduction of Museum Odia Pride: Chief Minister

0 50

ଭୁବନେଶ୍ୱର, ୨୯ା୧୨  : ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏହାର ୯୦ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ପାଳନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ମ୍ୟୁଜିୟମ୍‌ କେବଳ ଆମ ଗୌରବମୟ ଇତିହାସର ମୂକସାକ୍ଷୀ ନୁହେଁ, ବରଂ ଆମ ଅସ୍ମିତାର ପରିଚୟ। ଏହା ହେଉଛି ଗୋଟିଏ ସଭ୍ୟତା, ଜାତି ଓ ସଂସ୍କୃତିର ଦର୍ପଣ। ଆମ ଅତୀତ ସହ ଏହା ଆମକୁ ଯୋଡ଼ିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଇତିହାସ ଓ ପରମ୍ପରାର କଥା କହୁଥିବା ଏହି ସଂଗ୍ରହାଳୟ ଗବେଷଣା ନିମନ୍ତେ ଜ୍ଞାନର ଭଣ୍ଡାର। କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିବା ଏହି ମ୍ୟୁଜିୟମ୍‌ ବର୍ତ୍ତମାନ ବିରାଟ ଅନୁଷ୍ଠାନରେ ପରିଣତ ହୋଇଛି। ଏହି ଆଇକନିକ୍‌ ସ୍ଥାନଟି ପିଲାମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ା ଓଡ଼ିଶାର ସମସ୍ତ ହାଇସ୍କୁଲର ଛାତ୍ରଛାତ୍ରୀ ସଂଗ୍ରହାଳୟ ସହ ପରିଚିତ ହେବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ସେମାନେ ଆମ ଗୌରବମୟ ଅତୀତ ସଂପର୍କରେ ଅନେକ କିଛି ଜାଣିପାରିବେ ବୋଲି ସେ କହିଥିଲେ। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା, ସ୍ୱତନ୍ତ୍ର ଉପକ୍ରମ ଆର୍‌. ବାଲାକ୍ରିଷ୍ଣନ୍‌ କହିଲେ ଯେ ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ସମସ୍ତ ଐତିହ୍ୟପୂର୍ଣ୍ଣ ଉପାଦାନକୁ ସ୍ଥାନ ଦେଇଛି। ଏହା ଦେଶର ପ୍ରମୁଖ ସଂଗ୍ରହାଳୟ ଭାବେ ପରିଚିତ। କଳାଭୂମି, ରାଜ୍ୟ ସଂଗ୍ରହାଳୟ ଓ ଆଦିବାସୀ ସଂଗ୍ରହାଳୟ ରାଜ୍ୟର ସ୍ୱତନ୍ତ୍ର ଗାଥା ବହନ କରୁଛି। କ୍ରୀଡ଼ା, ସଂସ୍କୃତି ଓ ଐତିହ୍ୟ ଭଳି ସୂକ୍ଷ୍ମ ଶକ୍ତିର ବିକାଶ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌ କହିଲେ ଯେ ଭାଷା, ସାହିତ୍ୟ ଓ ସଂସ୍କୃତି ହେଉଛି ଏକ ଜାତିର ମୂଳପିଣ୍ଡ। ଏହାର ସୁରକ୍ଷା ଓ ସଂରକ୍ଷଣ ହୋଇପାରିଲେ ଗୋଟିଏ ଜାତିର ବିକାଶ ହୋଇପାରିବ। ରାଜ୍ୟରେ ଜାରି ରୂପାନ୍ତରଣ କାର୍ଯ୍ୟକ୍ରମରେ ଐତିହ୍ୟ ଓ ସଂସ୍କୃତିକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ବିକାଶ ଦିଗରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ସଶକ୍ତିକରଣ କରାଯିବା ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଆସନ୍ତା ସମୟରେ ମ୍ୟୁଜିୟମ୍‌କୁ ୫-ଟି ଉପକ୍ରମରେ ସାମିଲ କରାଯାଇ ଏହାର ଆହୁରି ବିକାଶ କରାଯିବା ସହ ମ୍ୟୁଜିୟମ୍‌ ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଫେବୃଆରୀରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ ଏବଂ ଏଥିନିମନ୍ତେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରସିଦ୍ଧ ସଂଗ୍ରହାଳୟ ତତ୍ତ୍ୱବିତ୍‌ ପ୍ରଫେସର ଜ୍ୟୋତିନ୍ଦ୍ର ଜୈନ କହିଲେ ଯେ ଏକ ଜାତି ପାଇଁ ସଂଗ୍ରହାଳୟ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ସମସ୍ତ ଜ୍ଞାନର ମୂଳତତ୍ତ୍ୱ ମ୍ୟୁଜିୟମରେ ସଂରକ୍ଷିତ ବୋଲି ସେ କହିଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଉପଲବ୍ଧ ସାମଗ୍ରୀ ବିଶ୍ୱବିଦିତ। ବିଦେଶରେ ଉପଲବ୍ଧ ଦେଶର ସାମଗ୍ରୀ ସଂପର୍କରେ ଏହି ମ୍ୟୁଜିୟମ୍‌ରେ ଗବେଷଣାଲବ୍ଧ ତଥ୍ୟ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକ୍ଟର ଲେନିନ୍‌ ମହାନ୍ତି କହିଲେ ଯେ ରାଜ୍ୟରେ ଜାରି ରୂପାନ୍ତରଣରେ ସମସ୍ତେ ସହଯୋଗ କରିପାରିଲେ ରାଜ୍ୟରେ ବିକାଶ ତ୍ୱରାନ୍ୱିତ ହୋଇପାରିବ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ଓ ଇତିହାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିବିଶେଷ ଡ. ନିବେଦିତା ମହାନ୍ତି, ବେଣୁଧର ମହାପାତ୍ର, ଗୋବିନ୍ଦ ପାଲ, ପ୍ରସନ୍ନ କୁମାର ଦାଶ ଓ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀର ପରାମର୍ଶଦାତା ମଣ୍ଡଳୀରେ ଥିବା ଡ. ପ୍ରହ୍ଲାଦ ସିଂହ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ଡ. ରାମହରି ଜେନା, ଡ. ସଂଗ୍ରାମ ଜେନା ପ୍ରମୁଖଙ୍କୁ ସମ୍ବଦ୍ଧିତ କରାଯାଇଥିବା ବେଳେ ସାଂସ୍କୃତିକ କ୍ୟାଲେଣ୍ଡର ୨୦୨୪ ଓ ‘ଦ ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ପୂର୍ବରୁ ସଂଗ୍ରହାଳୟ ସମ୍ମୁଖ ଭାଗରେ ଥିବା ଫୁଲ ତ୍ୱରଣ, ମ୍ୟୁଜିକାଲ ଫାଉଣ୍ଟେନ୍‌, ଶିଶୁ ଶଙ୍କର ଦାସ ରଚିତ ‘ଉଷାଅଭିଳା’ର ପ୍ରଥମ ଓଡ଼ିଆ ଟିକା ଓ ତାଳପତ୍ର ଖୋଦିତ ଚିତ୍ରରାଜି ସମୂହର ଅଡ଼ିଓ ଭିଜୁଆଲ୍‌, ବିସ୍ତୃତ ସୂଚନା ଫଳକ ଗ୍ୟାଲେରୀ, ଆନିମଲ କାର୍ନିଭାଲ ସେଲ୍‌ଫିଜୋନ୍‌ ଆଦି ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବାବେଳେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ତିନିଚକକୁ ଲୋକାର୍ପିତ କରାଯାଇଥିଲା। ରାଜ୍ୟ ସଂଗ୍ରହାଳୟରେ ପର୍ଯ୍ୟଟନ କର୍ମଶାଳାରେ ୧୪ ଦିନ ଧରି ପ୍ରଶିକ୍ଷଣ ନେଉଥିବା ଫ୍ରାଙ୍କଲିନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହସ୍‌ପିଟାଲିଟି ଆଣ୍ଡ ମ୍ୟାନେଜ୍‌ମେଣ୍ଟର ୭୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ବିଭାଗୀୟ ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାସ, ଯୁଗ୍ମ ନିର୍ଦ୍ଦେଶକ ଅତସି ଦାସ, ସୁବୋଧ ଆ·ର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିବାବେଳେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ଓ କ୍ୟୁରେଟର ଡ. ଭାରତୀ ପାଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.