ମୁଣ୍ଡପିଛା ବିଜୁଳି ଉପଯୋଗରେ ଓଡ଼ିଶା ତୃତୀୟ

Odisha is third in per capita electricity consumption

0 45

ଭୁବନେଶ୍ୱର, : ବିଦ୍ୟୁତ ଉପଯୋଗ କରିବାରେ ଓଡ଼ିଶା ବହୁ ରାଜ୍ୟ ତୁଳନାରେ ଉନ୍ନତ ସ୍ଥିତିରେ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ବିଦ୍ୟୁତ ଉପଯୋଗ ୨.୨୬ ମେଗାୱାଟ୍‌ ରହିଛି। କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ) ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ବିଦ୍ୟୁତ ଉପଯୋଗରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବା ବେଳେ ପୂର୍ବ ଭାରତ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। ୨୦୨୦-୨୧ ତୁଳନାରେ ଓଡ଼ିଶା ଚାରି ପାହାଚ ଉପରକୁ ଉଠିଛି। ଓଡ଼ିଶାଠାରୁ ଉନ୍ନତ ସ୍ଥିତିରେ ଗୋଆ ଓ ପଞ୍ଜାବ ରହିଛି। ଗତ ତିନି ଆର୍ଥିକ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ବିଦ୍ୟୁତ ଉପଯୋଗ ୧.୫୫ ମେଗାୱାଟ୍‌ରୁ ବୃଦ୍ଧି ପାଇ ୨.୨୬ ମେଗାୱାଟ୍‌ ହୋଇଛି। ସିଇଏ ରିପୋର୍ଟ ଅନୁଯାୟୀ, ଗୋଅ।ରେ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ୩.୭୩ ମେଗାୱାଟ୍‌ ଥିବା ବେଳେ ପଞ୍ଜାବରେ ୨.୩୫ ମେଗାୱାଟ୍‌ ରହିଛି। ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକ ଏକ୍ଷେତ୍ରରେ ଓଡ଼ିଶାଠାରୁ ବହୁ ପଛରେ ରହିଛନ୍ତି। ବିହାରରେ ମୁଣ୍ଡପିଛା ବିଦ୍ୟୁତ ଉପଯୋଗ ୦.୩୨ ମେଗାୱାଟ୍‌ ହୋଇଥିବା ବେଳେ ଝାଡ଼ଖଣ୍ଡରେ ୦.୮୬ ମେଗାୱାଟ୍‌, ପଶ୍ଚିମବଙ୍ଗରେ ୦.୭୩ ମେଗାୱାଟ୍‌ ରହିଛି। ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ବିଦ୍ୟୁତ ଉପଯୋଗ ୧.୨୫ ମେଗାୱାଟ୍‌ ରହିଛି ଯାହା ଓଡ଼ିଶାଠାରୁ କମ୍‌। ସିଇଏ ତଥ୍ୟ ଅନୁସାରେ ଓଡ଼ିଶାର ୪୭,୬୭୭ ଗ୍ରାମ ଏବଂ ୨୨୩ ସହରରେ ବିଦ୍ୟୁତ ସଂଯୋଗ ପହଞ୍ଚିଛି। ୨୦୨୦ରେ ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ଘରୋଇକରଣ ପରେ ମୁଣ୍ଡପିଛା ବିଦ୍ୟୁତ ଉପଯୋଗରେ ୩୧ ପ୍ରତିଶତ ବୃଦ୍ଧି ଘଟିଥିବା ରିପୋର୍ଟରେ ଦାବି କରାଯାଇଛି। ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ନୂଆ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି। ନେଟ୍‌ୱର୍କ ଉନ୍ନତି କାର୍ଯ୍ୟରେ ୩୦୦୦ କୋଟି ଟଙ୍କା ନିବେଶ କରାଯାଇ ଥିବାବେଳେ ଆଉ ୩୦୦୦ କୋଟି ଟଙ୍କା ନିବେଶ ହେବାକୁ ଯାଉଛି। ୨୧୮୧ ସର୍କିଟ୍‌ କିମିର ବିଦ୍ୟୁତ ନେଟ୍‌ୱର୍କ ସ୍ଥାପନ କରାଯାଇଥିବା ବେଳେ ୧୦,୦୦୦ ରୁ ଅଧିକ ଟ୍ରାନ୍ସଫରର୍ମ ସ୍ଥାପନ କରାଯାଇଛି।

Leave A Reply

Your email address will not be published.