ଟ୍ୱିନ୍‌ ସିଟି ପବନରେ ବିଷ

0 71

ଟ୍ୱିନ୍‌ ସିଟି ପବନରେ ବିଷ ଭୁବନେଶ୍ୱର ସ୍ଥିତି ବିଗିଡ଼ିବାରେ ଲାଗିଛି। ଟ୍ୱିନ୍‌ ସିଟି ପବନ ଆଉ ଶରୀର ପାଇଁ ସୁସ୍ଥକର ନୁହେଁ। ପଦାରେ ବୁଲି ଆସିଲେ ଯେତିକି ଶାନ୍ତି ଲାଗୁନି, ତା’ଠାରୁ ବେଶି ବିଗୁଡ଼ୁଛି ସ୍ୱାସ୍ଥ୍ୟ। ଟ୍ୱିନ୍‌ ସିଟି ପବନରେ ମାଡ଼ିଗଲାଣି ପ୍ରଦୂଷଣ। ଏୟାର କ୍ୱାଲିଟି ଇନଡେକ୍ସ ୩୦୦ ପାର୍‌ କରିଗଲାଣି । ଅପରାହ୍ନ ୪ଟା ସୁଦ୍ଧା ଭୁବନେଶ୍ୱରରେ ଏକ୍ୟୁଆଇ ୩୧୧ ଥିବାବେଳେ କଟକରେ ଥିଲା ୩୨୦। ଉଭୟ ମହାନଗରରେ ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ଶ୍ରେଣୀର। ଖୋଦ୍‌ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ତଥ୍ୟ ରଖିଛି। ଖାଲି ସେତିକି ନୁହେଁ, ଦିନ ହେଉ କି ରାତି ପ୍ରଦୂଷଣ କମିବାର ନାଁ ଧରୁନି । ବରଂ ସନ୍ଧ୍ୟାରୁ ଆହୁରି ବଢ଼ିଯାଉଛି। ରବିବାର ରାତି ୧୧ଟାବେଳର ଅନଲାଇନ୍‌ ମନିଟରିଂ ରେକର୍ଡ ଅନୁସାରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୩୨୪ ଛୁଇଁଥିଲା । ପଟିଆରେ ଥିଲା ୩୦୯। କଟକ ସିଡିଏ ଅଞ୍ଚଳରେ ମଧ୍ୟ ଏକ୍ୟୁଆଇ ବି ୩୩୬ରେ ପହଞ୍ଚିଥିଲା । ଏଥିରୁ ଅନୁମାନ କରାଯାଇପାରେ, ରାତିରେ ଶୋଇଲା ବେଳେ ବି ସୁସ୍ଥ ପବନ ଟିକିଏ ମିଳୁନି ଟ୍ୱିନ୍‌ ସିଟିବାସୀଙ୍କୁ । ସକାଳୁ ସନ୍ଧ୍ୟା ଯାଏଁ ଧୂଳିଧୂଆଁ
ଓ ଗାଡ଼ିମୋଟରର ଘୋ ଘା ଶବ୍ଦ ନୟାନ୍ତ କରୁଥିବାବେଳେ ରାତିରେ ବି ପ୍ରଦୂଷଣ ସ୍ତର ଖସୁନି। ଏଭଳି ସ୍ଥିତି ଲମ୍ବା ସମୟ ପାଇଁ ଲାଗି ରହିଲେ ଶ୍ୱାସ ଓ ହୃଦରୋଗୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ନବଜାତ ଶିଶୁ, ଗର୍ଭବତୀ ଓ ବୟସ୍କ ଏଭଳି ପ୍ରଦୂଷଣରୁ ଦୂରେଇ ରହିବା ଆବଶ୍ୟକ। ଓଡ଼ିଶାରେ  ଦୂଷଣସ୍ତର ବର୍ତ୍ତମାନ ଉପରମୁହାଁ। ଦିଲ୍ଲୀକୁ ପଛରେ ପକାଇ ଦେଲାଣି ଆମ ବାୟୁ ପ୍ରଦୂଷଣ। ସହରରେ ଧୂଳି, ଧୂଆଁ ମାଡ଼ିଗଲାଣି। ଗିଳିଗଲାଣି ପ୍ରଦୂଷଣ। ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୂଷଣସ୍ତର ସାଂଘାତିକ ସ୍ତରରେ ପହଞ୍ଚିଲାଣି। ରବିବାର ବାଲେଶ୍ୱର ପାଲଟିଛି ଦେଶର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ କହୁଛି, ରବିବାର ଅପରାହ୍ନ ୪ଟାବେଳେ ବାଲେଶ୍ୱରରେ ଏୟାର କ୍ୱାଲିଟି ଇନଡେକ୍ସ(ଏକ୍ୟୁଆଇ) ୩୩୪ ଥିଲା। ଅର୍ଥାତ୍‌ ପବନର ମାନ ଏଠି ଅତି ଖରାପ ସ୍ତର ଛୁଇଁଛି। ଏହି ସମୟରେ ଦିଲ୍ଲୀରେ ଏକ୍ୟୁଆଇ ଥିଲା ୩୩୩ । ରବିବାର ଦେଶର ସବୁଠୁ ପ୍ରଦୂଷିତ ସହର ଥିଲା ବିହାରର ଭାଗଲପୁର (୩୮୨ ଏକ୍ୟୁଆଇ)। ଦ୍ୱିତୀୟରେ ଥିଲା ରାଜସ୍ଥାନର ଢୋଲପୁର, ଯେଉଁଠି ଏକ୍ୟୁଆଇ ୩୩୭ ଛୁଇଁଥିଲା । ଅନ୍ୟ ସହର ଭିତରେ ବାରିଦାରେ ବାୟୁ ପ୍ରଦୂଷଣ ସ୍ତର ସାଂଘାତିକ ଭାବେ ବିଗିଡ଼ିବାରେ ଲାଗିଛି। ବାରିପଦାରେ ଏକ୍ୟୁଆଇ ୩୧୬ରେ ପହଞ୍ଚିଥିଲା ଅପରାହ୍ନରେ। ଖଣି ଖାଦାନ ଅଞ୍ଚଳ କେନ୍ଦୁଝରରେ ଏକ୍ୟୁଆଇ ୩୧୪ ଥିବାବେଳେ ଶିଳ୍ପାଞ୍ଚଳ ଅନୁଗୁଳରେ ୩୦୦ ଓ ମୟୂରଭଞ୍ଜର ରାଇରଙ୍ଗପୁରରେ ୩୦୮ରେ ପହଞ୍ଚିଥିଲା। ଏସବୁ ସହର ବାଦ୍‌ ବି ଆଉ ୪ ସହରରେ ବାୟୁ ପ୍ରଦୂଷଣ ବଢ଼ିଛି। ମୟୂରଭଞ୍ଜ ଭଳି ସବୁଜିମା ଜିଲ୍ଲାର ଛୋଟ ସହର ବାରିଦା ଓ ରାଇରଙ୍ଗପୁରରେ ବାୟୁ ପ୍ରଦୂଷଣ ମାତ୍ରା ଏଭଳି ବିଗିଡ଼ିବା
ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ବଡ଼ବିଲରେ ଏକ୍ୟୁଆଇ ୨୬୮, ବ୍ୟାସନଗରରେ ୨୩୪, ତାଳଚେରରେ ୨୫୧ ଓ ରାଉରକେଲାରେ ୧୭୬ ରେକର୍ଡ ହୋଇଛି। ଏହି ୪ ସହରର ବାୟୁ ପ୍ରଦୂଷଣ ସ୍ତରକୁ ଖରାପ ଶ୍ରେଣୀର କୁହାଯିବ। ଅନଲାଇନ ଟ୍ୱିନ୍‌ ମନିଟରିଂ ଷ୍ଟେସନ ତଥ୍ୟ କହୁଛି, ରବିବାର ରାତି ୧୧ଟାବେଳେ ଅନୁଗୁଳରେ ଏକ୍ୟୁଆଇ ୩୧୪, ବାଲେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୧, ରାଇରଙ୍ଗପୁରରେ ୩୧୧, ବଡ଼ବିଲରେ ୨୭୬ ଥିଲା। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ୧୦୦- ୨୦୦ ଭିତରେ ଏକ୍ୟୁଆଇକୁ ମଧ୍ୟମ ଧରଣର ବାୟୁ ପ୍ରଦୂଷଣ କୁହାଯିବ। ୨୦୦ ଟପିଲେ ଖରାପ, ୩ଶହ ଟପିଲେ ଅତି ଖରାପ ଶ୍ରେଣୀଭୁକ୍ତ ହେବ। ୪ଶହ ଅତିକ୍ରମ କଲେ ଅତି ସାଂଘାତିକ ଶ୍ରେଣୀର କୁହାଯିବ|

Leave A Reply

Your email address will not be published.